ଶେଷ ଶୃଙ୍ଗାର
ଶେଷ ଶୃଙ୍ଗାର
ପିଲାଦିନେ ମାଆ ସଜ କରୁଥିଲା
ତା' ସ୍ନେହ ସୋହାଗ ଦେଇ
ଭାବୁ ଥିଲା ସିଏ କଳା ଟିପା ଦେଲେ
ନଜର ଲାଗିବ ନାହିଁ ।
ଶବ୍ଦ ମାନଙ୍କର କୋଳାହଳ ମଧ୍ୟେ
ବୋହୂ ଶବ୍ଦରେ ଭାସିଲି
କୁନି କୁନି ହାତେ ଚୁଡି ପିନ୍ଧି ମୁହିଁ
ମୁଣ୍ଡରେ ଓଢ଼ଣା ଦେଲି ।
କୁନି ମନେ ମୋର ପ୍ରତିଟି ମର୍ମରେ
ଶବ୍ଦ ତରଙ୍ଗ ଖେଳିଲା
ମୋ ବୋହୂ ବୋହୂକା ଖେଳ ମଧ୍ୟ ପୁଣି
କେତେ ସ୍ଵପ୍ନ ଖେଳୁ ଥିଲା ।
କିଶୋର ବୟସେ ନିଜକୁ ଦେଖିଲି
ନିଜେ ମୁଁ ଶୃଙ୍ଗାର ହେଲି
ବାରମ୍ଵାର ଯାଇ ଆଇନା ପାଖରେ
ନିଜକୁ ମୁଁ ଦେଖୁ ଥିଲି ।
ନିଜକୁ ନିଜେ ମୁଁ ସୁନ୍ଦର ଦିଶିଲି
ଶବ୍ଦ ସୌନ୍ଦର୍ଯ୍ୟ ହଜିଲି
ସବୁଠୁ ସୁନ୍ଦରୀ ନିଜକୁ ଭାବିଲି
କେତେ ଯେ ଶୃଙ୍ଗାର ହେଲି ।
ସମୟ ଆସିଲା ଦୁଆରେ ଡାକିଲା
ବେଦୀ ମୋ ସଜ୍ଜିତ କଲେ
ଶୃଙ୍ଗାର ମଣ୍ଡିତ କରି ଘର ଲୋକେ
ବେଦୀରେ ବସାଇ ଦେଲେ।
ଯଜ୍ଞବେଦୀ ପରେ ସୁନ୍ଦର ଶୃଙ୍ଗାର
ତୁମେ ମୋତେ କରାଇଲ
ଜୀବନ ଜାତକେ ନାରୀ ଜୀବନର
ସାର୍ଥକତା ଲେଖି ଦେଲ ।
ଜୀବନ ଜଞ୍ଜାଳେ ଜୁଡୁ ବୁଡୁ ହୋଇ
ଶୃଙ୍ଗାର ମୁଁ ଭୁଲିଗଲି
ସଭିଙ୍କର ମନ ବୁଝିବାକୁ ଯାଇ
ନିଜକୁ ମୁଁ ଭୁଲି ଗଲି ।
ଜୀବନ ନାଟକେ ଯବନିକା ଯେବେ
ପଡିବାକୁ ଯାଉଅଛି
ମୋ ଶେଷ ଶୃଙ୍ଗାର କରିଦିଅ ତୁମେ
ଟିକିଏ ସିନ୍ଦୁର ଦେଇ ।
ତୁମରି ହାତରେ ମୋର କଚଟିରେ
ପିନ୍ଧାଅ ଦିପଟ ଶଙ୍ଖା
ପାଦେ ମୋ ଅଳତା ମାଖି ଶରଧା ରେ
ସୁଖେ କରି ଦିଅ ବିଦା ।
ମୋ ଶେଷ ଶୃଙ୍ଗାର ତୁମ ହାତେ ହେଉ
ଲିଭି ଯାଉ ଯେତେ କ୍ଲେଶ
ମୋ ସ୍ମୃତି ସାଉଁଟି ତୁମେ ବଞ୍ଚୁ ଥାଅ
ମୋତେ ମିଳୁ ହେ ଆଶିଷ ।