STORYMIRROR

DILIP KUMAR SAHOO

Inspirational Children

4  

DILIP KUMAR SAHOO

Inspirational Children

ମାଆ ସରସ୍ଵତୀ ଓ କାଳିଦାସ

ମାଆ ସରସ୍ଵତୀ ଓ କାଳିଦାସ

5 mins
302



ମାଆ ଗୋ ସନାତନୀ ସୌମ୍ୟା ସରସ୍ୱତୀ

ଶତଶତ ପ୍ରଣିପାତ ମା ବିଦ୍ୟାଦାତ୍ରୀ ।

ମେଧାବୀ ମହାବିଦ୍ୟା ମେଧା ମହାଶ୍ବେତା

ସୁରଭା ସୁରଦାୟିନୀ ସୁରବନ୍ଦିତା ।

ସ୍ବେତପଦ୍ମା ପଦ୍ମାସନୀ ହେ ପଦ୍ମପ୍ରିୟା

ଭଗବତୀ ଭାରତୀ ମାଆ ମହାମାୟା ।

 ଦୟାମୟୀ ଅସୀମ ମହିମା ତୁମରି

ହେବନି ବଖାଣି ମା ଦିନ ଯିବ ସରି ।

ମୂର୍ଖ ତ ଜ୍ଞାନୀ ହୁଏ ତୁମେ ଦୟା କଲେ

ତୁମ ଲାଗି କାଳିଦାସ ପଣ୍ଡିତ ହେଲେ ।

ଅବନ୍ତି ନାମରେ ସେ ଥିଲା ଏକ ନଗ୍ର

ସଦାଶିବ ନାମେ ଯେ ଥିଲେ ଜଣେ ବିପ୍ର ।

ଶାନ୍ତାଦେବୀ ପତ୍ନୀ ତାଙ୍କ କାଳୀ ଭକତ

ମାଆ ଙ୍କୁ କରେ ପୂଜା ହୋଇ ଏକ ଚିତ୍ତ ।

କାଳୀଙ୍କ ଦୟାରୁ ସେ ବିପ୍ର ପରିବାର

ପୁତ୍ର ସନ୍ତାନ ପାଇ ଆନନ୍ଦେ ଅଧୀର

କାଳୀଙ୍କ ଦୟା ଯୋଗୁ ହୋଇ ହସହସ  

ପୁତ୍ର ନାମ ଦେଲେ ସେ କାଳିଦାସ ।


କାଳିଦାସ ପିଲାବେଳୁ ଥିଲେତ ଦୁଷ୍ଟ

ତାଙ୍କ ଯୋଗୁ ମାଟି ପାଣି ସବୁ ଅତିଷ୍ଠ ।

ବିଦ୍ୟା ଅରଜନ ପାଇଁ ନଥିଲା ଧ୍ୟାନ

ବ୍ରାହ୍ମଣ ସନ୍ତାନ ସେ ମୂର୍ଖ ହେଲା ଜାଣ ।

କୈଶୋର ଆସିଲା ଯେବେ ଶୈଶବ ଯାଇ

କାଳିଦାସ ଗୁଣ ତ ବଦଳିଲା ନାହିଁ ।

ପୁତ୍ର ର ଚିନ୍ତାରେ ସେ ସଦାଶିବ ବିପ୍ର

ଅକାଳେ ଚାଲିଗଲା ପରାଣ ତାଙ୍କର ।

ତେଣେ ମାଣିକେଶ୍ବର ଗୌଡ ଦେଶ ରାଜା

ସୁଖେ ପାଳୁଥିଲେ ସିଏ ତାଙ୍କ ପରଜା ।

