Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ଗର୍ବରେ କହ ଓଡିଆ ମୁହିଁ

ଗର୍ବରେ କହ ଓଡିଆ ମୁହିଁ

2 mins
503


ଗର୍ବରେ କହ     କହରେ ଭାଇ

    ଓଡିଆ ଅଟେ ମୁହିଁ

ଓଡିଶା ମୋର    ଜନମ ମାଟି

    ତା'ପରି କେହି ନାହିଁ ||


ଏଇ ରାଇଜ    ପାଣି ପବନ

    ମାଟିରେ ମୋର ଦେହ

ହୋଇଛି ଗଢା    ମିଶିବ ଶେଷେ

    ସେଥିରେ ମୋର ଦେହ ||


ମହାନଦୀ ଯା    ଶରୀର ଧୁଏ

    ବହେ ଯହିଁ ବ୍ରାହ୍ମଣୀ

ପୁ୍ଣ୍ୟତୋୟା ତା   ପବିତ୍ର ନୀରେ

     ବହଇ ବୈତରଣୀ ||


ବୁଢା ବଳଙ୍ଗ    ସୁବର୍ଣ୍ଣ ରେଖା

     ବହନ୍ତି ତାର ଦେହେ

ଋଷିକୁଲ୍ୟାଦି    ନଦୀର ଜଳେ

     ଓଡିଶା ଅବଗାହେ ||


ଦୟା ନଦୀର   ପବିତ୍ର ନୀର

     ତା ବୀର ଗାଥା କହେ

ଓଡିଆ ପୁଅ    ଭାରି ସାହସୀ

    ଭୟାଳୁ ମୋଟେ ନୁହେଁ ||


ମରିବ ପଛେ     ଡରିବ ନାହିଁ

      ଓଡିଆ ପୁଅ ଆମ

 ଚଣ୍ଡାଶୋକଙ୍କୁ     ଧର୍ମାଶୋକରେ

     ଗଢିବା ଆମ କାମ ||


ଓଡିଆ ପୁଅ   ହାତରେ ବୁଣା

     ସମ୍ବଲପୁରୀ ପାଟ

ମଣିଆଁବନ୍ଧ   ପାଟ ଲୁଗାର

     କମ୍ ନୁହଇ ଥାଟ ||


ଆମ ପିପିଲି     ଚାନ୍ଦୁଆ କିଣେ

       ସାରା ଜଗତ ପ୍ରାଣ 

ଆମ ରାଇଜ      ତନ୍ତବୁଣାର

     ପ୍ରସିଦ୍ଧି ବିଶ୍ୱେ ଜାଣ ||


ସୁନା ରୂପାର     ତାରକସିରେ

     କଟକ ନଗ୍ର ଆମ

ବିଶ୍ୱେ ପ୍ରସିଦ୍ଧ     ଅଟଇ ଜାଣ

   ତା' ତାରକସି କାମ ||


କଳା ସ୍ଥାପତ୍ୟେ    ଉତ୍କର୍ଷ ଲାଭ

     କରି ଅଛଇ ବୋଲି

ଉତ୍କଳ ଆମ      ରାଇଜ ନାମ

       କହନ୍ତି ମୁହଁ ଖୋଲି ||


ସମ୍ବଲପୁରେ      ମା' ସମଲେଇ

     କଟକରେ ମା ଚଣ୍ଡୀ

କାକଟପୁରେ     ମାଆ ମଙ୍ଗଳା  

      ଅର୍କେ ମା ରାମଚଣ୍ଡୀ ||


ଚିଲିକାରେ ମାଆ      କାଳିଜାଇ-

       ବାଣପୁରେ ଭଗବତୀ

ଗଞ୍ଜାମରେ ମାଆ    ତାରା ତାରିଣୀ

      ପାଦେ ଓଡିଆ ମତି ||


ଯାଜପୁରେ ମାଆ    ବିରଜା ରହି

