STORYMIRROR

padmaja pati

Children

4  

padmaja pati

Children

କାଉଟିଏ ମୁଁ

କାଉଟିଏ ମୁଁ

1 min
11

ରାତି ପାହିବାର ବାରତା ଦିଏ ମୁଁ 
ସତର୍କ ଘଣ୍ଟାଟି ପରି 
ସ୍ୱର ମୋ କର୍କଶ ଦେହ ରଙ୍ଗ କଳା 
ତଥାପି ଖୁସି ମୁଁ ଭାରି l
ପଚାସଢା ବୋଲି ଫିଙ୍ଗିଲ ଯାହାକୁ 
ଖାଇଲି ତାହାକୁ ସୁଖେ 
ମଲା ଜୀବଜନ୍ତୁ ମଧ୍ୟ ଖାଇଗଲି 
ବିଷାଦ ନାହିଁ ମୋ ମୁଖେ l
ପରିବେଶ ସଫା ସୁତୁରା ରଖିବା
କାମ ନେଇଛି ଆଦରି
କେତେ କେତେ ପୋକଜୋକ ଖାଇ କରି
ଚାଷ ଜମି ଉପକାରୀ l
ପାଚିଲା ଫଳ ବି ଖାଏ ଶରଧାରେ
ମଞ୍ଜି ବୁଣେ ଏଣେ ତେଣେ
ନୂଆ ଗଛ ହୋଇ ବଢଇ ଜଙ୍ଗଲ
ପୃଥିବୀର କୋଣେ କୋଣେ l
ପକ୍ଷୀଙ୍କ ମଧ୍ୟରେ ମୁଁ ଯେ ବୁଦ୍ଧିମାନ
ଶନି ଦେବଙ୍କ ବାହନ
ଅସମୟେ ରାବ ଶୁଣିଲେ ମୋହର
ଡରିଥାଅ ଅକାରଣ l
ଚାଉଳ ମୁଠାଏ ଲୋଭରେ ଡାକଇ
ତୁମ ଘର ଅଗଣାରେ
ଦିଅ ବା ନ ଦିଅ ନ ଥାଏ ଶୋଚନା
ଉଡ଼ିଯାଏ ମୋ ବାଟରେ l
ପିତୃ ପୁରୁଷଙ୍କ ଶ୍ରାଦ୍ଧ ଉତ୍ସବରେ
ଭଳି ଭଳି ଖାଦ୍ୟ ବାଢି
ଚାହିଁ ରହିଥାଅ ମୋ ଆସିବା ବାଟ
ସେ କଥା ଯିବିକି ଭୁଲି?
ସାମାଜିକ ସ୍ୱାସ୍ଥ୍ୟ ଅତୁଟ ମୋହର
ଦେଖିଲେ ଖାଦ୍ୟକୁ ହସି
ନ ଖାଇ ଏକଲା ସାଥୀଭାଇ ଡାକି
ସର୍ବେ ଖାଉ ମିଳିମିଶି l
ମରିଗଲେ ଜ୍ଞାତି କୁଟୁମ୍ବ ମଧ୍ୟରୁ
ବେଢ଼ି ଚଉପାଶେ ତା'ର
ତା' ଗୁଣ ସୁମରି ମେଳି ହୋଇ କାନ୍ଦୁ
ବିଶ୍ୱାସ କର ନ କର l
ଶାଗୁଣା ଭାଇ ତ ଦେଖା ଯାଉନାହିଁ
ତା' ପରେ ପାଳି ମୋହର
ବିଷାକ୍ତ ଖାଦ୍ୟକୁ ଖାଇ ବଂଶ ମୋର
ନିପାତ ହୋଇବା ସାର l
ବଞ୍ଚିବି କିପରି ଆଜିଠାରୁ ଭାବ
ବଦଳୁ ଏ ପରିସ୍ଥିତି
ବୁଡ଼ିଲେ ମୋ କୁଳ ହେବ ଭୟାବହ
ଡାକି ଆଣିବ ଦୁର୍ଗତି l
ନ ହୁଏ ଦୁର୍ଗନ୍ଧ, ନ ବ୍ୟାପଇ ରୋଗ
ଜଗତ ହିତେ ମୋ ପ୍ରାଣ
କରିବ ବିଚାର ଦେଇ ମନଧ୍ୟାନ
ଶୁଝି ପାରିବ କି ଋଣ?





Rate this content
Log in

Similar oriya poem from Children