ଦାନ ଧରମେ ସଦା ଥିଲା ତାଙ୍କ ମନ

ପ୍ରଜାମାନେ କରୁଥିଲେ ନିତି ଜୟଗାନ ।

ମାଣିକେଶ୍ବର ଙ୍କ କନ୍ୟା ସେ ବିଦ୍ୟାବତୀ

ଅପରୂପା ସୁନ୍ଦରୀ ସୁଜ୍ଞାନୀ ସୁମତୀ ।

ସ°ସ୍କୃତ ସାହିତ୍ୟେ ସେତ ଥିଲେ ପ୍ରବୀଣା

ବଡବଡ ପଣ୍ଡିତଙ୍କୁ କରନ୍ତି ବଣା ।

ବିବାହ ବୟସ ଯେବେ ତାଙ୍କ ହେଲାତ

ବିଦ୍ୟାବତୀ ରଖିଲେ ବଡ ଏକ ସର୍ତ୍ତ 

ବିଦ୍ୟା ବୁଦ୍ଧି ରେ ଯିଏ ତାଙ୍କୁ ହରାଇବେ

ସ୍ବାମୀ ରୂପେ ଜେମା ତାଙ୍କୁ ବରିବେ


ଏହି ସମ୍ବାଦ ଯେବେ ରଟିଲା ଜଗତ

ଚଉଦିଗୁ ଆସିଲେତ କେତେ ପଣ୍ଡିତ ।

ବିଦ୍ୟାବତୀ ପାସେ ସବୁ ଯାଆନ୍ତି ହାରି

ମୁହଁ ତଳକରି ସେ ଯାଉଥାନ୍ତି ଫେରି ।

ଦିନେ ଶାନ୍ତାଦେବୀ କାଳିଦାସଙ୍କୁ ଚାହିଁ

କହିଲେ ଧନ ଘରେ କାଠ ଜମା ନାହିଁ ।

କାଠ ଆଣିଲେ ବାବୁ ଜଙ୍ଗଲ କୁ ଯାଇ

ଜଳିବ ଚୂଲି ଆମ ହୋଇବ ରୋଷେଇ ।

କୁରାଢୀ ହାତରେଧରି କାଳି ଚଳିଲେ

ଶୁଖିଲା ଗଛଟେ ଦେଖି ତହିଁ ଚଢିଲେ ।

ଡାଳ ଉପରକୁ ଯାଇ ମୂଳୁ କାଟନ୍ତି

ମହାମୂର୍ଖମାନେ ତ ଏପରି କରନ୍ତି ।

ହାରିଯାଇ ଲାଜରେ ପଣ୍ଡିତ ସକଳ

ଫେରିବା ସମୟେ ସେ ହୋଇ ଦଳଦଳ ।

ବନେ ପଥେ ଦେଖିଲେ କାଳିଦାସ କାର୍ଯ୍ୟ

ବିଚାରିଲେ ସେ ଏହା ଅପୂର୍ବ ସୁଯୋଗ ।

ଏହାଠାରୁ ମୂର୍ଖ କେହି ଜଗତେ ନାହିଁ

ଡାଳେ ଚଢି ମୂଳେ ଯେ କୁରାଢୀ ମାରଇ ।

ଗୌଡ ରାଜଜେମାପାଇଁ ଯୋଗ୍ୟତ ସେହି

ଉପାୟ କଲେ ପ୍ରତିଶୋଧ ପାଇଁ


କାଳିଦାସଙ୍କୁ ଡାକି କହିଲେ ବୁଝାଇ

ଗୌଡ ଜେମା ତୁମର ବାଟଛନ୍ତି ଚାହିଁ ।

ତୁମ ସାଥେ କେଇପଦ କଥା ସେ ହୋଇ

ବରିବେ ତୁମକୁ ସେ ବରମାଲ୍ୟ ଦେଇ ।

