କର୍ମ ହିଁ ଧର୍ମ
କର୍ମ ହିଁ ଧର୍ମ
ଏ ସଂସାର
କାହାପାଇଁ ଖେଳଘର ତ
କାହା ପାଇଁ ଅମୃତର ପାରାବାର
କିଏ ପୁଣି ଗାଉଅଛି
ଜୀବନର ଜୟଗାନ ,
ବଞ୍ଚିବାକୁ ଅହରହ କରୁଅଛି
ଜୀବନ ସଂଗ୍ରାମ ।
କ'ଣ ଅଟେ ଚିରନ୍ତନ ସତ୍ୟ
କିଏ ସେ ଈଶ୍ୱର
ସ୍ଥାବରୁ ଜଙ୍ଗମ ଯାଏ
ସୃଷ୍ଟିର ଆରମ୍ଭ କାଳରୁ ଏଯାବତ୍
ଖୋଜି ଖୋଜି
ସମସ୍ତେ ପାଗଳ ।
ଶାସ୍ତ୍ର କହେ ସାର୍ଥକ ଜୀବନ ପାଇଁ
କାମ୍ୟ ଅଟେ
ଧର୍ମ,ଅର୍ଥ,କାମ ଏବଂ ମୋକ୍ଷ ।
ମହାଜନ ନିର୍ଦ୍ଧାରିତ ପଥ ମଧ୍ୟ
ଆଧ୍ୟାତ୍ମିକ, ସରଳ ସୁଗମ
ଏବଂ ଲକ୍ଷ୍ୟ ପରୀକ୍ଷିତ ।
କେହି ଚାହିଁ ଦେଲେ ଯଦି
ମୋକ୍ଷର ଶିଢୀ ଲମ୍ବି ଆସନ୍ତା
ପାଦ ତଳକୁ, ତେବେ ନଥାନ୍ତା
ସଂସାରରେ ଏତେ
କର୍ମର ଜଞ୍ଜାଳ, ବର୍ଣ୍ଣବୋଧ ପାଠ
କି ଆଶ୍ରମ ବ୍ୟବସ୍ଥା ।
ମଝି ନଈରେ ନିଜେ ବୁଡି ମରିବା
ତ ଘୋର ପାପ,
ଆପଣା ଉପରେ ନିର୍ଭରଶୀଳ
ସ୍ତ୍ରୀ,ଅବୋଧ ଶିଶୁ , ବୃଦ୍ଧ ମାତାପିତା
କିମ୍ବା ଅନ୍ୟ କାହାକୁ ଦୁଃଖ ଶୋକ
ସାଗରେ ବୁଡାଇ ମାରିବା
କେବଳ କାପୁରୁଷପଣ
ପାପ ହିଁ ଜଘନ୍ୟ ।
ଯିଏ ଯେତେ ମୁଣ୍ଡାଇଛି
ଆପଣା ଖୁସି ରେ
ଉତ୍ତର ଦାୟିତ୍ଵ ପାଳିବାଟା
କର୍ତ୍ତବ୍ୟ ଅବଶ୍ୟ ।
ଅତଏବ ମାନ୍ୟବର ସୁଧୀଜନ,
ସଂସାରରେ ଲୋଡା
ଯୁକ୍ତି ମୂଳ,ଦିଶା ଯୁକ୍ତ
ବ୍ୟବହାର ଏବଂ ଆତ୍ମସମ୍ମାନର ଯୋଗ୍ୟ
ବୃତ୍ତିଗତ ଶିକ୍ଷା ।
ଈଶ୍ୱର କରନ୍ତୁ ଦୟା,
ସଦବୁଦ୍ଧି ହେଉ ଉଦୟ,
ଧର୍ମ, ଶିକ୍ଷା ସଂସ୍କାର ନାମରେ
ନ ଚାଲୁ ମୁକ୍ତ ବଜାର
ସୁଆଦିଆ କଦଳୀର ଚଖା,
ସୁସଭ୍ୟ ସମାଜେ ବନ୍ଦ ହେଉ
ଯେତେକ ଭେଳିକି
ଅନ୍ଧ ହାତୀ ଦେଖା ।
ସବିନୟ ପ୍ରଣାମ କରୁଛି
ଭୁଲ୍ ଥିଲେ ଦେବ କ୍ଷମା
ବଞ୍ଚିଥିଲେ କଥାବାର୍ତ୍ତା
ପୁଣି ହେବ ଦେଖା ।