    ଦଶାଶ୍ୱମେଧ ଘାଟେ

ସାହା ହୁଅନ୍ତି     ପ୍ରତି ଓଡିଆର

   ଆପଦେ ଓ ସଂକଟେ ||


ପାଟଣା ଗଡେ    ପାଟଣେଶ୍ୱ ରୀ

    ଘଟଗାଁ ମା' ତାରିଣୀ

ଓଡିଆପୁତ୍ରେ    ସବୁ ସଂକଟୁ

    ତାରନ୍ତି ମା ତାରିଣୀ ||


 ବାଙ୍କୀରେ ରହି   ମାଆ ଚର୍ଚ୍ଚିକା

    ବର୍ଷି  କରୁଣା ବାରି

ଓଡିଆ ପୁତ୍ରେ   ସୁଖେ ରଖନ୍ତି

     ଦୁଃଖକୁ ତାଙ୍କ ହରି ||


 ବିରାଟ ଗଡ    ଖୀଚିଂ କ୍ଷେତ୍ରରେ

   ମାଆ କିଚକେଶ୍ୱରୀ

ଆଶିଷ ବଳେ    କେସନା ବାସୀ

     ମୁଗୁନୀରେ ଯାଦୁଗରୀ ||


 ଶ୍ରୀକ୍ଷେତ୍ର ପୁରୀ     ଧାମରେ ରହି

     ପ୍ରଭୁ କଳା ଶ୍ରୀମୁଖ

ନାନା ବେଶରେ     ସଜେଇ ହୋଇ

       ହରନ୍ତି  ସର୍ବ ଦୁଃଖ ||


ତାଙ୍କ  ଆଶିଷ      ଲଭି ଓଡିଆ

       ସ୍ଥପତି କୋଣାର୍କରେ

ବିଶ୍ୱ ପ୍ରସିଦ୍ଧ       ସୂର୍ଯ୍ୟ ମନ୍ଦିର

      ଗଢିଲା ସିନ୍ଧୁ ନୀରେ ||


 ଶ୍ରୀଲୋକନାଥ    ପ୍ରତି ଓଡିଆ

      ମୁଖେ ଫୁଟାନ୍ତି ହସ

ଶ୍ରୀକ୍ଷେତ୍ରେ ରହି    ସଦା ଦିଅନ୍ତି

     ତାଙ୍କ କରୁଣାଶିଷ ||


ଭୁବନେଶ୍ୱର      ମନ୍ଦିର ନଗ୍ର

     ଓଡିଶା  ରାଜଧାନୀ

ଲିଙ୍ଗରାଜଙ୍କ     ବିନ୍ଦୁସାଗର

     ପବିତ୍ର ପୁଷ୍କରିଣୀ ||


କେଦାର ଗୌରୀ   ମନ୍ଦିର ଠାରେ

      କେଦାର ଗୌରୀ କୁଣ୍ଡେ

ଅମର ପ୍ରେମ      କାହାଣୀ କହେ

    ରହିଯା' ସେଠି ଦଣ୍ଡେ ||


ରାଜରାଣୀରେ     ପ୍ରସ୍ତର ଦେହେ

     ଉତ୍କଳ ସ୍ଥାପତ୍ୟର  

କଥା ଶୁଣାଏ       ଅନତିଦୂରେ

      ମେଘେଶ୍ବର ମନ୍ଦିର ||


ଉଦୟଗିରି     ଖଣ୍ଡଗିରିରେ

    ଖାରବେଳଙ୍କ କୀର୍ତ୍ତି

ହାତୀ ଓ ସର୍ପ     ଗୁମ୍ଫା ହେଉକି

   ସେଠାକା ଜୈନ ମୂର୍ତ୍ତି ||


ଧଉଳି ଗିରି      ଶାନ୍ତିର ସ୍ତୂପ

    ଶାନ୍ତି ବାରତା ଦିଏ

“ହେ ବିଶ୍ୱଜନ    ଯୁଦ୍ଧ ତେଜିଣ

     ଶାନ୍ତିରେ ରୁହ” କହେ ||


କଟକ ନଗ୍ର      ବାରବାଟୀର

    ଭଗ୍ନ  ପ୍ରାଚୀର ପାଶେ

ଗଡଖାଇର    ଜଳର ମଧ୍ୟେ

