ବିଲେଇଟିଏ ମୁଁ
ବିଲେଇଟିଏ ମୁଁ
ମୂଷା, ଝିଟିପିଟି, ଅସରପା ଖାଇ
ସଫା କରେ ତୁମ ଘର
ଅକାଳେ ସକାଳେ ଲୁଚେଇ ଖାଇଲେ
ଖାଏ ତ ଝାଡୁ ପାହାର ।
ଅଧିକ ଶୀତରେ ଚୂଲି ମୁଣ୍ଡେ ଶୋଇ
ମାରେ ମୁଁ କେତେ ଘୁଙ୍ଗୁଡ଼ି
ନିଆଁର ଧାସଟା ଅଧିକ ହୋଇଲେ
ନିଶ ମୋର ଯାଏ ପୋଡ଼ି ।
ସ୍ନେହ ଆଦରରେ ହୋଇ ଯାଏ ବନ୍ଧା
ମାଲିକ ପାଖରେ ମୁହିଁ
ଘର ଛାଡ଼ି ତା'ର ନ ଯାଏ କେଣେ ମୁଁ
ସୁଖେ ଦୁଃଖେ ଥାଏ ରହି ।
କେଉଁଠି ଆଦର ପାଏ ଦେବୀ ଭଳି
କେଉଁଠି ଗୋଇଠା ମାଡ
ସବୁ ସହି ମଣିଷର ହୁଏ ସାଥି
ଡେଇଁ ଯେତେ କଣ୍ଟା ବାଡ଼ ।
ଡି ପ୍ ଥେ ରି ଆ ରୋଗ ବାହକ ବୋଲି ମୁଁ
ପାଏ ଯେତେ ଅପବାଦ
ଅଳିଆ ଅସନା ଜମା କରି କରି
ଡାକୁଛ ନିତି ବିପଦ ।
ମଳକୁ ମୋହର ଖୋଲା ନ ପକାଇ
ଘୋଡାଏ ମାଟି,ବାଲିରେ
ବାହ୍ୟ ମଳ,ମୂତ୍ର ଗାଁ ଗଣ୍ଡା ଖାଲି
ଅଛି ନାମ ଫଳକରେ ।
କରେ ମନ ଖୁସି ଘଷି ମାଜି ହୋଇ
କେହି କେହି ଦିଏ ସ୍ନେହ
ବିରକ୍ତ ହୋଇଲେ ରୂଷି ଯାଏ ପୁଣି
ନ ମାଡ଼େ ସେ ଘର ଡିହ ।
ସବୁ ଜୀବ ଭଳି ମୁଁ ବି ଦରକାରୀ
ମନରେ ଏ କଥା ଭାବ
ମୂଷାଙ୍କ ଦାଉରୁ ଫସଲର ରକ୍ଷା
ମୋ ବିନା ନୁହେଁ ସମ୍ଭବ ।