ଧୀରସ୍ଥିରେ ନୀରବେ ବସିବ ସେଠାରେ

ତାଙ୍କ ପ୍ରଶ୍ନ ଉତ୍ତର ଦେବ ସଙ୍କେତ ରେ ।

ଆଉସବୁ କଥା ତ ସମ୍ଭାଳିବୁ ଆମେ 

ନିଶ୍ଚେ ହେବ ଜେମାଙ୍କ ପ୍ରାଣପ୍ରିୟ ତୁମେ ।

କାଳିଦାସ ଙ୍କୁ ସାଥିରେ ନେଇ ପଣ୍ଡିତ

ପୁଣି ଗୌଡଦେଶରେ ହେଲେ ଉପଗତ ।

କହିଲେ ଆସିଛନ୍ତି ସାଥେ ଗୁରୁ ଆମ

ନାହିଁ ପଣ୍ଡିତ ଜଣେ କେହି ତାଙ୍କ ସମ ।

ତର୍କ ବିତର୍କେ ଗୁରୁ ନୀରବେ ବସନ୍ତି

ସଙ୍କେତ ରେ ସବୁ ସେ ଉତ୍ତର ଦିଅନ୍ତି ।

ଜେମାଦେଇ ଗୁରୁଙ୍କୁ ପଚାରନ୍ତୁ ଯାହା

ସଙ୍କେତ ରେ ଉତ୍ତର ପାଇଯିବେ ଆହା ।

କାଳିଦାସ ଙ୍କ ସର୍ତ୍ତରେ ଦେଇ ସମ୍ମତି

 ପରଖିଲେ ବୁଦ୍ଧି ତ ଜେମା ବିଦ୍ୟାବତୀ

ସଙ୍କେତ ରେ ପ୍ରଶ୍ନ କୁ ସଙ୍କେତେ ଉତ୍ତର

ଚାହିଁଥାନ୍ତି ରାଜା ରାଣୀ ଆବର


ସାରା ରାଜ ଦରବାର ଚାହିଁ ତ ଥାନ୍ତି

ହାରନ୍ତୁ ରାଜଜେମା ସବୁ ଭାବୁଥାନ୍ତି।

ପରାଜିତ ହୋଇଥିବା ସବୁ ପଣ୍ଡିତ

ପ୍ରତିଷୋଧ ପାଇଁ ସେ ହେଉଥାନ୍ତି ବ୍ଯସ୍ତ ।

ହସିହସି ବିଦ୍ୟାବତୀ କାଳିଙ୍କୁ ଚାହିଁ

ଗୋଟିଏ ଅଙ୍ଗୁଳି ତାଙ୍କ ଦେଲେ ଦେଖାଇ ।

ଅଙ୍ଗୁଳି ଦେଖି ସେହି ମୂର୍ଖ କାଳିଦାସ

ଭାବିଲେ ରାଜକନ୍ୟା ଭାରିତା ସାହସ ।

ଆଖି ଗୋଟିଏ ମୋର ଫୁଟାଇବା ପାଇଁ

ଅଙ୍ଗୁଳି ନିର୍ଦେଶ କରେ ମୋ ଆଡେ ଚାହିଁ ।

ତା ଦୁଇ ଆଖି ଆଗ ଦେବି ମୁଁ ଫୁଟାଇ

ରକ୍ଷା କରି ପାରିବେନି ତାକୁ ତ କେହି ।

ସେଥିପାଇଁ କାଳିଦାସ ଅଙ୍ଗୁଳି ଦୁଇ

ଦେଖାଇଲେ ରାଜଜେମା ମୁହଁକୁ ଚାହିଁ ।

ଦୁଇ ଅଙ୍ଗୁଳି ଦେଖି ଜେମା ଖୁସି ହେଲେ

ପ୍ରଶ୍ନ ର ଉତ୍ତର ସେ ସତେ ପାଇଗଲେ ।

ଏକ ଅଙ୍ଗୁଳିରେ ତାଙ୍କ ପ୍ରଶ୍ନ ଥିଲାଟି

