ବସନ୍ତ ଯାଆନି ଫେରି
ବସନ୍ତ ଯାଆନି ଫେରି
ବସନ୍ତ ଯାଆନି ଫେରି,
ମାଡ଼ି ଆସିଲାଣି ମୁଣ୍ଡଫଟା ଖରା,
ଡର ଲାଗୁଛି ରେ ଭାରି ।୧)
ଖରାରେ ଭିଭିବା ସାର,
ଶୀତ ନ ସରୁଣୁ ଗ୍ରୀଷ୍ମ ପ୍ରବାହ
ଏବେଠୁ ହେଲାଣି ସ୍ଥିର ।୨)
ମଣିଷ ଯାଉଛି ହାରି,
ସବୁତ ନିଜର କୃତକର୍ମ ଫଳ,
କା' ଆଗେ ହେବ ଗୁହାରି ? ।୩)
ବସନ୍ତ ଯାଆନି ଫେରି,
ଫୁଲର ସମ୍ଭାର ଫଗୁଣ ଆଣିଛି,
ଡାକୁଛି ରେ ହାତଠାରି ।୪)
ଅନନ୍ୟ ତୋହରି ଦାନ,
ଏ ଜୀବନ ଖାଲି ମରୁଭୂମି ବାଲି,
ଵସନ୍ତ ! ତୁ ମରୂଦ୍ୟାନ ।୫)
କରନାହିଁ ଆଉ ମନା,
ତୋ ଲାଗି ବୃକ୍ଷରେ ନବ-ପଲ୍ଲଵ,
ଫୁଲ, ଫଳ ଭରା ସିନା ।୬)
ଭାବୁକ ରହିଛି ଚାହିଁ,
ଅବିର ରଙ୍ଗରେ ଭିଜିଵ ଟିକିଏ,
ନିରାଶ କରିବୁ ନାହିଁ ।୭)
ବସନ୍ତ ଯାଆନି ଫେରି,
ହସ ଟିକେ ଦେ' ମଣିଷ ମନରେ,
କରୁଛି ତତେ ଗୁହାରି ।୮)
ଅପେକ୍ଷା କରିଛି ତତେ,
ଵିଭୂ-ଚେତନାର ଅଂଶ ତୁ' ପରା,
ଠକିବୁ ନାହିଁ ରେ ମତେ ।୯)
ବସନ୍ତ ଯାଆନି ଫେରି,
ଶୀତଳ କରିଦେ ମଣିଷ ଜୀବନ,
ଦେଇଯା'ରେ ଆଶା-ବାରି ।୧୦)
