STORYMIRROR

sasmita tripathy

Abstract Classics Fantasy

4  

sasmita tripathy

Abstract Classics Fantasy

ମିଠା ମିଠା

ମିଠା ମିଠା

2 mins
27


ମିଠା ଲାଗେ ଭାରି ବର୍ଷାଭିଜା ରାତି

ବାଦଲ ଫାଙ୍କର ଜହ୍ନ

ମିଠା ମିଠା ଅତି ଶୀତ ସକାଳର

ପାହାନ୍ତା ପ୍ରହର ସ୍ବପ୍ନ


ମିଠା ଲାଗେ ମୋତେ ସାଧବ ବୋହୂର

ନାଲି ଟୁକୁ ଟୁକୁ ପାଟ

ମିଠା ଦିଶୁଥାଇ ରଙ୍ଗ ରଙ୍ଗିନ ସେ

ପରଜାପତିର ଛିଟ


ମିଠା ଲାଗେ ମୋତେ ଗାଁଆ ଝିଅଙ୍କର 

ବଉଳବେଣୀର ଗୀତ

ଜହ୍ନି ଓଷା ପୁଣି ଖୁଦୁରୁକୁଣୀକୁ 

ଦୋଳ ଗୋବିନ୍ଦଙ୍କ ଯାତ


ମିଠା ଲାଗେ ଭାରି ବୋଉ ହାତରନ୍ଧା

ମିଠା କାକରା ଆରିସା

ମିଠା ଲାଗେ ଭାରି ଜେଜେମାଙ୍କ ଗପ

ରିବନରେ ବନ୍ଧା ଖୋଷା


ମିଠା ଲାଗେ ମୋତେ ସାଗର କୂଳର 

ଲହଡିରେ ଭିଜା ବାଲି

ମିଠା ଲାଗେ ମୋତେ ଅଜାଙ୍କ ସାଥିରେ

ଯାତରା ଯିବାକୁ ବୁଲି 


ମିଠା ଲାଗେ ମୋତେ ମାମୁଁଙ୍କ ଆକଟ

ମାଇଁଙ୍କର ମିଠା ଗେଲ

ସ୍ନହବୋଳା ସେଇ ଆଈମା କାହାଣୀ

ମୋ ପାଇଁ ଅମୂଲ ମୂଲ


ମିଠା ଲାଗେ ମୋତେ ନାଉରି ଭାଇର

ମନମତାଣିଆ ଗୀତ

ଆଷାଢ଼ରେ ବର୍ଷା ବିଜୁଳି ସାଥିରେ

ବେଙ୍ଗ ଝିଙ୍କାରୀ ସଙ୍ଗୀତ


ମିଠା ଲାଗେ ମୋତେ ମନେ ପଡିଗଲେ 

ଗାଁଆଦାଣ୍ଡ ଧୂଳି ଖେଳ

ସ୍ମୃତିରେ ବତୁରା ବାଲ୍ୟ ଚପଳତା

ମିଠା ଲୁଚକାଳି ଖେଳ 


ମିଠା ମିଠା ଥିଲା ମିଛିମିଛିକା ସେ 

କଣ୍ଢେଇର ବାହାଘର

ସଢ଼େଇରେ ରନ୍ଧା ଭାତ ତରକାରୀ

ମିଛର ଘର ସଂସାର


ମିଠା ଲାଗେ ସବୁ ପିଲାଦିନ ସ୍ମୃତି

ଯୌବନର ଉପବନେ 

ଯୌବନ ବି ଦିନେ ସ୍ମୃତି ପାଲଟିବ

ବାର୍ଦ୍ଧକ୍ୟର ଆଗମନେ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract