ଆଜିର ଶିକ୍ଷା ଓ ଦୁନିଆଁ
ଆଜିର ଶିକ୍ଷା ଓ ଦୁନିଆଁ
ଥିଲେ ଥାଉ ପଛେ ଗୁଣ ହଜାର,
ଚରିତ୍ର ନଥିଲେ ସବୁ ଅସାର,
ଉତ୍ତମ ଶିକ୍ଷା କରେ ଚରିତ୍ର ସୃଷ୍ଟି,
ଜଗତେ ଲଭିବ ବହୁ ଆଦର |
ସୃଷ୍ଟିରେ, ସ୍ୱାଭିମାନ ଥିଲେ ମଣିଷ
କରେ ନାହିଁ ହୀନ କର୍ମ
ନିଜ କର୍ତ୍ତବ୍ୟକୁ କରି ଜୀବନ ବିତାନ୍ତି
ବୁଝିଛନ୍ତି ଜୀବନର ମର୍ମ |
ଚରିତ୍ର ଅଟଇ ମଣିଷ ଭୂଷଣ ପାଇଥାଏ
ସବୁ ମାନ ସନମାନ,
ଚରିତ୍ର ବିହୁନେ ପ୍ରତ୍ୟେକ ମଣିଷ ଜୀବନ
ସର୍ବଦା ହୁଏ ମୂଲ୍ୟହୀନ |
ଆମର ଶାସ୍ତ୍ରରେ କର୍ମ ଯୋଗ ଶିଖାଏ,
କର୍ମରୁ ମିଳେ ଜୀବନ ଲକ୍ଷ୍ୟର ଠିକଣା,
ଅକର୍ମା, ଆଳସ୍ୟେ ଚାଲେ ଅସତ୍ୟେ
ଜୀବନ କଟାଏ ହୋଇ ବାଟ ବଣା |
ହେଉ ରାଜାପୁଅ ଅବା ପ୍ରଜାପୁଅ, ଗୁରୁ
ଆଶ୍ରମରେ ନେଉଥିଲା ଦୀକ୍ଷା
ଆଶ୍ରମ ତ ଥିଲା ଜ୍ଞାନର ଭଣ୍ଡାର, ରହି
ଶିଷ୍ୟ ପାଉଥିଲା ସେ ଶିକ୍ଷା |
ତେଣୁ ସେହି ଶିକ୍ଷା ଦାତା ମାନେ ମନରେ
ଥିଲେ ଜ୍ଞାନ ଦାତା ଭଗବାନ
କରୁଥିଲେ ଅଜ୍ଞାନତା ଦୂର, ଆଲୋକ ଦେଖାଇ
ସଭିଙ୍କୁ ସୁମାର୍ଗ ଓ ସତ୍ୟର ଜ୍ଞାନ |
ଶିକ୍ଷାରେ ନଥିଲା ଉଚ୍ଚ ନୀଚ ଭେଦ, ନଥିଲା
ତ କିଛି ଛୁଆଁ ଅଛୁଆଁ
ସମସ୍ତଙ୍କ ନିଶା ଥିଲା ଶିକ୍ଷାର ଆଲୋକେ
ଆଲୋକିତ ହୋଇ ଗଢିବା ନୂଆଁ ଦୁନିଆଁ ।
ପୁଂଜିବାଦୀ ବେପାରୀ ଯୁଗରେ ବଦଳି ଯାଇଛି,
ବଦଳିଛି ଶିକ୍ଷାର ମାନ
ସତ୍ୟ ଧର୍ମ ନ୍ୟାୟ ଚୂଲିକି ଯାଇଛି, କିପରି ଅକ୍ଷର
ଓ ଲାଭ କ୍ଷତିର ହିସାବ ଶିଖିବ ଜାଣ |
ନାହିଁ ଆଜି ନୀତି ଶିକ୍ଷା, ଚାଲିଛି ଆୟୋଜନ
ବିଭିନ୍ନ ଯୋଜନା ମାନ ସରକାରଙ୍କର
ନାହିଁ ଆଉ ଶିକ୍ଷା, କିପରି ନିସ୍ୱାର୍ଥ ହେବ ଓ
ଅନ୍ଧ ବିଶ୍ବାସକୁ କରିବା ସମୂଳେ ଦୂର ।
ଆଜିର ଯୋଜନା ସବୁ, କାଗଜେ ରହିଛି
ଶିଶୁ ରହେ ପେଟ ବିକଳରେ
ନିର୍ବାଚନ ହୁଏ, ବଡ ବଡ ହୁରି ପଡ଼େ, ଶିଶୁ
ଖଟଇ ବାଳ ଶ୍ରମିକ ଭାବରେ ।
ଧନ ଅଛି ଯାର, ତାର ପିଲାଟି ଶିକ୍ଷା ନିଏ
ବଡ ବଡ ପବ୍ଲିକ ସ୍କୁଲରେ
ଯା ପାଖେ ନାହିଁ ଧନ, ତାର ପିଲା କଟାଏ
ଜରି ପ୍ଲାଷ୍ଟିକି ଗୋଟାଇବାରେ ।
ତେଣୁ ନର ହୋଇଛି ସ୍ୱାର୍ଥପର ମିଥ୍ୟା ଜିତୁଛି
ଏଇ ପୁଂଜିବାଦୀ ସମାଜେ ବାରମ୍ବାର
ଦୁଃଖରେ ମରେ ଖଟିଖିଆ, ଲୁହ ଝରୁଛି ତାର
ନ୍ୟାୟ ଧର୍ମ ବିରୁଦ୍ଧେ ବିଜୟ ହୁଏ ଅର୍ଥର ।
