STORYMIRROR

sulochana Bisoyi

Tragedy Action

4  

sulochana Bisoyi

Tragedy Action

କ୍ଷୁଧା

କ୍ଷୁଧା

1 min
412

କ୍ଷୁଧା ର ତାଡନେ ଦୁଃଖୀ ଭିକାରୀଟି 

        ବସି ଅଛି ବୃକ୍ଷ ମୂଳେ

ଭୋକର ବିକଳେ ଛୋଟ ଝିଅଟି ତା ସାଥେ 

        ନୟନରୁ ଅଶ୍ରୁ ଢାଳେ ।।୧।।

ଦୁଃଖେ କହେ ବାପା ମୁଁ କେଡେ ଅଭାଗା 

        ଧିକ ଧିକ ମୋ ଜୀବନ

ମୋ ଆଗେ ମୋ ଧନ କରଇ ରୋଦନ 

        ନ ପାଇ ମୁଠାଏ ଅନ୍ନ ।।୨।।

ଗଣ୍ଠିଲି ଫିଠାଇ ରୁଟି ଖଣ୍ଡେ କାଢି 

        ଝିଅକୁ ବସାଇ ଧିରେ 

ଅତି ଆଦରରେ ଝିଅ ମୂଖେ ଦେଇ 

        କହଇ କରୁଣ ସ୍ବରେ ।।୩।।

ଆହା ପଦେ କହି ଆଉଁସି ଦେବାକୁ 

        ମାଆ ତୋର ପାଶେ ନାହିଁ 

ଚନ୍ଦ୍ର ବଦନ ତୋ ଝାଉଁଳି ଗଲାଣି 

        ହସ ଟିକେ ମୂଖେ ନାହିଁ ।।୪।।

ଶୁଖିଲା ରୁଟି ମୋ ତଣ୍ଟିରେ ଯାଏନି 

        ଆଖିକୁ ମୋ ଦିଶେ ନାହିଁ

ଅନ୍ନ ବିନୁ ବାପା,ପାଦେ ବି ଆଗକୁ

        ଯାଇ ପାରିବିନି ମୁହିଁ ‌‌।।୫ ‌‌।।

ହା ଅନ୍ନ ହା ଅନ୍ନ କହୁଛି ମୋ ପ୍ରାଣ 

        ବୋଧେ ବଞ୍ଚିବିନି ଆଉ 

ଇଚ୍ଛା ହୁଏ ଆଜି ତୁମ କୋଳେ ଶୋଇ 

        ଶାନ୍ତି ରେ ମୋ ଜୀବ ଯାଉ ।।୬।।

ଝିଅ କଥା ଶୁଣି ବାପା କହୁ ଅଛି 

        ଟିକେ ଥୟ ଧର ଧନ 

ତୁ ଏଠି ଶୋଇଥା ପାଖ ଗାଁରୁ ମୁଁ

        ମାଗି ଆଣେ କିଛି ଅନ୍ନ ।।୭।।

ଝିଅକୁ ଶୁଆଇ ଇଶ୍ଵରେ ସୁମରି 

        ବାପା ଯାଏ ଅନ୍ନ ଆଣି 

ଦୁର୍ବଳ ଶରୀରେ ଚାଲି ନ ପାରଇ

        ତଥାପି ଚାଲଇ ପୁଣି ।।୮।।

ଦ୍ୱାରେ ଦ୍ବାରେ ବୁଲି ଅନ୍ନ ମୁଠେ ପାଇ

        ବେଗେ ବେଗେ ଆସେ ଧାଇଁ

ଝିଅ ପାଶେ ଆସି ଦୀର୍ଘ ଶ୍ବାସ ତେଜି

        ବସି ହୁଏ ଧଇଁ ସଇଁ ।।୯।।

ଝିଅର ମୁଣ୍ଡକୁ ଆଉଁସି କହଇ

        ଉଠ ମୋର ପ୍ରାଣ ଧନ

ମୋ ହାତେ ଆଜି ମୁଁ ଖୁଆଇବି‌ ତୋତେ

        ଆଣିଛି ମୁଁ ମୁଠେ ଅନ୍ନ ।।୧୦।।

ବାପା କଥା ଶୁଣି ଝିଅ ତୁନି ରହେ 

        ମର ଶରୀର କି କଥା କହେ 

ଭୋକ କଷଣଠୁ ଝିଅ ଯିବା ଦୁଃଖ 

        ଆହୁରି କଷଣ ଦିଏ ।।୧୧।।

କ୍ଷୁଧାର ଅନଳେ ଜଳି ଗଲା ସିନା

        ଦୁଇଟି ଶରୀର ଆହା 

ଅକାରଣେ ନଷ୍ଟ ନ କର ହେ ଅନ୍ନ

        ସେ ଯେ ଜୀବନର ରାହା ।।୧୨।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy