ଯୌଥ ପରିବାର
ଯୌଥ ପରିବାର


ଯୌଥ ପରିବାର ବହୁତ ସୁନ୍ଦର
କିଏ ହେବ ତାହା ପରି
ସ୍ନେହ ମମତା ଝର ଝରେ ନିରନ୍ତର
ଖୁସି ଥାଏ ଅସୁମାରୀ ।
ବାପା ଜେଜେ ବାପ ଦାଦା ଖୁଡି ବବା
ବଡମା' ଥାଆନ୍ତି କେତେ
ଏକିଠି ବସନ୍ତି ଏକାଠି ଗପନ୍ତି
ମଉଜ କରନ୍ତି କେତେ ।
କରି ହସ ଖୁସି ଥାନ୍ତି ମିଳିମିଶି
ଚଳନ୍ତି ଭାରି ସୁନ୍ଦର
ମିଳିମିଶି କାମ ପାଇଟି କରନ୍ତି
ରହେ ନାହିଁ ମତାନ୍ତର ।
ଡକା ଡକି ହେଇ ସକାଳୁ ଊଠନ୍ତି
ବାସି କାମକୁ କରନ୍ତି
ଛେରା ପାଣି ପକେଇଣ ଦିଏ କିଏ
ଦାଣ୍ଡ ଦୁଆର ଓଳାନ୍ତି ।
ଚୁଲି କେ ଲିପନ୍ତି ବାସନ ମାନନ୍ତି
ପାଣି କାଢି ଦିଏ କିଏ
ଖୁସି ମନେ ଅଧା ବାଟିଆ କରି କେ
କୁଣ୍ଡକୁ ଭରିଣ ଦିଏ ।
ଗୁରୁଜନ ପାଇଁ ଦାଣ୍ଡର ପିଣ୍ଡାରେ
ପାଣି କିଏ ରଖି ଦିଏ
ସକାଳୁ ଯେ ଉଠେ ସେଇ ପାଣିରେ ସେ
ମୁହଁକୁ ପଖାଳି ଥାଏ ।
ବାସି କାମ ସାରି କଥା ବାର୍ତ୍ତା ହେଇ
ପୋଖରୀ ଗାଧୋଇ ଯାନ୍ତି
କାଞ୍ଚିରେ ସେ ତେଲ ହଳଦୀ ଭରିଣ
ସାଥିରେ ନେଇଣ ଥାନ୍ତି ।
ଦାନ୍ତ କାଠି ଭାଙ୍ଗି ଦାନ୍ତ ସେ ଘସନ୍ତି
କେତେ ମଜାରେ ଗାଧାନ୍ତି
କାହା ପିଠି କିଏ ଘସି ଦେଇ ପୁଣି
ହଳଦୀ ଲଗେଇ ଦ୍ୟନ୍ତି ।
ଥଟ୍ଟା ମଜା ହେଇ ସ୍ନାହାନ ସାରିଣ
ଘରକୁ ଯେବେ ଆସନ୍ତି
ତୁଳସୀ ମୂଳରେ ପାଣି ଦେଇ ପୁଣି
ଠାକୁର ପୂଜା କରନ୍ତି ।
କିଏ ଚା କରେ କେ ପରିବା କାଟେ
ଭଜା କରୁ ଥାଏ କିଏ
ପୋଡାପୋଡି କରି ଗୁଣ୍ଡ କିଏ ଚୁରି
ଶାଗ କେ ଖରଡି ଦିଏ ।
ପୁରୁଷ ଲୋକଙ୍କୁ ଖାଇବା ଦେଇଣ
ଅପେକ୍ଷା କରିଣ ଥାନ୍ତି
ସେ ଖାଇ ସାରିଲେ ବଢା ବଢି କରି
ମିଳି ମିଶିଣ ଖାଆନ୍ତି ।
ଦେଢଶୁର ଖାଇଲେ ଭାଇ ବୋହୁ କେବେ
ସେ ବାସନ ମାଜେ ନାହିଁ
ଦେଢଶୁର ଆସିଲେ ଓଢଣୀକୁ ଦେଇ
ଲାଜରେ ଥାଏ ସେ ରହି ।
କାମ ସରିଗଲ
େ ଦିନ ଦ୍ୱିପହରେ
