ମୂଷାଟିଏ ମୁଁ
ମୂଷାଟିଏ ମୁଁ
ଘରେ କି ବାଡ଼ିରେ,ଘାସ ପଡିଆରେ
ସହର ଗଳିକନ୍ଦିରେ
ଦେଖିବାକୁ ମୋତେ ପାଇବ ସଭିଏଁ
ହାଟ ବାଟ,ବଜାରରେ l
ଛୋଟ ଛୋଟ କାନ, ଆଖି ଗୋଲ ଗୋଲ
ରଙ୍ଗ ମୋ ଧଳା, ଧୂସର
ତୀକ୍ଷ୍ଣ ଦାନ୍ତ ସହ ଲମ୍ବା ଲାଞ୍ଜଟିଏ
କ୍ଷଣେ ନୁହଇଁ ମୁଁ ସ୍ଥିର l
ଧାନ କିଆରୀରେ କରିଥାଏ ଗାତ
ଧାନ କେଣ୍ଡା ସଞ୍ଚି ରଖି
କାଟି ଲୁଗାପଟା, ବହିପତ୍ର, ବସ୍ତା
ଘରକୁ ନିଏ ପରଖି l
ପହଁରି ପାରେ ମୁଁ,ଡେଇଁପାରେ ସୁଖେ
ଗଛ ଚଢା ଧୁରନ୍ଧର
ଖାଇ ଫଳମୂଳ ପକାଏ ମଞ୍ଜିକୁ
ଏଣେ ତେଣେ ବାରମ୍ବାର l
ହୁଏ ନୂଆ ଗଛ ବଢାଇ ଜଙ୍ଗଲ
ପରିବେଶ ସାଥୀ ହୋଇ
ମୁରବୀଙ୍କୁ ମାନି ରହିଥାଏ ସୁଖେ
ଜ୍ଞାତି କୁଟୁମ୍ବଙ୍କୁ ନେଇ l
ନଷ୍ଟକାରୀ ଜୀବ ମଣିଷ ପାଇଁ ତ
ହିତାକାରୀ ବି ପ୍ରବଳ
ଜିନୀୟ ବିଜ୍ଞାନ ଗବେଷଣା କ୍ଷେତ୍ର
ମୋ ପାଇଁ ଚଳ ଚଞ୍ଚଳ l
କୋଭିଡ ଟୀକା ବି ହୋଇଛି ପ୍ରସ୍ତୁତ
ମୋ ବଂଶଧରଙ୍କୁ ନେଇ
ପାଇଛି ଆଶ୍ବସ୍ତି ମଣିଷ ସମାଜ
ଏ ବାରତା ଯାଏ ଦେଇ l
ଗଣେଶ ବାହାନ ରୂପେ ପାଏ ପୂଜା
କେଉଁ ଅନନ୍ତ କାଳରୁ
ଭୋଗରେ ମୋ ଆଶା,ଖାଇଥାଏ ସୁଖେ
ତାଙ୍କରି ଦିବ୍ୟ କୃପାରୁ l
କରିବାକୁ ଦୂର ମଣିଷ ମନରୁ
ଯେତେ ଲୋଭ, ଅହଂକାର
ପ୍ରଭୁ ଗଜାନନ ଆଦରିଲେ ମୋତେ
ଅନ୍ତ ହେବ ସମସ୍ୟାର l
ସଜାଡି ରଖେ ମୁଁ ଭବିଷ୍ୟତ ଲାଗି
ସବୁ ଦରକାରୀ ଚିଜ
ଆସୁ ଝଡଝଞ୍ଜା ନ ଥାଏ ଖାତିରି
ଶିଖୁ ମଣିଷ ସମାଜ l
ପରିସଂସ୍ଥା ଲାଗି ମୁଁ ବି ଆବଶ୍ୟକ
ଖାଦ୍ୟ କେତେ ଜୀବଙ୍କର
ଖାଇବାକୁ ମୋତେ ଗୋଡ଼ାଏ ବିଲେଇ
ଆହାର ପେଚା, ସାପର l
ପଞ୍ଚାଅଶୀ ପ୍ରତିଶତ ଯାଏ ମିଶି ପରା
ଡି.ଏନ.ଏ ମଣିଷ ସହ
ନ ହୁଏ ବିଶ୍ୱାସ କିନ୍ତୁ ଏହା ସତ୍ୟ
କା ଆଗେ କହିବି କୁହ?
ଦୂରାରୋଗ୍ୟ ବ୍ୟାଧି ଦୂର କରିବାକୁ
ଗବେଷଣାପାଇଁ ଲୋଡ଼ା
ସବୁ ଜୀବଙ୍କର ଆଶ୍ରୟ ପୃଥିବୀ
ନୁହେଁ ତ କେହି ଅଲୋଡ଼ା l
