ଶିଶୁ
ଶିଶୁ


କଅଁଳ ଓଠରେ ତାର ମୁରୁକି ହସ
ଆଜି ସିଏ କଳି କାଲି ଫୁଲର ବେଶ
ମହକରେ ମହକିବ ତାଲାଗି ଦେଶ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ ।
ଶିଶୁଟିଏ ଦେଶ ଆଉ ଜାତିର ଆଶା
ଶିଶୁଟିଏ କାଲି ପାଇଁ ନବୀନ ଦିଶା ।
ଶିଶୁଟିଏ ସୁନାଝରା ଅଲେଖା ଖାତା
ଶିଶୁଟିଏ ବାସଭରା ଚନ୍ଦନ ଚିତା ।
ଶିଶୁଟିଏ ରଙ୍ଗଭରା ଫୁଲ ଅଗଣା
ଶିଶୁଟିଏ କୁଳୁକୁଳୁ ମିଠା ଝରଣା ।
ଶିଶୁଟିଏ ମନଜିଣା ଶୁର ଲହରୀ
ଶିଶୁଟିଏ ଚଇତାଳି ଚକା ଭଉଁରୀ ।
ଶିଶୁଟିଏ ଭରଷା ରେ ଭରେ ବିଶ୍ୱାସ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ
ଜାଣେନା ସେ ଆଲ୍ଲା ଅବା ଈଶ୍ବର ଯୀଶୁ
ସବୁ ମନ କିଣିନିଏ ସେ ହସୁ ହସୁ ।
ଉଚ୍ଚ ନିଚ୍ଚ ଭେଦଭାବ ତା ମନେ ନାହିଁ
ଛୁଆଁ ଅଛୁଆଁ ତ ତାକୁ ପାରିନି ଛୁଇଁ ।
ବୁଝେନା ସେ କିଏ ଧନୀ କିଏସେ ମାନି
ମନ ତାର ନିରିମଳ ପାଦୁକ ପାଣି ।
ଚିକିଟା ମାଟି ପିଣ୍ଡୁଳା ନରମ ଭାରି
ଗଢିବା ଯତନେ ତାକୁ ସୁନ୍ଦର କରି ।
ହେବ ଦିନେ ଯେମିତି ସେ ଭଲ ମଣିଷ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ
ଯାହା ତାକୁ ଶିଖାଇବା ଶିଖିବ ସିଏ
ନିଜ ପାଇଁ ନୂଆ ଗପ ଲେଖିବ ସିଏ ।
ଭଲ କଥା ତା କାନରେ କହିବା ସଦା
ଭଲ କାମ କରିବାକୁ ଉତ୍ସାହ ଦେବା ।
ବଡଙ୍କୁ କରିବ ଭକ୍ତି ସାନଙ୍କୁ ସ୍ନେହ
ଈଶ୍ୱରଙ୍କ ପ୍ରତି ସଦା ରଖିବ ଲୟ ।
ଡରାଇବା ନାହିଁ କେବେ କରିଲେ ଯିଦି
ବୋଝ ଦେବା ନାହିଁ ଜମା ତାପରେ ଲଦି ।
p>
ସବୁବେଳେ ମନେ ଭରି ଦେବା ସାହସ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ
ମିଠା କଥା କହି ତାକୁ ପଢାଅ ପାଠ
ଭଲ ବାଟେ ଯିବାପାଇଁ ଦେଖାଅ ବାଟ ।
ଖେଳିବା ପାଇଁକି କେବେ କରନି ମନା
ହସ ଖୁସି ନାଚ ଗୀତେ ଦିଅ ପ୍ରେରଣା ।
ଭୁଲ୍ କଲେ ଦିଅ ନାହିଁ କଠିନ ଦଣ୍ଡ
ଦଣ୍ଡ କରିଦେବ ତାର ସପନ ପଣ୍ଡ ।
ମନକୁ ତା ବାପା ମାଆ ପାରିଲେ ବୁଝି
ଅବାଟରେ ଯିବ ନାହିଁ ପିଲାଟି ହଜି ।
ସବୁଠି ଜିତିବ ପାଇ ଶ୍ରଦ୍ଧା ପରଶ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ
ବଡ ମଣିଷ ଙ୍କ ଯେତେ ଗପ କାହାଣୀ
ଶିଶୁଟିଏ ପାଇଁ ସେତ ଅମୃତ ବାଣୀ ।
ସେ ଅମୃତଧାରା ତାର ମନେ ବୁହାଇ
ଆଗକୁ ଯିବାକୁ ଯିବା ରାହା ଦେଖାଇ ।
ଚଲାବାଟେ ଚାଲୁଚାଲୁ ଗଲେସେ ଥକ୍କି
ଭରଷା ହୋଇବା ମନେ ସିନେହ ମାଖି ।
ଜିତିଗଲେ ତା ପାଇଁ ଖୁସି ମନାଇବା
ହାରିଗଲେ ଜିତିବାକୁ ସାହସ ଦେବା ।
ଭରିବାନି ଶିଶୁ ମନେ ଅନ୍ଧବିଶ୍ବାସ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ
ସୁସ୍ଥ ପରିବେଶ ସ୍ନେହ ଶରଧା ଡୋରି
ଶିଶୁର ଜୀବନେ ଦିଏ ସାହସ ଭରି ।
ବଡ ହେବା ପାଇଁ ସିଏ ଦେଖେ ସପନ
ଭବିଷ୍ୟତ ଗଢିବାକୁ ନିଏ ଯତନ ।
ବଢିବା ଗଢିବା ଯଦି ଭଲରେ ହୁଏ
ଭଲ ନାଗରିକ ସେହି ଶିଶୁଟି ହୁଏ ।
ନାଗରିକ ହେଲେ ଭଲ ଦେଶ ଆଗାଏ
ସାରା ବିଶ୍ବକୁ ସେ ନୂଆ ସନ୍ଦେଶ ଦିଏ ।
ରଖେ ସିଏ ଜାତି ଆଉ ଦେଶର ଯଶ
ଶିଶୁ ସିଏ ଦେଶ ପାଇଁ ଶୁଭ ଆଶିଷ