ବ୍ରହ୍ମାଣ୍ଡେ ବ୍ରହ୍ମ ଏକ ଦ୍ବିତୀୟ ନାହିଁ ଟି।

ଦୁଇ ଅଙ୍ଗୁଳି ଦେଖି ବୁଝିପାରିଲେଟି

ବ୍ରହ୍ମରୁ ଜାତ  ପୁରୁଷ ପ୍ରକୃତି 


ତିନୋଟି ଅଙ୍ଗୁଳି ଏବେ ଜେମା ଦେଖାଇ

ପଚାରିଲେ ତ୍ରୀଗୁଣ ଜାଣିଛକି ନାହିଁ ।

କାଳିଦାସ ସେହି ତିନି ଅଙ୍ଗୁଳି ଦେଖି

ଭାବନ୍ତି ମାରିବ ମୋତେ ଫୁଟାଇ ଆଖି ।

ତହୁଁ ସେ ଦେଖାଇଲେ ଚାରୋଟି ଆଙ୍ଗୁଠି

ଆଖି ଫୁଟାଇ ଦେବେ ପ୍ରହାର ସବୁଠି ।

ରାଜଜେମା ଭାବୁଥାନ୍ତି ପଣ୍ଡିତ ବର

ଦେଇଛନ୍ତି ପ୍ରଶ୍ନର ସଠିକ ଉତ୍ତର ।

ତ୍ରୀଗୁଣ ପ୍ରାପ୍ତି ପାଇଁ ସହଜ ସେ ମାର୍ଗ

କରେ ଯିଏ ନିଇତି ସେତ ଚାରି ଯୋଗ

ପାଞ୍ଚ ଆଙ୍ଗୁଠି ଦେଖାଇ ଜେମାଯେ କହେ

ପାଞ୍ଚ ମନ ନିୟନ୍ତ୍ରଣ କିପରି ହୁଏ ।

କାଳିଦାସ ଭାବୁଥାନ୍ତି ଭଲା ଏ ନାରୀ

କଲବଲ କରିବକି ଚାପୁଡା ମାରି !

ଚାପୁଡାର ଉତ୍ତର ମୁଥେ ଦେବାପାଇଁ

ଦାସେ ବସିଲେ ତାଙ୍କ ହାତ ଯୋଡିଦେଇ ।

ବିଦ୍ଯାବତୀ ଭାବିଲେ ଭଜନ କିର୍ତ୍ତନ

ପାଞ୍ଚ ମନ ପକୃତି କରେ ନିୟନ୍ତ୍ରଣ ।

ରାଜଜେମା ପରାଜୟ କଲେ ସ୍ବୀକାର

କାଳିଦାସ ଙ୍କୁ କଲେ ନମସ୍କାର


ଖୁସିହେଲେ ରାଜା ସେ ରାଜ ପରିବାର

ପରାଜିତ ପଣ୍ଡିତଙ୍କ ଖୁସି ଅପାର ।

ଆଡମ୍ବରରେ ରାଜା କନ୍ୟା ଦାନ କଲେ

ନବଦମ୍ପତି ଖୁସିରେ ତହିଁ ରହିଲେ।

ଥରେଏକ ରଜନୀରେ ସ୍ବାମୀ ସ୍ତ୍ରୀ ମିଶି

ହେଉଥିଲେ ଥଟ୍ଟା ମଜା ପ୍ରିତିରେ ରସି ।

ଏସମୟେ ଓଟ ଏକ ରଡି ଛାଡିଲା

ବିଦ୍ୟାବତୀ ସ୍ବାମୀଙ୍କୁ ପ୍ରଶ୍ନ ଟିଏ କଲା ।

ଅସ୍ତି କଶ୍ଚିତ୍ ବାଗ୍ବିଶେଷ ହେ ପଣ୍ଡିତ

ଅର୍ଥ ଯାର ଏଠାରେ ଅଛିକେ ବାଗୀଶ ?

