ତୁ ଛଦ୍ମବେଶୀ
ତୁ ଛଦ୍ମବେଶୀ
ତୋ ସାଥେ ହଜେଇ ମୋ ଅତୀତକୁ
ଲିଭେଇଛି ସବୁ ହାତର ରେଖା
ଏ ଜୀବନ ପୁଣି ଏମିତି କାହାଣୀ
ରହିଗଲା ଆଜି ଅଧା ଲେଖା ।
ସପନରେ ଗଢ଼େ କୁହୁଡ଼ିର ଘର
ଭାବ ପ୍ରବଣତା ବୁଝେ ନାହିଁ
ଆଖିରେ ଭରିଛି ନିଦ ଯେ ଅନେକ
ସପନର ଯାଗା କୋଉଠି କାହିଁ ।
ପାହିନି ମୋ ରାତି ସପନ ପ୍ରଚୁର
ଝିଲିମିଲି ତାରା ହୋଇ ଝୁମେ
ଜାଣେନା କାହିଁକି ମୋ ନିରବତାକୁ
ବିରହ ତୁମରି ନିତି ଚୁମେ ।
ତୋ ଛଳନା ଜାଲରେ ଛନ୍ଦି ହୋଇ ମୁଁ
ହସିବା କେବେଠୁଁ ଭୁଲି ଯାଇଛି
ମନରେ ଥିବା ଅଶୁମାରି ଆଶା
କେବେଠୁ ମନରୁ ଲିଭି ସାରିଛି ।
ଜୀବନର ଏଇ ଚ଼ଲାପଥ ପରେ
କେବେ ପ୍ରତିଯୋଗୀ ହୁଏ ନିଜର ଛାଇ
ଜାଳେ ତିଳ ତିଳ କରି ସେ ନିଆଁରେ
ଓଠରୁ ହସ ବି ନିଏ ଚ଼ୋରାଇ ।
ଏଠି ବାଦଲ ବି କରେ ଚ଼କ୍ରବ୍ୟୁହ
ଲୁହର ବର୍ଷା ହୁଏ ନିଜ ଗହଣା
ଜାଳେ ତିଳ ତିଳ କରି ସେ ନିଆଁରେ
ହଜିଯାଏ ନିଜ ପତା ଠିକଣା ।
ଆକାଶ କୋଳର ଜୋଚ୍ଛନା ତଳେ ମୁଁ
ଖୋଜେ ଅତୀତର ସ୍ମୃତି ବାସନା
କାଟି ହେଉନାହିଁ ହିସାବ ଖାତାରୁ
ପାଇଥିଲି ଯାହା ଦୁଃଖ ଯାତନା ।
ବିଜନ ଆକାଶ ତଳେ ମୁଁ ପଥିକ
ନିଃସଙ୍ଗତା ମୋର ହୋଇଛି ସାଥି
ଚ଼ାଲି ଚ଼ାଲି ଯିବି ପ୍ରସସ୍ଥ ବିଥିରେ
ଯିବି ନାହିଁ ତିଳେ କେବେ ମୁଁ ଥକି ।
