STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ଲଣ୍ଠନ

ଲଣ୍ଠନ

1 min
394

ଅତି ଦରକାରୀ ଜିନିଷଟିଏ ମୁଁ

ନାମ ମୋର ଅଟେ ଲଣ୍ଠନ 

ଘନ ଅନ୍ଧକାର ଦୂର କରିଦେଇ

ଆଲୋକକୁ କରେ ପ୍ରଦାନ।


ଦିନ ଥିଲା ମୋତେ ଅତି ଆଦରରେ

କରୁଥିଲେ କେତେ ଯତନ

ହେଲେ ଆଜି ମୁଁ ହୁଏ ନାରଖାର

ହେଉଅଛି ମୁଁ ହୀନିମାନ।


ଲୁହାରେ ତିଆରି ଶରୀର ମୋହର

ମଧ୍ୟଭାଗରେ କାଚଘର

ସେହି ଘରେ ମୋର ଜଳୁଥାଏ ନିତି

ଆଲୋକବତୀ ସଳିତାର।


ଇନ୍ଧନ ଦେଲେ ମୁଁ ଜଳିଥାଏ ଉଚ୍ଚେ

ପଵନକୁ କରଇ ଭୟ 

ଇନ୍ଧନ ସରିଲେ ଦୁର୍ବଳ ହୁଅଇ

ମିଞ୍ଜି ମିଞ୍ଜି ଦିଏ ଆଲୁଅ।


ମନେ ପଡ଼େ ଆଜି ଅତୀତର ସ୍ମୃତି

ପିଲା ସାଥୀମେଳର କଥା

ପାଠ ପଢ଼ିବାକୁ ସାଥିରେ ନିଅନ୍ତି

ଦେବାକୁ ଆଲୋକର ଶିଖା।


ଅନ୍ଧାର ସମୟେ ଆଲୋକର ଜ୍ୟୋତି

ଦାରିଦ୍ର୍ୟର ମୁଁ ସହକର୍ମୀ

ବାତ୍ୟା ପବନରେ ସହାୟ ହୁଏ ମୁଁ

ତମସାକୁ ତ ଯାଏ ଜିଣି।


ଅତୀତ କାଳେ ଭାଗବତ ଟୁଙ୍ଗିରେ

ପୁରାଣ ପଢ଼ିବା ପାଇଁକି

ବୃଦ୍ଧଵ୍ୟକ୍ତିଙ୍କର ଆବଶ୍ୟକ ହୁଏ

ଲଣ୍ଠନକୁ ଖୋଜା ଯାଏକି।


ଘମା ଅନ୍ଧକାରେ ପଥିକ ସାଥିରେ

ପାଶେ ପାଶେ ମୁଁ ରହିଥାଏ

ଭୋଅଟ କାର୍ଯ୍ୟରେ ନ୍ୟାୟର ପ୍ରତୀକ 

ମୁଁ ସାକ୍ଷୀଟିଏ ସାଜିଥାଏ।


ଆଧୁନିକତାରେ ବଦଳି ଯାଇଛି 

ମାନବ ସମାଜିକ ଗତି 

ଲଣ୍ଠନଟିଏ ମୁଁ ଅଲୋଡ଼ା ଅଖୋଜା

ହେଲା ଯେଵେ ବିଜୁଳି ବତି ।


ମୋ ତ୍ୟାଗ ମହତ୍ତ୍ଵ କେହି ଵୁଝିଲେନି

ଭୁଲିଗଲେ ମୋତେ ସଭିଏଁ

ଘର କୋଣେ ମଧ୍ୟେ ଫୋପାଡ଼ି ଦେଇଣ

ଅଣଦେଖା ସେ କରିଥାଏ।


ହୃଦୟକୁ ମୋର ଉତ୍ତାପରେ ଭରି

ଜଳିଜଳି ଯେ ଜଳୁଥାଏ

ନିଜକୁ ନିଜେ ମୁଁ ଅନ୍ଧାରରେ ରଖି

ପରୋପକାର କରିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy