କ୍ଷତାକ୍ତ ପ୍ରେମ
କ୍ଷତାକ୍ତ ପ୍ରେମ
ଅଯଥାରେ ସିନା
ଅଳୀକ ଜୀବନେ
ଅନିଚ୍ଛାରେ ତୁମେ ପଶି ଗଲ,
ଅବୋଧଟେ ପରି
ଅବାଧ୍ୟ ହେଲିନି
ଅଳି ପରି ପୁଣି ଦଂଶି ଦେଲ ।
ଅନସୂୟା ଥିଲି
ଅସତୀ ମୁଁ ହେଲି
ଅଇଁଠାରେ ହେଲି ଗଣା ,
ଅଟକି ଯାଉଚି
ଅବାଟେ ଯିବାକୁ
ଅଶରୀର ହେବି ଜଣା ।
ଅପସରା ଥିଲି
ଅପସରି ଗଲି
ଅପହଞ୍ଚ ଅଂଚଳକୁ,
ଅପେକ୍ଷା କରିବି
ଅନନ୍ତ ବରଷ
ଅନିର୍ଦ୍ଦିଷ୍ଟ ସକାଳକୁ ।
ଅବନା ଅକ୍ଷରେ
ଅତି ଶରଧାରେ
ଅନତି ଦୂରରୁ ଡାକି ଦିଅ ,
ଅଳସ ଆଖିରେ
ଅଣେଇ କଣେଇ
ଅନିଶା କରେ ମୁଁ ତୁମ ମୁହଁ ।
ଅଳଙ୍କାର ଦେଇ
ଅଳଙ୍କୃତ କଲ
ଅଳକାପୁରୀକୁ ନେବ ବୋଲି,
ଅସତ୍ୟ ଭାବନା
ଅସହ୍ୟ ଯନ୍ତ୍ରଣା
ଅନାମିକା ହେଇ ରହି ଗଲି ।
ଅଳ୍ପରେ ସରିଲା
ଅଗଳ୍ପ ବୋଲି ଏ
ଅମର ପ୍ରେମ ଆମରି ,
ଅଧୁରା ରହିଲା
ଅନେକ ସପନ
ଅସରାଏ ମେଘ ପରି ।