ଫକୀରମୋହନ ସ୍ମରଣେ
ଫକୀରମୋହନ ସ୍ମରଣେ


ନୟନର ତାରା ହୋଇ ବାପା ଲକ୍ଷ୍ମଣ
ଓ ମା ତୁଳସୀ କୋଳରେ
ଅପୂର୍ବ ଲଗନେ ପବିତ୍ର ମକର ସଂକ୍ରାନ୍ତିରେ
ଜନମିଲ ବ୍ରଜମୋହନ ପୁଣ୍ଯ ଦିବସରେ।୧।
ପୂଣ୍ୟ ଭୂମି ଉତ୍କଳର ବାଲେଶ୍ବର
ଜିଲ୍ଲା ମଲିକାଶ ପୁରରେ
ଧରାକୁ ଆସିଲ ତେର ଜାନୁଆରୀ
ଅଠର ଶହ ତୈୟାଳିସ ମସିହାରେ ।୨।
ବାପା ମା ଛେଉଣ୍ଡ ହୋଇ ଜେଜେମା
କୋଳେ ବଢିଲ
ଫକୀର ହାତକୁ ଟେକିଲେ ବୋଲି
ଫକୀରମୋହନ ନାମ ନେଲ ।୩।
ନିଜେ ଦୁଃଖେ ଥାଇ ବଞ୍ଚାଇ ରଖି
ପାରିଲ ଓଡ଼ିଆ ଭାଷାକୁ
ପ୍ରାଣ ଢାଳି ସୃଷ୍ଟି କଲ ଉପନ୍ୟାସ,
ଗଳ୍ପ, ଇତିହାସେ ରଖିଲ ନାମକୁ ।୪।
ପ୍ରାଚୀନ ସଂସ୍କୃତକୃତି ରାମାୟଣ,
ମହାଭାରତକୁ
ଅନୁବାଦ କରି ଓଡ଼ିଆରେ ଖ୍ୟାତ
ହେଲ ବ୍ୟାସକବି ଯୁଗ ଯୁଗକୁ ।୫।
ଗଳ୍ପ ଲେଖା, ରେବତୀ, ରାଣ୍ଡିପୁଅ,
ଅଧର୍ମବିତ୍ତ, ଅନନ୍ତା ସଭ୍ୟ ଜମିଦାର,
ପେଟେଣ୍ଟ ମେଡ଼ିସିନ ତଥା କଥା
ଡାକମୁନିସିର ।୬।
ହେ, ଓଡ଼ିଆ ଉପନ୍ୟାସ ସୃଷ୍ଟି କର୍ତ୍ତା,
କାଳଜୟୀ ଅଟେ ତୁମ ସୃଷ୍ଟି
ଛ ମାଣ ଆଠଗୁଣ୍ଠ, ପ୍ରାୟଶ୍ଚିତ ଏଵଂ
ମାମୁଁ ଆଉ ଲଛମା ଟି।୭।
ଆତ୍ମଜୀବନୀ ର ପ୍ରଥମ ଲେଖକ
ଓଡ଼ିଆ ହିସାବରେ
`ଆତ୍ମଜୀବନ ଚରିତ` ସେ ଲେଖାଟି
ନାମ ବ୍ୟାସକବି ଭାବରେ ।୮।
ସାମାଜିକ ଚିତ୍ର ଜମିଦାରଙ୍କର ଚାଷୀ
ଭାଇଙ୍କୁ ଶୋଷଣ
ଛ ମାଣ ଆଠ ଗୁଣ୍ଠ ଉପନ୍ୟାସର
ବିଷୟବସ୍ତୁ ଜାଣ।୯।
ହେ, ଓଡ଼ିଆ ଗଳ୍ପର ଜନକ, ତୁମର
ଗଳ୍ପ ଲଛମନିଆ
ପ୍ରକାଶିତ ପତ୍ରିକା ବୋଧଦାୟିନୀରେ,
କଲା ସଭିଁଙ୍କୁ ଛାନିଆ।୧୦।
ଉତ୍କଳ ସାହିତ୍ୟ ପତ୍ରିକାରେ ହେଲା
ଗଳ୍ପ ପ୍ରକାଶିତ, ରେବତୀ
ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା
ପାଇଲା, ଉତ୍ଫୁଲ୍ଲିତ ଓଡ଼ିଆ ଛାତି।୧୧।
ଝିଅର ପାଠପଢିବାକୁ ଇଛା ଓ
ସାମାଜିକ ବାଧାକୁ ନେଇ
ପରମ୍ପରାକୁ କଲ ଆଘାତ, ଏ
ଭାବନାର ପଟାନ୍ତର ନାହିଁ।୧୨।
ନାରୀ ଶିକ୍ଷା ଲାଗି ରେବତୀ ଗଳ୍ପ
ଦେଖାଏ ସମାଜର ପ୍ରତିଛବି
ଧୂଳିଆବାବାଙ୍କ ଶଠ ପ୍ରବୃତ୍ତିକୁ ନେଇ
ରଚନ୍ତି ବ୍ୟାସକବି ।୧୩।
ତୁମର କୃତିତ୍ୱ ପୁଷ୍ପମାଳା ଉପହାର
ଓ ପୂଜାଫୁଲ
ପ୍ରାଥନା ଓ ଧୂଳି ଲେଖାଟିର ଆଉ
କିଏ ହେବ ତାର ସମତୁଲ।୧୪।
ଡାକ ମୁନସୀ ଗଳ୍ପଟିରେ ଅସହାୟ
ବାପର ବେଦନାକୁ
ଚେତାଇ ଦିଅନ୍ତି ଶିକ୍ଷିତ ପୁଅ ବ
