ରଙ୍ଗର ପର୍ବ ହୋଲି
ରଙ୍ଗର ପର୍ବ ହୋଲି


ଜୟ ଗୋପୀନାଥ ଜଗତହିତ
ତୁମ୍ଭ ପାଇଁ ହୁଏ ଏ ଦୋଳଯାତ
ଫାଲଗୁନ ପୂର୍ଣ୍ଣିମା ଦୋଳଯାତରା
ଦୋଳପୂର୍ଣ୍ଣିମା ବି କହନ୍ତି ପରା ଯେ
ବସନ୍ତ ରାହାସ ପର୍ବ
ରାଧାକୃଷ୍ଣଙ୍କର ଅମର ପ୍ରେମର
ସ୍ମୃତି ଚାରଣ ପରବ । ୧ ।
ଗୋପପୁରେ ନନ୍ଦ ପରବ କରି
ଉତ୍ସବ ମନାନ୍ତି ଅବିର ଖେଳି
ରାଧାକୃଷ୍ଣଙ୍କର ଦୋଳ ମଣ୍ଡନ
ଦୋଳି ମଞ୍ଚାଳନ୍ତି ଗୋପିକା ଗଣ ଯେ
କୃଷ୍ଣ ମନ୍ଦେ ମନ୍ଦେ ହସି
ରାଧିକା ସଙ୍ଗତେ ଦୋଳିରେ ବସିଣ
ଶ୍ରୀକୃଷ୍ଣ କରନ୍ତି କେଳି ଯେ । । ୨ ।
ବାରମାସେ ବାର ପୂର୍ଣ୍ଣିମା ହୁଏ
ଫାଲଗୁନ ପୂର୍ଣ୍ଣିମା ତହୁଁ ଗୋଟିଏ
ବସନ୍ତ ରାହାସ ପଡେ ଏ ଦିନ
କଦମ୍ବ ତରୁଠୁ କୁଞ୍ଜକାନନ ଯେ
ଗୋପରେ ପଡଇ ହୁରି
ଗୋପଗୋପାଳୁଣୀ କୃଷ୍ଣ ପ୍ରେମେବାଇ
ହାତରେ ଅବିର ଧରି ଯେ । ୩ ।
ଶ୍ରୀ କୃଷ୍ଣଲୀଳାମୃତ ଅପୂର୍ବ ଗାଥା
ଗୋପ ତରୁଣୀ ଏ ହୋଇଣ କଥା
ଠରାଠୁରୀ ହୋଇ ସାଙ୍ଗ ଗହଣେ
ହରଷେ ଯାଆ
ନ୍ତି କୁଞ୍ଜକାନନେ ଯେ
କଦମ୍ବ ତରୁ ସଦନେ
ତରୁ ତୃଣ ଲତା ରହିଛନ୍ତି ଚାହିଁ
ଶ୍ରୀକୃଷ୍ଣଙ୍କ ଆଗମନେ ଯେ । ୪ ।
ରଙ୍ଗର ପର୍ବଟି ଅଟଇ ହୋଲି
ଅବିରକୁ ଘେନି ଗୋପଛଇଲି
ରାଧା ମାଧବଙ୍କୁ ଦୋଳିମଣ୍ଡଣି
କରି ଝୁଲାଇବେ ଗୋପ କାମିନୀ ଯେ
କୃଷ୍ଣ ପ୍ରେମେ ହୋଇବାଇ
ଅବିରର ରଙ୍ଗେ ରଙ୍ଗାୟିତ ହେବେ
ପ୍ରେମେ ମତୁଆଲା ହୋଇ ଯେ । ୫ ।
ଦୋଳଯାନେ ଶୋଭା ଦୋଳ ଗୋବିନ୍ଦ
ଗୋପପୁରେ ଆଜି ପୂର୍ଣ୍ଣିମା ଚାନ୍ଦ
ଘରେ ଘରେ ପୁରେ ପରବ ପାଲି
ମନର ଆନନ୍ଦେ କରନ୍ତି କେଳି ଯେ
ଦଧିହାଣ୍ଡିକୁ ଭଞ୍ଜନ
ମନର ଆନନ୍ଦେ ଭକ୍ତ ବନ୍ଧୁ ଜନ
ବ୍ରଜଧୂଳା ମୁଣ୍ଡେ ଘେନ ଯେ । ୬ ।
ହରିବଂଶ ତୃତୀୟ ଖଣ୍ଡ ବାଣୀ
ଅଚ୍ୟୁତାନନ୍ଦ ଙ୍କ ଅଟେ ସୃଜନୀ
ଦୋଳଯାତ ରାସ ମଣ୍ଡନ କଥା
ଷୋଳକୁଞ୍ଜେ ରାଧାକୃଷ୍ଣଙ୍କର ଗାଥା ଯେ
ଅପୂର୍ବ ରାସ ବିଧାନ
ବସନ୍ତ ଋତୁର ଆଗମନେ ହୁଏ
ଫାଲଗୁନ ପୂର୍ଣ୍ଣିମା ଦିନ ଯେ । ୭।