ପ୍ରତିହିଂସା
ପ୍ରତିହିଂସା
ବର୍ଷା ଭିଜା ଓଦା ଘାସ ମୁଁ
ଖରା ପଡ଼ି ଝାଉଁଳି ଯିବି,
ଝାଉଁଳି ଯିବି ସତ
କିନ୍ତୁ
ବର୍ଷା ଛିଟାରେ ପୁଣି ଉଠିବି ।
ଦେଇପାର ଦୋଷ ମତେ,
ମୋ କରିଥିବା ଭୁଲ ପାଇଁ,
କହିପାର ମୋତେ ତୁମେ
ଅବିଶ୍ୱାସୀ ମଣିଷ ଟିଏ ।
ପୂର୍ବରୁ ସ୍ବପ୍ନ ଦେଖିବାକୁ
ଅନେକ ସାହସ କଲି,
କିନ୍ତୁ;
ସ୍ୱପ୍ନକୁ ଆପଣା ଲୋକ ସବୁ
ପୁନଃପୁନଃ ଦେଲେ ଭାଙ୍ଗି ।
ତଥାପି
ଆଶା ମୋର ଏବେବି ଜୀବିତ
ପୁଣିଥରେ ଜୀଇଁ ଉଠିବ,
ମୋ ରକ୍ତମାଂସର କଙ୍କାଳ ।
ଜୀର୍ଣ୍ଣ ଦେହ ମୋର
ପୁଣି ଭରିଯିବ ଉତ୍ସାହରେ,
ଖୋଜି ବୁଲିବ
ରକ୍ତରେ ହୋଲି ଖେଳୁଥିବା
ସେଇ ରକ୍ତ ପିପାସୁ ମାନଙ୍କୁ,
ବିପ୍ଳବାତ୍ମକ ମନୋଭାବ ନେଇ ନୁହଁ,
କି ପ୍ରତିହିଂସାରେ ନୁହଁ,
ବରଂ
ଏକ ପରିବର୍ତ୍ତନର ସ୍ୱର ନେଇ ।