ନିଦ ମାଉସୀ
ନିଦ ମାଉସୀ
ନିଦ ମାଉସୀ ଲୋ ଦେଏ ଆଉଁସି ତୁ
ମୋ ଗେହ୍ଲା ଆଖିକୁ ଥରେ
ତୋ ହାତ ସ୍ପର୍ଶରେ ସୁଖରେ ମୋ ଧନ
ଶୋଇଯିବ ଆନନ୍ଦରେ
ତୋ ହାତରେ ଯାଦୁ ରହିଅଛି ଭରି
ସମସ୍ତେ ଡାକନ୍ତି ତୋତେ
କି ମନ୍ତ୍ର ଜାଣିଛୁ ପିଲାଙ୍କୁ ଶୁଆଉ
କହିଦେ ଟିକେ ଲୋ ମୋତେ
ଶୋଉନାହିଁ ଧନ ଅଝଟ ହେଉଛି
ବୁଝାଇ ଲେ ବୁଝୁନାହିଁ
କୁଆଡେ ଯାଇଛୁ ଆ ମୋ ପାଖକୁ
ଗେହ୍ଲାକୁ ଦେଏ ଶୁଆଇ
ଲୋରି ବୋଲି ବୋଲି ଥକି ମୁଁ ଗଲିଣି
ଧନ ମୋର ଶୋଉନାହିଁ
ତା ପାଖରେ ବସି ମୁଣ୍ଡକୁ ଆଉଁସି
ଦେଏ ଲୋ ତାକୁ ଶୁଆଇ
ଯାହା ତୁ ମାଗିବୁ ତାହା ଦେବି ତୋତେ
କଥା ଦେଉଛି ଲୋ ମୁହିଁ
ପ୍ରତ୍ୟେକ ରାତିରେ ଆସି ବୁ ମୋ ଘରେ
ଗେହ୍ଲାକୁ ଦେବୁ ଶୁଆଇ
ରାତ୍ରି ଉଜାଗର ହେଲେ ଗେହ୍ଲା ମୋର
ଦେହ ଖରାପ ତା ହେବ
ମନ ଦେଇ ପାଠ ପାରିବନି ପଢି
ଅଳସୁଆ ହୋଇଯିବ
ପାଠ ନ ପଢିଲେ ଜୀବନ ବେକାର
କେହି ପଚାରିବେ ନାହିଁ
ସମାଜରେ ଯଦି ନ ହୋଇବ ଗଣ୍ୟ
ଜୀବନରେ ମୂଲ୍ୟ ନାହିଁ
ଭଲ ପାଠ ପଢି ଭଲ କାମ କରି
ଗେହ୍ଲା ମୋ ଜଗତଜିତା
ହୋଇବ ବୋଲି ସେ ରଖିଛି ଲୋ ଲକ୍ଷ୍ୟ
ଶୁଣ ତୁ ମୋହରି କଥା
ନିତି ନିତି ଆସି ଶୁଆଇ ଦେବୁ ଲୋ
ନିଦ ମାଉସୀଟି ମୋର
ଗେହ୍ଲା ମୋର ଟିକେ ବଡ଼ ହୋଇଗଲେ
କରିବ ତୋତେ ଜୁହାର