ପାଲିକୁ ପକେଇ ଥାନ୍ତି
କାଚ କଉଡି ବା ଗିଲ ପଟା ଲୁଡୁ
ଖେଳ ବସି ଖେଳି ଥାନ୍ତି ।
ପାନ ଭାଙ୍ଗି ଦେଇ ଶାଶୁ ଶଶୁରଙ୍କୁ
ଦେଇଣ ଆସିଣ ଥାନ୍ତି
ସାନ ଶାଶୁ ବଡ ଶାଶୁମାନେ ପୁଣି
ମଜା ଗପ ସେ କରନ୍ତି ।
ବଡ ପରିବାର ଥାଏ କେତେ ମଜା
ଗପନ୍ତି ଏକାଠି ବସି
ପର୍ବ ପର୍ବାଣୀଟା ପଡି ଯାଏ ଯେବେ
କହି ହୁଏନି ତା ଖୁସି ।
ବଛା ବଛି କରି ଲୁଗା ସେ କିଣନ୍ତି
ନ ଥାଏ ତ ରାଗ ରୂଷା
କେତେ ଶରଧାରେ ସ୍ନେହ ମମତାରେ
କରୁଥାନ୍ତୁ ମିଶି ଓଷା ।
ପୁନେଇଁ ପରବ ପାଳନ୍ତି ଶ୍ରଦ୍ଧାରେ
ରଖନ୍ତିନି ଅଭିମାନ
ମନ ମାଳିନ୍ୟ ଯଦି ହେଇଥାଏ କ'ର
ପୁଣି ମିଶି ଯାଏ ମନ ।
ପିଲାମାନଙ୍କୁ ସେ ଭଲ ପାନ୍ତି ଏତେ
ଦେଖିଣ ବିସ୍ମିତ ହ୍ୱନ୍ତି
ଜାଣି ପାରନ୍ତି ଲୋକେ କାହା ସନ୍ତାନ
ଆଶ୍ଚର୍ଯ୍ୟ ହୋଇଣ ଥାନ୍ତି ।
ପିଲାମାନଙ୍କର ସେନେହ ମମତା
ସଭିଁଙ୍କି ପାଗଳ କରେ
ସେ ସ୍ନେହ ବନ୍ଧନ ହସ ଖୁସି ଭରେ
ସମୟ ତାଙ୍କର ସରେ ।
ବାହର ଶତ୍ରୁ ଯେ ଯୌଥ ପରିବାର
ଦେଖି ମନେ ଭୟ କରେ
ସହଜରେ ଚୋର ପଶି ପାରେ ନାହିଁ
ଯୌଥ ପରିବାର ଡରେ ।
ଗୋଟି ଗୋଟି କାଠି ସହଜରେ ଭାଙ୍ଗେ
ବିଡା ଭାଙ୍ଗି ହୁଏ ନାହିଁ
ଯୌଥ ପରିବାରେ ଏକତା ରହିଲେ
ଭାଙ୍ଗି ପାରନ୍ତିନି କେହି ।
ଆଜିକାଲି ଯୌଥ ପରିବାର ଆଉ
ଦେଖା ଯାଉ ନାହିଁ ଏତେ
ସଂସ୍କାର ଭଦ୍ରାମୀ ଶିଷ୍ଟାଚାର ସବୁ
ଶିଖିବେ ପିଲା କେମନ୍ତେ ।
ଦୟା କ୍ଷମା ପରୋପକାର ଭାବ
ଘର କରଣା ଚଳଣି
ମିଳି ମିଶି କରି ଚଳିବା ଭାବନା
ସ୍ୱପ୍ନ ଯେ ହେଇ ଗଲାଣି ।
ଯୋଥ ପରିବାର ଦିଏ ଭଲ ଶିକ୍ଷା
ଧର୍ଯ୍ୟ ଶିଖାଇ ଥାଏ
ଏକତା ଡୋରରେ ବାନ୍ଧି ରହି ଥାନ୍ତି
ସ୍ୱର୍ଗ ପୁର ସୁଖ ଦିଏ ।
ସ୍ନେହ ଶ୍ରଦ୍ଧା ଶାନ୍ତି ପ୍ରୀତି ଝରେ ନିତି
ଲାଗେ ଏ ସରଗ ପୁର
ନାହିଁ ପଟ୍ଟାନ୍ତର ଅମୂଲ ମୂଲ ସେ
ଅଟେ ଯୌଥ ପରିବାର ।