ଚଞ୍ଚକତା
ଚଞ୍ଚକତା
କାଳର କରାଳ ସ୍ରୋତ
ପରିସ୍ଥିତି ଯୁଦ୍ଧ ଭୟାନକ
ରଜାପୁଅ ହୋଇଯାଏ ରଙ୍କ,
ଥାଟବାଟ ପଟୁଆର ତାର
ଲୁଟିଖାଏ ମନ୍ତ୍ରୀ ସନ୍ତ୍ରୀ ପଟୁଆରୀ
ଅଧସ୍ତନ ଖଣ୍ଟ ।
ଚଞ୍ଚକତା ଇତିବୃତ୍ତି ଆତ୍ମକଥା
କହୁଥିଲା ରଙ୍କଟି ବିଚରା
ଦିନଥିଲା ରଜା ଥିଲେ ତା ବାପଅଜା,
ଆଜି ଝଟକୁନି ମୁଣ୍ଡେ ତାର
ହୀରା ମୋତି ସୁନାର ମୁକୁଟ
ପାଦ ତଳୁ ମାଟି ମଧ୍ୟ ଖସି ତା ଯାଇଛି
ଅକାରଣ ତାର ବଳିଦାନ
ଦିନେ ଯିଏ ଦେଶ ପାଇଁ ଜାତି ପାଇଁ
ଶତ୍ରୁ ଆଗେ ପାତି ଦେଇ ଛାତି
ହସି ହସି ଜୀବନକୁ
ଦେଉଥିଲା ମୂର୍ଚ୍ଛି ,
କି°କର୍ତ୍ତବ୍ୟ ଉତ୍ତରଦାୟାଦ ତାର
ଚକ୍ରବ୍ୟୁହେ ଅଭିମନ୍ୟୁ
କରୁଛନ୍ତି ଚଞ୍ଚକତା ଆକ୍ରମଣ
ରଥୀ ମହାରଥୀ ।
କପାଳକୁ ନିନ୍ଦି କହୁଥିଲା ରଙ୍କ ରଜାପୁଅ
ଲାଗିଥିଲା ମୋଗଲ ପଠାଣ ଗୋଳ
କପଟିଆ ଇ°ରେଜ ବି ଖୁବ୍ ଖେଳୁଆଡ଼
କେଇ ଟଙ୍କା ବୃଦ୍ଧି କରି ପଟୁଆରୀ ପ୍ରାପ୍ୟ
ଖଳବଳ ଲାଞ୍ଚମିଛେ ଗିଳିଗଲେ
ରଜାଘର ପ୍ରଗଣା ସର୍ଗଣା
ଦେବସ୍ୱ ସର୍ବସ୍ୱ
ବଗ ମୁଣ୍ଡେ ଢାଳିଦେଲେ ଅଠା
ଏବେ ଚତୁର ଢାଉକ କାଉ
ଭୋଗକରେ ଐଶ୍ୱର୍ଯ୍ୟ ମିଠା ।
ଧୂଳିସାତ ମହଲ ପ୍ରସାଦ
ଭାଙ୍ଗି ଯାଏ ତା ମଠ ମନ୍ଦିର
କର ଆଉ ଦିଏ ନାହିଁ ପ୍ରଜା
ହୀନିମାନ ଦିଅ ଓ ଦେବତା
ରଙ୍ଗହୀନ ଝୁଲଣ ମେଲଣ
ଠ ଠା ଠି ଖାଲି ଲୋକ ଦେଖାଣିଆ
ନାମ ମାତ୍ର ତା ଯାନି ଯାତରା ।
ରଙ୍କ ସବୁ ପାଲଟିବେ ରାଜା
ଔଜସ୍ୱ1ନୀ ଭାଷଣରେ ଜଳେ ବତୀ
ସୂତ୍ର ସମାନତା
କିନ୍ତୁ ଚଞ୍ଚକତା ନଷ୍ଟଗତି
ରହସ୍ୟ ଦୁର୍ବୋଧ୍ୟ
ଦେବତାଙ୍କୁ କରିଦିଏ ତୁଚ୍ଛ
ରଜାଙ୍କୁ ବି କରିଦିଏ ରଙ୍କ
ମଥାପିଟି ଏ ଯାବତ ସେ ରଙ୍କ ରଜାପୁଅ
ଖୋଜୁଛି ଉତ୍ତର
ଛିଡୁ ନାହିଁ ତାର ମାନସାଙ୍କ ।