STORYMIRROR

sulochana Bisoyi

Inspirational

4  

sulochana Bisoyi

Inspirational

ପ୍ରଲୋଭନ

ପ୍ରଲୋଭନ

1 min
286

ସର୍ପ ମୁଖେ ଥାଇ ମଣ୍ଡୁକର ଯେହ୍ନେ 

    କଙ୍କି ପ୍ରତି ଥାଏ ଲୋଭ 

ମହାମାରୀ ଏବେ କାୟା ବିସ୍ତାରୁଛି

    ନିଷ୍ଠୁର ଚିନ୍ତଇ ଲାଭ ।


କପଟି କଳତ୍ର ବିଷେ ପୁରିଥାଏ 

    ବଚନ ଅମୃତ ତୁଲ

ତୋଷା ମଦ କରି ଶୋଷି ନିଏ ସବୁ

    ତା ସଙ୍ଗ ଛାଡ଼ିବା ଭଲ।


ଶୋଷକ ମୁଖରେ ପ୍ରଲୋଭନ ନିଆଁ 

     ଜଳୁଥାଏ ନିରନ୍ତର

ସେ ନିଆଁରେ ଦୁଃଖୀ ପତଙ୍ଗ ଆତ୍ମହା

     ଇଏତ ଆମ ସଂସାର ।


କରୋନା ବିପତ୍ତି ନାଆ ହୁଏ ଯଦି

    ଦୁର୍ନୀତି ତାହାକୁ ବାଆ

ଏ ଘୋର ଦୁର୍ଦ୍ଦିନେ ସମାଜ ରକ୍ଷକ 

    ଭକ୍ଷକ ପଣରେ ଠିଆ ।


ଜୀବନ ଜୀବିକା ହରାଇ ମଣିଷ

    ଦୁଃଖେ ସୁଖେ ଦିନ ଯାଏ 

ଅତି ଆବଶ୍ୟକେ ବାହାରକୁ ଗଲେ

    ରକ୍ଷକର ଦାଉ ସହେ ।


ଖଟିଖିଆ ମୁଣ୍ଡେ ଅକାଳ ଚଡକ

    ପେଟକୁ ନ ପାଏ ଭାତ

ବସି ଖାଇଲେ ତ ନଈ ବାଲି ସରେ 

    ଏ କଥା ନୁହଁ କି ସତ ।


ରୋଗର ଆକଟେ ଯେତକ ନିୟମ

     ତଳୁଆଙ୍କ ମୁଣ୍ଡ ବ୍ୟଥା 

ଜୋରିମାନା ଦେବା ସାର ହୁଏ ସିନା 

    କମେନି ପେଟର ବ୍ୟଥା ।


ବିପଦ କାଳରେ ମଣିଷ ଭାଇରେ

    ସାହା ଯେ ହୁଏ ଅନ୍ୟକୁ 

ସଂଙ୍କଟ କାଳରେ ଦେବତା ସମାନ

    ଧନ୍ୟ ସେହି ମଣିଷକୁ ।


ପରୋପକାର ସାଧଇ ଯେ ନିତି

    ମହତ ଜନରେ ଗଣା 

ଉଡିଗଲା ପକ୍ଷୀ ଉଦର ଚିହ୍ନଇ

    ବିପଦେ ନ ହୁଏ ବଣା ।


କୋଟିଏ ଦୁର୍ଜନେ ଗୋଟିଏ ସୁଜନ

    ବିପଦେ ହୁଅଇ ସାହା

କୋଟି ତାରାଗଣେ ଏକଇ ଚନ୍ଦ୍ରମା

    ଅନ୍ଧରେ ଦେଖାଏ ରାହା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational