ବାପାଟିଏ ମୁଁ
ବାପାଟିଏ ମୁଁ
ପିଲାଏ ଶିଖିଲେ ଚାଲିବା ଖୁସିରେ
ଛାତିରେ ପାଦଟି ରଖି
କେତେ ଦୁଃଖ କଷ୍ଟ ସହିଛି ମୋ ଦେହ
ଈଶ୍ବର ସେ ଏକା ସାକ୍ଷୀ l
ମୁଣ୍ଡ ଝାଳ ତୁଣ୍ଡେ ମାରି ମାରି କଲି
ପିଲାଙ୍କୁ ମୋର ମଣିଷ
ନିଜେ ପିନ୍ଧି ଛିଣ୍ଡା ଦେଖିବାକୁ ଇଚ୍ଛା
ପିଲାଙ୍କ ଓଠରେ ହସ l
ଭୋକ, ଶୋଷ ଭୁଲି ଲାଗିଲି କାମରେ
ଧୈର୍ଯ୍ୟ ଏକା ମୋର ସାଥୀ
ପରିବାର ଲାଗି ଦେଲି ଆତ୍ମବଳି
ଜୀବନ ରଥ ସାରଥୀ l
ଅଳି ଅର୍ଦ୍ଦଳିକୁ ସବୁ ସମ୍ଭାଳିଛ
ମନରେ ନ ବହି ରୋଷ
କହେ ବା ନ କହେ ବିଭୁଙ୍କୁ ସୁମରେ
ହୃଦୟେ ରଖେ ବିଶ୍ୱାସ l
ଭାବେ ପୁଅ, ଝିଅ ମୋର ଭବିଷ୍ୟତ
ହୋଇବ କୁଳ ଉଜ୍ଜ୍ୱଳ
ଅଟନ୍ତି ସେମାନେ ବଡ଼ ଧନ ମୋର
ଆଶା ଭରସା କେବଳ l
ବଡ଼ ହୋଇ ଝିଅ ଗଲା ଶାଶୁଘର
ଛାତିରେ ଚାପିଲି କୋହ
ଯେଉଁଆଡେ ଚାହେଁ ଦିଶେ ପରା ଖାଲି
ତା'ର ହସହସ ମୁହଁ l
ଚାକିରୀ କରିବା ପରେ ପୁଅ ମୋର
ସମୟ ତ ପାଉ ନାହିଁ
ମୋ ପାଖରେ ବସି ଦୁଃଖ, ସୁଖ ହେବା
ସମ୍ଭବ ନୁହେଁ ତା' ପାଇଁ l
ଦେଖିବାକୁ ମନ ପ୍ରାର୍ଥନା ଚ୍ୟାନେଲ
ଦେଶ, ବିଦେଶ ଖବର
ନାତି କହେ ମୋର ଦେଖିବ କାରଟୁନ
ପସନ୍ଦ ଭିନ୍ନ ବୋହୂର l
ଖାଇବାକୁ ଇଚ୍ଛା ପିଠା, ମଣ୍ଡା ସହ
ବେସର, ଶାଗ ପଖାଳ
ଏ ସବୁ ଦରବ ନ ରୁଚେ କାହାକୁ
ଦେହ ପାଇଁ ପରା କାଳ l
ବଡ଼ ହୀନିମାନ ମଣିଷ ଜୀବନ
ଭାବି ଭାବି ଗଲା ଦିନ
ଆସିଲା ବାର୍ଦ୍ଧକ୍ୟ ନ ଚଳିଲା ଦେହ
କି କାମେ ଆସିବ ଧନ l
ସଞ୍ଜ ସକାଳରେ ଡାକଇ ପ୍ରଭୁଙ୍କୁ
ଶୁଣୁଥାଅ କାନ ଡେରି
ହନ୍ତସନ୍ତ ବେଶି ନ କରିବ ମୋତେ
ଏତିକି ମୋର ଗୁହାରି l
ସବୁ ତ ଦେଇଛ ଲୋଡ଼ା ଯାହା ମୋର
ଭରିଛ ମୋର ସଂସାର
ତଵ ପାଦ ତଳେ ଦିଅ ଟିକେ ଆଶ୍ରା
ହେ ପ୍ରଭୁ! ସାରଙ୍ଗଧର l
