ଡଙ୍ଗା
ଡଙ୍ଗା
ମନ ଡଙ୍ଗା ମୋର ଭାସି ଭାସିଯାଏ
ସଂସାର ଜଞ୍ଜାଳ ପାରାବାରରେ
ବିବେକ ବିଚାର କାତରେ ଆହୁଲା
ମାରି ଚାଲୁଅଛି ମୁହିଁ ନିଷ୍ଠାରେ ।
ଜୀବନର ଏଇ ସୁଦୀର୍ଘ ଯାତ୍ରାରେ
ଦୁଃଖ ରୂପୀ ବାଆ କରେ କାତର
ଆଶା ରୂପୀ ଦିଗ ଭରଇ ବିଶ୍ୱାସ
ବାଟହୁଡା ନୁହେଁ ଧର୍ମ ମୋହର ।
ସ୍ୱପ୍ନ ଅସୁମାରି ସ୍ୱାର୍ଥ ଲୋଭ ମୋହ
କ୍ଷଣିଏ ବେଗକୁ କରେ ଶିଥିଳ
ଅନ୍ତରର ଆତ୍ମା ଚେତନା ଜଗାଏ
ଭାବନାରେ କାହିଁ ହେଉ ବିହ୍ଵଳ ?
ସଫଳତା ମୋର ଆକାଂକ୍ଷିତ ସ୍ଥାନ
ନିର୍ଭୟେ ନାଉରୀ ସାଜିଛି ମୁହିଁ
ସୁଖ ବତୀଘର ହେଉଛି ସହାୟ
ମୃତ୍ୟୁ ଯାଏଁ କେବେ ହାରିବି ନାହିଁ ।