ଟଙ୍କା ତୁମେ
ଟଙ୍କା ତୁମେ


ଧନୀ କରେ ଗର୍ବ ଟଙ୍କା ତୁମ ପାଇଁ
ମାନୀ କରେ ଅଭିମାନ
ଭିକ୍ଷୁକର ଭିକ୍ଷା ଥାଳ ତୁମ ପାଇଁ
ଶ୍ରମିକର ଶ୍ରମ ଦାନ ।
ଲୋଭୀ ଠାରେ ତୁମେ ମୋହଗ୍ରସ୍ତ ମନ
କୃପଣର କାର୍ପଣ୍ୟତା
ଦିବାନିଶି ସ୍ୱପ୍ନ ଚୋରର ଆଖିରେ
ଦାନୀ ଠାରେ ବଦାନ୍ୟତା ।
ତୁମେ ସେତୁବନ୍ଧ ସବୁ ସମ୍ପର୍କର
ତୁମ ବିନା ସବୁ ମିଛ
ଭଙ୍ଗା ଗଢ଼ା ହୁଏ କେତେ ଯେ କାହାଣୀ
ଜୀଵନ ଲାଗଇ ତୁଚ୍ଛ ।
ହୃଦୟକୁ ଯୋଡ ହୃଦୟ ସହିତ
କିଣା ବିକା ହୁଏ ମନ
ସତ୍ୟ ପ୍ରେମ ସ୍ନେହ ନବୁଝେ ମଣିଷ
ଜପୁ ଥାଏ ଧନ ଧନ ।
ଧନୀକ ଆଖିରୁ ନିଦ୍ରା ଚୋରି କର
ଗରିବ ପାରେନା ଶୋଇ
ତୁମରି ଚିନ୍ତାରେ ଚୋର ଓ ତସ୍କର
ଆପଣା ନିଦ୍ରା ତେଜଇ।
ରକତ ସମ୍ପର୍କ ଲାଗେ ଫିକା ଫିକା
ଦାମୀ ହୁଏ ନାଲି ପାଣି
ମମତାର ମୂଲ କିଏ ବା ସୁଝିବ
ଟଙ୍କା ତୋ ମଥାର ମଣି ।
ହସାଅ କନ୍ଦାଅ ଭାଙ୍ଗ ଗଢ ତୁମେ
ଏମିତି ତୁମରି ଲୀଳା
ନାଚେ ଏ ମଣିଷ ତୁମରି ଇଙ୍ଗିତେ
ସାଜି ମାଟିର ପିତୁଳା ।