ୋହୁ
ଙ୍କର ନୂତନ ଘୃଣ୍ୟ ଭାବନାକୁ ।୧୫।
ପେଟେଣ୍ଟ ମେଡ଼ିସିନ, ଆଜିବି ନିଶା
ସେବନ ବିରୋଧରେ ମଜାଦାର ଭାରି
ରାଣ୍ଡି ପୁଅ ଅନନ୍ତ, ଅଜା ନାତି କଥା
ଗାରୁଡ଼ି ମନ୍ତ୍ରଟି ଆଜି ମଧ୍ୟ ଦରକାରି ମୁଁ ।୧୬।
ଏବେ ବି ସମାଜ ସଂସ୍କାରେ ତାଙ୍କ
ରଚନା ସାଜିଛି ଅନୁଭୂତି
ରେବତୀ, ସାରିଆ, ଭଗିଆ, ଓ
ଅନନ୍ତାର ପ୍ରାଣାହୁତି ।୧୭।
ଉପନ୍ୟାସ ମଧ୍ୟେ ପ୍ରାଯଶ୍ଚିତ ପୁଣି
ଛ' ମାଣ ଆଠ ଗୁଣ୍ଠ
ଲଛମା ଓ ମାମୁଁ, ନୀତି ହାସ୍ୟ ରସ
ଲେଖିଲେ ଅମୁଲ୍ୟ ଗ୍ରନ୍ଥ ।୧୮।
ଓଡ଼ିଆ ଜାତିକୁ ଉଚ୍ଚ ହେବା ପାଇଁ
ଯେବେ ଆଶା କରିବାରେ
ଲୟରେ, ରଖି ଯାଇଛନ୍ତି ସ୍ବତନ୍ତ୍ରତା,
ପ୍ରତିଟି ପୃଷ୍ଠାରେ ଭାଷା ସାହିତ୍ୟରେ।୧୯।
ଓଡ଼ିଶାରେ ଦ୍ୱିତୀୟ ଛାପା ଖାନା
ଯାହା ଉତ୍କଳ ପ୍ରେସ
ଉତ୍କଳ ଭାଷା ଉନ୍ନତି ପାଇଁ ଗଢ଼ିଲେ
ଜାତି ଗୌରବ ପୁରୁଷ।୨୦।
ଦୁର୍ନୀତି, ଅନୀତି ଅବା ପ୍ରିୟା ପ୍ରୀତି
କୁସଂସ୍କାର ଅତ୍ୟାଚାର ବିରୋଧରେ
ଦୁରାଚାର, ଅନ୍ଧ ବିଶ୍ବାସ, କଳଙ୍କିତ
ପ୍ରଥା ବିରୁଦ୍ଧେ ଦେଲ ନବଚେତନାରେ।୨୧।
ତୁମରି ଲେଖନୀ ରହିନାହିଁ ତୁନି
ତୋଳିଛ ପ୍ରତିବାଦର ସ୍ବର
ଅମର ଅକ୍ଷରେ ରଚିଅଛ ସେ ସବୁର
ଚିରନ୍ତନ ସ୍ଵାକ୍ଷର ।୨୨।
ଓଡ଼ିଆ ଭାଷାର ସଙ୍କଟ କାଳରେ
ତୁମେ ସାଜିଥିଲ ଉଦ୍ଦୀପକ
ସାହିତ୍ୟ ମାଧ୍ୟମେ ଜଗାଇଲ ଜନ
ଜାଗରଣ, ହେ ଯୁଗ ପ୍ରବର୍ତ୍ତକ ।୨୩।
ଶିକ୍ଷକତା କରି ମଣିଷ ଗଢିଛ, ସ୍ଥାନ
ରଖିଗଲ ସ୍ଵତନ୍ତ୍ର ତୁମରି
ଓଡ଼ିଆ, ଇଂରାଜୀ, ସଂସ୍କୃତ, ବଙ୍ଗାଳୀ
ଭାଷାରେ ଦକ୍ଷତା ହାସଲ କରି ।୨୪।
ହେ, ସାହିତ୍ୟ ସମ୍ରାଟ ଅପରାଜୟୀ
ଭାଷା ବିନ୍ଧାଣି, ଆମ ଗର୍ବ ଗୈାରବ
ହେ, ସଂକ୍ରାନ୍ତି ପୁରୁଷ, ଯୁଗ ଯୁଗ
ଲାଗି ଉପହାର ଯେତେ ସୃଷ୍ଟି ତବ ।୨୫।
ଉଣେଇସ ଅଠରରେ ପଞ୍ଚସ୍ତରୀ ବର୍ଷ
ବୟସରେ ଇହଲୀଳା କଲ ସମ୍ବରଣ
ତମ ଆବର୍ତ୍ତନରେ ମାଟି ମାଆ ଝୁରେ,
ଗୋଟେ ଯୁଗ ହେଲା ଅବସାନ।୨୬।
ହେ, ସଂକ୍ରାନ୍ତି ପୁରୁଷ ଫକୀର
ମୋହନ ଆଜି ଏ ପବିତ୍ର ଜନ୍ମ ଦିବସେ
ଚିତ୍ତରଞ୍ଜନ ନନ୍ଦ ଭକ୍ତିପୂତ ଚିତ୍ତେ
ପ୍ରଣତି ଜଣାଏ ଆଶିଷ ଲଭିବା ଆଶେ ।୨୭।
ଭାବ କୌମୁଦୀର ହେ, ଶ୍ରେଷ୍ଠ
କାରୀଗର ଓଡ଼ିଆ ଭାଷାର ପ୍ରାଣ
ବଳିଷ୍ଠ ମସୀର ପ୍ରଜ୍ଞା ପୁରୁଷ, କୋଟି
କୋଟି ଓଡିଆଙ୍କ ପ୍ରଣାମ ଘେନ ।୨୮।