 କାଳିଦାସ ଯେ କାହୁଁ ସ°ସ୍କୃତ ବୁଝନ୍ତେ

ଓଟ ଟିଏ ରାବୁଛି କହିଲେ ତୁରିତେ ।

ଏମିତି ଉତ୍ତର ରେ ଜେମା ବିଦ୍ୟାବତୀ

ବିଚଳିତ ହୋଇ ସେ କୋପେ ଗରଜନ୍ତି ।

ମୂର୍ଖମୂର୍ଖ କହି ଜେମା ଗର୍ଜନ କଲେ

କାଳିଦାସ ଙ୍କ ଦେହେ ପଦାଘାତ କଲେ ।

ପତ୍ନୀ ଠାରୁ ଲାଞ୍ଛନା ପାଇ କାଳିଦାସ

 ଘନ ଅନ୍ଧାକାରେ ସେ ତେଜିଲେ ଉଆଶ ।

ଜୀବନ ଉପରୁ ତ ତୁଟିଗଲା ଆଶା     

ବନେ ପ୍ରବେଶିଲେ ହୋଇ ହତୋତ୍ସା


ହୀ°ସ୍ର ବନ୍ୟ ପଶୁ ପକ୍ଷୀ ନଥିଲା ଡର

ଆତ୍ମହତ୍ୟା ପାଇଁ ମନେ କରିଲେ ସ୍ଥିର ।

ଏ ସମୟେ ଋଷି ଜଣେ ଦେଖାତ ଦେଇ

ବୁଝାଇ କହିଲେ ସେ ଧୈର୍ଯ୍ୟ ଧର ତୁହି ।

ଆତ୍ମହତ୍ୟା ନୁହେଁରେ ସମାଧାନ ବାଟ

ଆତ୍ମହତ୍ୟା ପାପ ନୁହେଁ ସେ ମହାପାପ ।

କାଳିଦାସ ଋଷିଙ୍କ ପାଦରେ ପ୍ରଣମି

କହିଲେ କୁହ କେମିତି ହୋଇବି ଜ୍ଞାନୀ ।

ହସିହସି ଋଷି ବର ଦେଲେ ବୁଝାଇ

ସରସ୍ୱତୀଙ୍କୁ ଡାକ ଜ୍ଞାନ ଦେବେ ସେହି ।

କେଉଁଠି ଅଛନ୍ତି ସେହି ମା ଜ୍ଞାନଦାତ୍ରୀ

ଜ୍ଞାନ ଅରଜିବି ତାଙ୍କ ସେବା ମୁଁ କରି ।

ଋଷି ଯେ ଗଲେ ବୁଝି ମହା ମୂର୍ଖ ଏତ

ତାକୁ ବୁଝାଇବା ସେ ଅଟେ ଭାରି କଷ୍ଟ ।

ଅଳ୍ପ ହସି ଋଷି ଯେ କହିଲେ ବୁଝାଇ

ନାକ ସଳଖେ ଯାଅ ଆଗକୁ ଆଗେଇ ।

ଗଲାପରେ ବହୁଦୂର ମା ଭେଟ ହେବେ

ତାଙ୍କୁ ତୋଷକଲେ ସେ ବିଦ୍ୟାଦାନ ଦେବେ ।

କାଳିଦାସ ଋଷିଙ୍କୁ ପ୍ରଣାମ କରିଲେ

ନାକ ସଳଖେ ଆଗେଇ ଚାଲିଲେ


କେତେ ଦିନ କେତେ ରାତି ଗଲାଯେ ବିତି

ଚାଲୁଥାନ୍ତି କାଳିଦାସ ମା ନାମ ଚିନ୍ତି ।

ଏମିତି ବାଟରେ ଏକ ନଦୀ ପଡିଲା

ସେ ପାରି ଯିବା ପାଇଁ ପଥ ନମିଳିଲା ।

ଋଷି କହିଛନ୍ତି ନାକ ସଳଖେ ଯିବ

ବାଟ ଭାଙ୍ଗି ଗଲେ କାଳେ ଅନର୍ଥ ହେବ !

