STORYMIRROR

Kabiratna Nutan Kumar Behera

Tragedy Action

4  

Kabiratna Nutan Kumar Behera

Tragedy Action

ଅସ୍ତରଙ୍ଗ

ଅସ୍ତରଙ୍ଗ

1 min
354

        

ବୟସ କ୍ରମରେ       ସବୁରି ଜୀବନେ

     ଘନେଇ ଆସେ ବାର୍ଦ୍ଧକ୍ୟ,

ଅତୀତ ପୃଷ୍ଠାରୁ        ବର୍ତ୍ତମାନ ଯାଏ

     ଖୋଜା ହୁଏ ତା' ପାର୍ଥକ୍ୟ।

ହେତୁ ହେବା ଦିନୁ    ଗୋଟି ଗୋଟି କରି

     ମନେ ହୁଏ ଯେତେ ସ୍ମୃତି,

ଅଭୁଲା ଯେତିକି       ଭାବୁଥାଏ ବସି

      ଅଙ୍ଗେ ଯା' ଯାଇଛି ବିତି।

ଦେହ ହୁଏ କ୍ଷୀଣ       ଅକ୍ଷମ ରୁଗୁଣ

       ଦକ୍ଷତା ହୁଅଇ ହ୍ରାସ,

କ୍ଳାନ୍ତ ଶରୀରରେ      ନିସ୍ତେଜତା ପୁରି

       କରି ପକାଏ ବିବଶ।

ଦିନଚର୍ଯ୍ୟା ଯେତେ    ବଦଳେ କ୍ରମଶଃ

       ବଞ୍ଚିବାଟା ହୁଏ କଷ୍ଟ,

ଜୀବନ ଯାତନା       ବଢ଼ି ବଢ଼ି ଯାଏ

       ଲକ୍ଷ୍ୟପଥ ହୁଏ ଭ୍ରଷ୍ଟ।

ଇନ୍ଦ୍ରିୟର ଶକ୍ତି         ହୁଅଇ ଦୁର୍ବଳ

      ଖୋଜୁ ଥାଏ ସେବା ଯତ୍ନ,

ଅସହାୟ କାଳେ   କାର୍ଯ୍ୟେ ଆସେ ନାହିଁ  

      ପୋତା ଉଭା ଧନରତ୍ନ।

ପାର୍ଥିବ ବିଭବେ      ଆସକ୍ତି ରହେନା

      ମୃତ୍ୟୁ ନାଚେ ଆଖି ଆଗେ,

ଅର୍ଜିତ ସମ୍ପତ୍ତି         ମଣୁଥାଏ ତୁଚ୍ଛ

     ଶେଯେ ପଡ଼ିଥାଏ ରୋଗେ।

ପାପ ପୁଣ୍ୟ କେତେ     ହିସାବର ଫର୍ଦ୍ଦ

      ଚାଲଥାଏ ତା' ତର୍ଜମା,

ମରଣର ବେଳ     ଆସି ଯାଏ ଯେବେ

      ମିଳେନାହିଁ ଆଉ କ୍ଷମା।

ଜୀବନର ସୂର୍ଯ୍ୟ       ଢ଼ାଳି ଅସ୍ତରଙ୍ଗ

      କରିଦିଏ ସବୁ ଫିକା,

ମୃତ୍ୟୁର କରାଳ      ଛାଇ ଢାଙ୍କି ଦିଏ

     ଶୋକରେ ସାରା ଇଲାକା।

ନିଷ୍ଠୁର ସତ୍ୟକୁ      ଫାଙ୍କି ହୁଏ ନାହିଁ

      ସର୍ବେ ତାର ଅଧିନସ୍ଥ,

ଜନମ ମରଣ         ବିଧିର ବିଧାନ

    ଟଳେ ନାହିଁ ହେଲେ ତ୍ରସ୍ତ।

ବିଜ୍ଞ ଜ୍ଞାନୀ ଗୁଣୀ      ସାଧୁ ସନ୍ଥ ଜନ

       ବୁଝି ସୃଷ୍ଟିତତ୍ତ୍ଵ ଭାବ,

ମହତ କର୍ମରେ       ରହିଥାନ୍ତି ରତ

      ହୃଦେ କରି ଅନୁଭବ।

ଜୀବନ ନିମିତ୍ତ       ବୁଝି ତା ମହତ୍ବ

      ହୁଏ ନାହିଁ ଅହଂକାରୀ,

ସଂସାର କଲ୍ୟାଣେ   ଯଶ କୀର୍ତ୍ତି ଅର୍ଜି

      ଭବ ସିନ୍ଧୁ ହୁଏ ପାରି।

ସାର୍ଥକ ଜୀବନ     ଜିଇଁ ଦୁନିଆଁରେ

      ରହେ ତା' ଆତ୍ମବିକାଶେ।

ଅସ୍ତହେଲେ ମଧ୍ୟ     ତାର ଅସ୍ତରଙ୍ଗ

     ଚହଟେ ସାରା ଆକାଶେ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy