ଝୁଲଣ ଯାତ୍ରା
ଝୁଲଣ ଯାତ୍ରା
କର୍ମ ଜଞ୍ଜାଳର ବିଷାଦେ ମଣିଷ
ସ୍ନେହ ସଦଭାବ ପାଇଁ
ଆଧ୍ୟାତ୍ମିକ ଚିନ୍ତା ଚେତନା ଜଡିତ
ଅନେକ ପର୍ବ ପାଳଇ ।
ଶ୍ରାବଣର ଶୁକ୍ଳ ଦଶମୀ ତିଥିରୁ
ଭାଦ୍ର କୃଷ୍ଣ ପ୍ରତିପଦ
ଝୁଲଣ କୁଞ୍ଜରେ ଝୁଲନ୍ତି ମାଧବ
ଭକ୍ତ ହୋନ୍ତି ଗଦଗଦ ।
ଦ୍ୱାପର ଯୁଗର ରାଧାକୃଷ୍ଣ ଙ୍କର
ଅମର ସେ ପ୍ରେମ ଗାଥା
ନିଧିବନେ ରାଧା ଗୋପୀଙ୍କ ସଙ୍ଗତେ
ଦୋଳି ଖେଳ ରାସ କଥା ।
ଦେଶେ ଓ ବିଦେଶେ ଯେତେ କୃଷ୍ଣଭକ୍ତ
ପାଳନ୍ତି ଆନନ୍ଦ ଚିତ୍ତେ
ରାମ କୃଷ୍ଣ ନାମ ସଙ୍ଗୀତର ତାନେ
ମଜ୍ଜି ଯାନ୍ତି ହର୍ଷେ ନୃତ୍ୟେ ।
ଶ୍ରୀମନ୍ଦିର ବେଢା ଝୁଲଣ କୁଞ୍ଜଟି
ସାଜିଥାଏ ମଧୁବନ
ପ୍ରାବୃଟ ରାସ ରେ ଭୂଦେବୀ ଶ୍ରୀଦେବୀ
ସାଥେ ମଦନମୋହନ ।
ମୟୂର ମୂଷିକ ପାରାବତ ଶୁକ
ସଖି ସହଚରୀ ଯେତେ
ଭକତ ଶ୍ରଦ୍ଧାଳୁ ବେଢ଼ି ରହିଥାନ୍ତି
ଜଡ ବି ଚେତନ ସତେ ।
ମାଣ୍ଡୁଅ ଭୋଗରେ ମନ ଭରେ ନାହିଁ
ବିଡ଼ିଆ ପାନ ନଖାଇ
ଝୁଲଣ ମଣ୍ଡପେ ଝୁଲନ୍ତି ଗୋବିନ୍ଦ
ପୁଷ୍ପେ ଅଳଙ୍କୃତ ହୋଇ ।
ଅନେକ ମନ୍ଦିରେ ମଠ ଓ ଆଶ୍ରମେ
ଘରେ ଘରେ ପୁରେ ପୁରେ
ଭକତ ହୃଦୟ ଝୁଲଣ ମଣ୍ଡପେ
ଝୁଲନ୍ତି ସେ ନିରନ୍ତରେ ।
ଶିରିକ୍ଷେତ୍ର ସାଜି ଗୋପପୁର ଆଜି
ମଧୁବନ ଭକ୍ତ ମନ
ଅତୀତର ସେହି ସ୍ମୃତି ଉଜାଗର
ଝୁଲଣ ଯାତର ଦିନ ।
ମହିୟାନ୍ ଆମ ସଂସ୍କୃତି ପରବ
ମହାନ ସେ ପରମ୍ପରା
ଜୟ ଜଗନ୍ନାଥ ଧନ୍ୟ ତୁମ ଲୀଳା
ଉଛୁଳି ଉଠୁଛି ଧରା ।