ସେଥିପାଇଁ ନଦୀଜଳେ ସେ କାଳିଦାସ

ନଦୀ ପାରି ହେବାପାଇଁ କଲେ ପ୍ରବେଶ ।

ଏ ସମୟେ ବୃଦ୍ଧା ଜଣେ ହେଲେ ତ ଉଭା

ପଚାରିଲେ ବିଚଳିତ କାହିଁକି ବାବା ।

କାଳିଦାସ ମନକଥା ତାଙ୍କୁ କହିଲେ

ନଦୀ ପାର ପାଇଁ ସେ ନଦୀରେ ପସିଲେ ।

କାଳିଦାସ ଙ୍କ ସେହି ଭକ୍ତି ଭାବ ଦେଖି

ଆନନ୍ଦରେ ଛଳଛଳ ବୃଦ୍ଧାଙ୍କ ଆଖି ।

ତହୁଁ ବୃଦ୍ଧା ଦେଖାଇଲେ ନିଜ ସ୍ବରୂପ

ଭାରତୀ ଜ୍ଞାନଦାତ୍ରୀ ସରସ୍ୱତୀ ରୂପ ।

ପରୀକ୍ଷା ପାଇଁ ତୋର ରଚି ମୟା ନଈ

ଦେଖୁଥିଲି ନିଷ୍ଠା ତୋ ମାତୃ ପୂଜା ପାଇଁ ।

ମାଆଙ୍କ ପାଦତଳେ କାଳିଦାସ ପଡି

ଦିଅ ଜ୍ଞାନ ମା କାନ୍ଦିଲେ ଜାବୁଡି


ସରସ୍ୱତୀ କହିଲେ ତୋର ହୀନ ଭାଗ୍ୟ

ସାତଜନ୍ମ ଯାଏ ନାହିଁ ତୋ ବିଦ୍ୟା ଯୋଗ ।

ଭାଗ୍ୟହୀନ ଜାଣି କାଳି ରୋଦନ କଲେ

ଜୀବନ ହାରିବା ପାଇଁ ପଣ କରିଲେ।

ସନ୍ତାନ ହାରିବ ପ୍ରାଣ ସହିବ କି ମା

ଦୟାବହି ଜନନୀ ଦେଖାଇଲେ ରାହା ।

 ସରୋବର ଏକ ସେ ସରଜିଲେ ତହିଁ

କହିଲେ କାଳିଦାସ ସ୍ନାନ କରଯାଇ।

ଜଳରେ ସାତଥର ବୁଡିବ ଉଠିବ

ସାତ ଜନମ ଦୋଷ ତୋର ତୁଟିଯିବ ।

ମାଆଙ୍କ କଥାମାନି କାଳିଦାସ ଗଲେ

ସାତଥର ବୁଡ ମାରି ସ୍ନାନ କରିଲେ ।

ସାତ ଜନମ ଦୋଷ ସବୁ ତୁଟିଗଲା

ଜ୍ଞାନ ପ୍ରଦୀପ ତାଙ୍କୁ ମହାକବି କଲା ।

ମତା ସରସ୍ବତୀଙ୍କ କରୁଣା ଅସୀମ

କାବ୍ୟଯେ ଲେଖିବାକୁ ହେଲେ ସେ ସକ୍ଷମ ।

ସ°ସ୍କୃତ ଭାଷାର ଯେଉଁ ଶବ୍ଦ ପାଇଁକି

ଅପମାନିତ କାଳି ଲାଞ୍ଛନା ସହିକି ।

ପ୍ରଥମେ ଲେଖିଲେ କାବ୍ୟ ସେ ଶବ୍ଦ ନେଇ

ଅମୂଲ୍ୟ ସାହିତ୍ୟ ଯାର ତୁଳନା ନାହିଁ।


ଅସ୍ତି ରୁ ଲେଖିଲେ ଯେ କୁମାର ସମ୍ଭବ

କଶ୍ଚିତ ରୁ ମେଘଦୂତ ସେ ମହାକାବ୍ୟ ।

ବାଗ୍ବିଶେଷ ଶବଦୁ କାବ୍ୟ ରଘୁବ°ଶ

ତାପରେ ଲେଖିଚାଲିଲେ କାବ୍ୟ ଅଶେଷ।

ଅଭିଜ୍ଞାନ ସକୁନ୍ତଳ ଋତୁ ସ°ହାର

ମାଳବିକାଗ୍ନିମିତ୍ରମ୍ କାବ୍ୟ ସମ୍ଭାର ।

ମାତା ସରସ୍ଵତୀ ଙ୍କ ମହିମା କାହାଣୀ

ପବିତ୍ର ହୁଏ କର୍ଣ୍ଣ ସେ କାହାଣୀ ଶୁଣି ।

ମତା ସରସ୍ଵତୀଙ୍କ କରୁଣା ଅଶେଷ

ତାଙ୍କ ଯୋଗୁ ମହାକବି ସେ କାଳିଦାସ  ।         

କବି ଆଉ କଳାକାର ଶିଳ୍ପୀ ପଣ୍ଡିତ

ସମସ୍ତେ ମାଆଙ୍କର ପାଦରେ ଆଶ୍ରିତ ।

ନ ଆସିବା ପଦ ମା ଦିଅନ୍ତି ବତାଇ

ବାଟ ହୁଡିଲେ ବାଟ ଦିଅନ୍ତି ଦେଖାଇ ।

ଭାବ ଭକତିରେ ଯେ କରେ ତାଙ୍କ ଧ୍ୟାନ

ଅଜ୍ଞାନକୁ ଜ୍ଞାନ ମା କରିଥାନ୍ତି ଦାନ ।

ଶତଶତ ପ୍ରଣିପାତ ମାଙ୍କ ପାଦରେ

ଚାହିଁ ଥିବ ମାଆ କୃପା ନେତ୍ରରେ



Rate this content
Log in

Similar oriya poem from Inspirational