ଗୁରୁ ତୁମ ଗରୀୟାନ୍
ଗୁରୁ ତୁମ ଗରୀୟାନ୍
ଗୁରୁ ତୁମେ ମାତା ଗୁରୁ ତୁମେ ପିତା
ଗୁରୁ ତୁମେ ବିଦ୍ୟାଦାତା
ଗୁରୁ ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ତୁମେ ତାରଣ କରତା ।
ହାତ ଧରି ନିଅ ଅଜ୍ଞାନ ଅନ୍ଧାରୁ
ତୁମେ ଜ୍ଞାନର ବଳୟ
ଅଜ୍ଞାନ ଦେଶର ଉତ୍ତପ୍ତ ସହରେ
ତୁମେ ଶୀତଳ ମଳୟ ।
ଜ୍ଞାନ ନିର୍ଝରିଣୀ କରୁଣା ସାଗର
ନର ରୁପୀ ନାରାୟଣ
ତଵ ପାଦପଦ୍ମ ଧ୍ୟାଇଲେ ଭକ୍ତିରେ
ମୁଢ଼ ହୁଏ ବିଜ୍ଞଜନ ।
ଶିଳା ହୁଏ ମୂର୍ତ୍ତି ତୁମେ ଦେଲେ ଛୁଇଁ
ଏମିତି କୁଶଳୀ ତୁମେ
ତୁମ ସ୍ପର୍ଶ ବିନା ଜୀଵନ ବନ୍ଧୁର
ନକ୍ଷତ୍ରର ଜ୍ୟୋତି ତୁମେ ।
ସତ୍ୟ ତ୍ୟାଗ ନିଷ୍ଠା ଲାଳିତ୍ୟ ପାଣ୍ଡିତ୍ୟ
ସାଧୁତା ଓ ମହାନତା
ତୁମ ଚରିତ୍ରର ସ୍ୱତନ୍ତ୍ର ବୈଶିଷ୍ଟ୍ୟ
ହୃଦେ ନାହିଁ କପଟତା ।
ଆର୍ଯ୍ୟଭୂମି ଏହି ଭାରତ ଦେଶରେ
ଗୁରୁ ଶିଷ୍ୟ ପରମ୍ପରା
ଯୁଗ ଯୁଗ ଧରି ଗୁରୁଙ୍କ ପୂଜନେ
ଶିଷ୍ୟ ଯେ ଜିଣନ୍ତି ଧରା ।
ଉପମନ୍ୟୁ ଏକଲବ୍ୟ ନଚିକେତା
ଆରୁଣୀଙ୍କ ଗୁରୁଭକ୍ତି
କାଳ କାଳ ପାଇଁ ଅଲିଭା ଅକ୍ଷରେ
ଲେଖି ଯାଇଛନ୍ତି କୀର୍ତ୍ତି ।
ଗଉତମ ବୁଦ୍ଧ ରବୀନ୍ଦ୍ର ନାଥ ଯେ
ଚାଣକ୍ୟ ରାଧାକ୍ରିଷ୍ଣନ୍
ରାମକୃଷ୍ଣ ଦୟାନନ୍ଦ ସରସ୍ୱତୀ
ଗୁରୁ ତୁମେ ଗରିୟାନ୍ ।
ଦେଶର ଗୌରବ ଜାତିର ପ୍ରଗତି
ମେରୁଦଣ୍ଡ ସମାଜର
ଶିଷ୍ୟଙ୍କ ଭବିଷ୍ୟ ତୁମରି ହାତରେ
ତୁମେ ହିଁ ମଣି ମଥାର ।
ଆଶିଷ ମୁକୁତା ଝରୁ ଥାଉ ସଦା
ମସ୍ତକରେ ଥାଉ ହାତ
ହେ ଚିର ନମସ୍ୟ ପୂଜ୍ୟ ଗୁରୁଦେବ
ଘେନ ଆମ ପ୍ରଣିପାତ ।