     ବୀରର ଆତ୍ମା ଦିଶେ ||


କାଠଯୋଡିର   ରିଙ୍ଗ ବନ୍ଧରେ 

    ପାଦ ପଡିଲେ ଥରେ

ବାଇମୁଣ୍ଡିର      ମହାନ୍ ଚିନ୍ତନ

     ଦୃଷ୍ଟ୍ୟାକର୍ଷଣ କରେ ||


ଉଦୟ ଗିରି      ରତ୍ନଗିରି ଓ

    ଲଳିତ ଗିରିଠାରେ

ବୌଦ୍ଧ ବିହାର    ପ୍ରାଚୀନୋତ୍କଳେ

    ଶ୍ରେଷ୍ଠ ସାରା ବିଶ୍ୱରେ ||


ସୁନ୍ଦର ଗିରି     ବନ ପ୍ରଦେଶେ

   ଭରା ଆମ ଓଡିଶା

ସାଗର ଯାର      ଚରଣ ଧୁଏ

   କେଡେ ମିଠା ତା' ଭାଷା ||


ନାନା ଜାତିର     ନାନା ଧର୍ମର

    ବୈଚିତ୍ରମୟ ରାଜ୍ୟ

ଶାନ୍ତିର ବାର୍ତ୍ତା    ସର୍ବଦା ଦେଇ

    ଆସିଛି ଏଇ ରାଜ୍ୟ ||


ଏହାର ଭାଷା    ଶାସ୍ତ୍ରୀୟ ଭାଷା

    ମଧୁର ତା ସଙ୍ଗୀତ

ଓଡିଶୀ ନାମେ   ସେ ଗୀତ ନୃତ୍ୟ

     କରଇ  ବିମୋହିତ ||


 ଏଇ ମାଟିର     ସାଧବ ପୁଅ

     ସାଗର ବୁକୁ ଚିରି

ବୋଇତ ନେଇ      ଜାଭା ସୁମାତ୍ରା

     ଯାଇଆସୁଥିଲେ ଫେରି ||


ନେତାଜୀଙ୍କର     ଜନମ ଏଠି

    ଓଡିଆ ବିଜୁ ବାବୁ

ସାହସିକତା     ଦେଖିଣ ତାଙ୍କ

    ବଇରୀ ହେଲେ କାବୁ ||


ସାମନ୍ତ ଚନ୍ଦ୍ର     ଶେଖର ଅବା

    ପ୍ରାଣକୃଷ୍ଣ ପରିଜା

ଜ୍ଞାନ ବିଜ୍ଞାନ     କ୍ଷେତ୍ରେ ପ୍ରତିଷ୍ଠା

   ଲାଭେ ପାଆନ୍ତି ପୂଜା ||


ବୀରପ୍ରସବା       ଉତ୍କଳ ମାତା

    ତା' ପୁତ୍ର ଭୀରୁ ନୁହେଁ

ଦେଶପାଇଁକା      ଜୀବନ ଦିଏ 

     ହସି ହସିକା ସିଏ ||


ଦେଶ ଆଗକୁ      ବଢିବ ନାହିଁ

      ସ୍ୱାର୍ଥପରତା ଥିଲେ  

 ସ୍ୱାର୍ଥକୁ ତ୍ୟାଗ    କରିଲେ ଆମ

      ବିକାଶ ହେବ ଭଲେ ||


ଓଡିଆ ଆମେ    ଓଡିଆ ଆମେ

     ଓଡିଶା ଏ ପ୍ରଦେଶ

ଗଢିବା ତାକୁ    ନୂତନ କରି

     ସଭିଏଁ ମିଳି ଆସ ||


ଗର୍ବରେ କହ      ଓଡିଆ ମୁହିଁ

     ଭାରତ ମୋର ଦେଶ

କଠୋର ଶ୍ରମ    ବଳେ ଆଣିବା

      ସବୁରି ମୁଖେ ହସ ||

  


   

              


Rate this content
Log in

Similar oriya poem from Inspirational