ଲୁହ ନଈ
ଲୁହ ନଈ
ଧାର ଧାର ଲୁହ ବହି ଯାଉଅଛି
ହୋଇଅଛି ଲୁହ ନଈ
ଯେତେ ବୁଝାଇଲେ ମନ ବୁଝୁ ନାହିଁ
କୋହ ଉଠେ ରହି ରହି ।
ଧାରା ଶିରାବଣେ ଘୋର ବରଷାରେ
ଫୁଲି ଉଠେ ନାଳ ନଈ
ସେହିପରି ଆଜି ଆଖିରୁ ଛୁଟୁଛି
ବନ୍ୟା ହୋଇ ଲୁହ ନଈ ।
କିଏ ସେ କିପରି ବୁଝାଇବ ତାକୁ
କିପରି ବୁଝିବ ସିଏ
ମାଆର ହୃଦୟ ତରଳି ଯାଇଛି
ଲୁହ ନଈ ହୋଇ ବହେ ।
ସମୟ ଅଟଇ ବଡ ବଳବାନ
ତା ସମ ହୋଇବ କିଏ
ସବୁ ସୁଖ ଶାନ୍ତି ଛଡେଇ ନେଇଛି
ସୁଖ ଭାଙ୍ଗି ଦେଲା ସିଏ ।
ଏକୋଇର ବଳା ବିଶିକେସନକୁ
ସମୟ ନେଲା ଛଡାଇ
ସ୍ବାମୀ ଯାଇଥିଲେ ପୁଅ ଗଲା ଏବେ
ବହି ଯାଏ ଲୁହ ନଈ ।
କୁଆଡୁ ଆସିଲା ଅଜଣା କରୋନା
କେତେ କଲବଲ କଲା
ମାଆ ଆଗେ ଭେଣ୍ଡା ପୁଅ ଚାଲିଗଲା
ସ୍ବାମୀ ତା ଆଗରୁ ଗଲା ।
ସରିଅଛି ସବୁ ଯିଏ ଯେତେ କହୁ
ମନ ମୋଟେ ବୁଝୁନାହିଁ
ଅମାନିଆ ଆଖି ଧାର ଧାର ହୋଇ
ବୁହାଉଛି ଲୁହ ନଈ ।
ସ୍ବାମୀ ସୁତ ଦୁହେଁ ଚାଲିଗଲେ ଯାର
ତାକୁ କେ କି ବୁଝାଇବ
ସମ୍ପୂର୍ଣ୍ଣ ଏକାକୀ ଅସହାୟ ଯିଏ
ସାନ୍ତ୍ବନା ତାକୁ କେ ଦେବ ।
ନିଜକୁ ନିଜେ ସେ ବୁଝାଇ ପାରିଲେ
ଶୁଖିବ ଏ ଲୁହ ନଈ
ସାନ୍ତ୍ବନା ମୁଁ କିଛି ଦେଇ ପାରୁନାହିଁ
କୋହ ମୋ ମନେ ଉଠଇ ।