STORYMIRROR

Prasanta Beuria

Abstract

4  

Prasanta Beuria

Abstract

ନା'

ନା'

2 mins
365

ମୋ' ନା' ଟା କେଉଁ ଆଡେ ହଜିଯାଇଛି !   

ଭୁଲିଯାଇଛି ମୋ ନା' କଣ ଥିଲା। 

ଜମା ମନେ ପଡୁନି କଣ କରିବି ?

କାହାକୁ ପଚାରିବି- ମୋ ନା' କଣ ଥିଲା, 

ସେ କୁଆଡେ ହଜିଗଲା ?


ସବୁ ଆଡେ ଖୋଜି ସାରିଲିଣି, 

କେଉଁଠି ହେଲେ ମିଳିଲା ନାହିଁ।     

ଲାଗୁଛି ,ସିଏ ମତେ ଛାଡି ପଳେଇ ଯାଇଛି ! 

ଯେମିତି ଜୀବନ ପଳେଇଯାଏ, 

ମରିବାକୁ ଥିବା ମଣିଷକୁ ଛାଡି। 


ମୁଁ ତାକୁ ଶୋଇବା ଶେଜ ତଳେ ଖୋଜିଲି, 

ଛାତ ଉପର ଆକାଶ ତଳେ ଖୋଜିଲି। 

ହଜି ଯାଇଥିବା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ 

ମଲା ସ୍ମୁତିରେ ଖୋଜିଲି , ପାଇଲି ନାହିଁ।  


ନିଜ ନା'କୁ ଖୋଜିବା ପାଇଁ ; 

ପୁରୁଣା ସ୍ୱପ୍ନ ମାନଙ୍କର କବାଟ ବାଡ଼େଇଲି, 

ସବୁ କବାଟ ଗୁଡାକ ମୋ ପାଇଁ ବନ୍ଦ ଥିଲା। 

ସତେ ଯେମିତି ମୁଁ ଗୋଟେ ଭୁତ ! 


ମନର ବ୍ଲାକ୍ ହୋଲ୍ ଭିତରେ ଦରାଣ୍ଡିଲି ;     

ଯେଉଁଠି ବହୁତ ଦିନ ତଳୁ ମରି ଯାଇଥିବା, 

ଆଶା ମାନଙ୍କର ପାଉଁଶ ଗଦା ଭିତରେ,    

ମିଳିଲା କେବଳ କଳା ଅନ୍ଧକାର, ବିସ୍ମୃତି।     

ଯେଉଁଠି ବୋଧହୁଏ ଗାଢ଼ କଳା ରଙ୍ଗରେ, 

ଫେଣ୍ଟି ହୋଇ ମିଶି ଯାଇଥିଲା ମୋ ନା'!    


ହଟାତ୍ ମୋ ପକେଟ୍ ଭିତରେ, 

ଗୋଟେ ଫଟୋ ପାଇଲି ।

ଯେଉଁଥିରେ ଗୋଟିଏ ନା' ଲେଖା ହୋଇଥିଲା, 

ତା' ପାଖରେ ଗୋଟେ ପରିଚୟ ।  

ସେଇ ପରିଚୟ ଯୁକ୍ତ ନା' କୁ ଧରି, କିଛିଦିନ ଜୀବନଟା ବଂଚିଥିଲା ।       

(ସେଇ ନା' ପାଇଁ ଜୀବନ ବଂଚିଥିଲା , 

କିମ୍ବା ଜୀବନ ପାଇଁ ନା' ବଂଚିଥିଲା ତାହା କହିହେବ ନାହିଁ ।) 

କିନ୍ତୁ ଏକାଠି ଦୁହେଁ କିଛି ଗୋଟେ କରୁଥିଲେ । 

ଚାଲୁଥିବା ବେଳେ କିମ୍ବା ସ୍ୱପ୍ନ ଦେଖୁଥିବା ବେଳେ । 

 

ନା' ତୁ ଦିନେ କେତେ ବଳବାନ୍ ନ ଥିଲୁ !

ତୋ ଆଖିର ଚମକରେ ସମୟକୁ ବି ଅଟକେଇ ଦେଉଥିଲୁ ।      

ଘଂଟାର ଛୋଟ କଣ୍ଟା ଉପରେ ବଡ କଣ୍ଟା ଶୋଇ ପଡୁଥିଲା,  

ରମଣ କରିବାକୁ ମିଳନ ମୁଦ୍ରାରେ;

ତୋ' ଜୀବନର ଶୀର୍ଷ ସମୟରେ - ବାରଟା ବେଳେ ।  

ନା' ତୁ ଶୀଘ୍ର ମତେ ମିଳି ଯାଅ ।

ଥରେ ମାତ୍ର ଛୁଇଁ ଦେ ଏକ ମଲା ପରିଚୟର ଦେହକୁ,   

ଆଉଥରେ ବଂଚିବାର ସୁଯୋଗ ଦେବାକୁ ।


ପାହାଡ଼ ତଳେ ଛିଡା ଆକାଶକୁ ଅନାଇ 

ତୁ ଯେତେବେଳେ କହୁଥିଲୁ - ମୋର ! ସବୁ ମୋର !  

ଶୂନ୍ୟ ଆକାଶ ବି ପ୍ରତିଧ୍ୱନି କରି କହୁଥିଲା -  

ମୋର ! ସବୁ ମୋର ! 

ନା' କୁଆଡେ ହଜିଗଲୁ ?

ତତେ ତ ମତେ ସାଙ୍ଗରେ ନେଇ ହଜିବାକୁ ଥିଲା !  


କିଛି ବର୍ଷ ପରେ ,ତୋ' ନିଜ ଆତ୍ମୀୟ ମାନେ, 

ତତେ ପରିତ୍ୟାଗ କରିବେ ତାଙ୍କର ସ୍ମୁତିରୁ ।

ସେମାନେ ତାଙ୍କର ପୂର୍ବପୁରୁଷକୁ ନିଜର ବୋଲି ଅସ୍ୱୀକାର କରିବେ ।

କାରଣ ତୁ ତାଙ୍କ ବଂଚିବା ଭିତରେ ନଥିବୁ କିମ୍ବା ତାଙ୍କ ସ୍ୱପ୍ନରେ ।

 

ମୁଁ ଦୃଢ ଭାବରେ ଜାବୁଡି ଧରିଛି,

 ହଜି ଯିବାକୁ ଥିବା ଏକ ନାମ କୁ । 

ଯେମିତି ଏକ ଅନାଥ ଶିଶୁ ଜାବୁଡି ଧରିଥାଏ,

 ଅନ୍ୟ କାହା ମା'କୁ । 


ଏକ ମ୍ୟାଜିକ୍ ପରି ତୁ' ମୋ ଠାରୁ ହଜିଗଲୁ,   

ଲାଗୁଛି, ଯେପରି ଗୋଟେ ମଲାଗ୍ରହ ଉପରେ

 ଉଲ୍କାପାତ ହେଲା ।   

ଏକ ଆଞ୍ଚୁଡା ଦାଗ ଛାଡି ଦେଇଗଲା ସବୁଦିନ ପାଇଁ ।     


କଣ ହେବ ଯଦି ଦୁଃଖ - ସୁଖ ହୋଇଯିବ, 

ସୁଖ - ଦୁଃଖ ପାଲଟି ଯିବ ?

ଯଦି ଆମେ ଜୀବନଟାକୁ ମୃତ୍ୟୁ 

ଓ ମୃତ୍ୟୁକୁ ଜୀବନ ବୋଲି ଭୁଲ୍ ରେ ଧରିନେବା ?

ଲାଗୁଛି ନା' ହଜି ଗଲାପରେ,   

ମୋ ଛଡା ଅନ୍ୟ କେହି ଜଣେ ମୋ' ଲୁହରେ କାନ୍ଦିବ ? 


ମିଳିଗଲା ! ଶେଷରେ ହଜି ଯାଇଥିବା ନା'କୁ ପାଇଲି !

ନା' କୁ ମୁଁ ଆବିଷ୍କାର କଲି, 

ଛ' ଖଣ୍ଡ ବାଉଁଶ ଉପରେ ; 

ବାସି ଗେଣ୍ଡୁମାଳ ଗଦା ଓ ସାଧା ଗୋଲାପ ପାଖୁଡା ତଳେ !

କିନ୍ତୁ, ନା' ଆଗରେ ଗୋଟେ ନୂଆ ଚିହ୍ନ ଲେଖା ସରିଥିଲା,

ଏକ ଠିକ୍ ଚିହ୍ନ ପେଟରେ ବିନ୍ଦୁ ଟିଏ - (୰ ) ।



Rate this content
Log in

Similar oriya poem from Abstract