ପୁଣ୍ଯ ଭୂମି ମୋ ଭାରତ
ପୁଣ୍ଯ ଭୂମି ମୋ ଭାରତ
ପୁଣ୍ଯ ଭୂମି ମୋ ଭାରତ ଜନନୀ
କେତେ ଆପଣାର ମୋର ।
ମୁକୁଟ ଯାହାର ହିମାଚଳ ଗିରି
ଶୋଭେ ମସ୍ତକେ ଯାର ॥୧॥
ଗଙ୍ଗା ଯମୁନା ପୂତ ସଲିଳା
ଗୋଦାବରୀ ସରସ୍ଵତୀ ।
ନର୍ମଦା ସିନ୍ଧୁ କାବେରୀ ସହିତ
ବ୍ରହ୍ମପୁତ୍ର ପୟସ୍ମତୀ ॥୨॥
ଅମୃତ ଧାରା ବିତରନ୍ତି ଯହିଁ
ପୁଣ୍ଯ ତୀର୍ଥସ୍ଥଳମାନ ।
ବିରାଜିତ ମୋର ପୁଣ୍ଯ ଭୂମିରେ
ପୁଷ୍କରାଦି କ୍ଷେତ୍ରମାନ ॥୩॥
ଅଯୋଧ୍ୟା ମଥୁରା ମାୟାପୁରୀ
କାଶୀ କାଞ୍ଚିପୁରୀ ଅବନ୍ତିକା ।
ପୁଣ୍ଯ ଭୂମି ମୋ ଭାରତେ ମହାନ
କ୍ଷେତ୍ର ମୋକ୍ଷ ପ୍ରଦାୟିକା ॥୪॥
ବଦ୍ରିନାଥ କେଦାରନାଥ ସହିତ
ରାମନାଥ ଜଗନ୍ନାଥ ।
ଚାରିଧାମ କ୍ଷେତ୍ର ଅଛି ଏ ଭୂମିରେ
ସାରା ଜଗତେ ବିଦିତ ॥୫॥
ଏ ପୁଣ୍ଯ ଭୂମିରେ ସ୍ବୟଂ ନାରାୟଣ
ଧରି ଅବତାରମାନ ।
ଦୁଷ୍ଟଙ୍କୁ ସଂହାରି ସାଧୁ ରକ୍ଷାକରି
କରନ୍ତି ଧର୍ମ ରକ୍ଷଣ ॥୬॥
ରାମ ଅବତାରେ ଦଶାନନ ମାରି
ରାଜା କଲେ ଦଶାନନ ।
ଜଗତକୁ ଶିକ୍ଷା ଦେଇଗଲେ ହେବ
କିଭଳି ପୁରୁଷୋତ୍ତମ ॥୭॥
କୃଷ୍ଣ ଅବତାରେ କୁରୁକ୍ଷେତ୍ର ଯୁଦ୍ଧେ
ଶିକ୍ଷା ଦେଲେ ଗୀତା ଜ୍ଞାନ ।
ଯୁଗେ ଯୁଗେ ପ୍ରଭୁ ଅବତାର ଧରି
ରଖନ୍ତି ଭକତ ମାନ ॥୮॥
ପ୍ରହ୍ଲାଦ ନାରଦ ପରାଶର ବ୍ୟାସ
ଅମ୍ବରୀଷ ପୁଣ୍ଡରୀକ ।
ଭୀଷ୍ମ ଦାଲଭ୍ୟାନ ରୁକ୍ମାଙ୍ଗଦ
ଅରଜୁନ ବିଭୀଷଣ ଶୁକ ॥୯॥
ବିଶ୍ଵାମିତ୍ର ବଶିଷ୍ଠ ମୁନିପୁଙ୍ଗବ
ଜନମିଲେ ଏ ଭୂମିରେ ।
ଦଶରଥ ଜନକ ବସୁଦେବ ବି
ଜନମିଲେ ଭାରତରେ ॥୧୦॥
ଋଷି ମୁନି ଦେଶ ମୋ ଭାରତ ବର୍ଷ
କେତେ କେତେ ତପୋଧନ ।
ଜନମି ଏ ଦେଶେ କୀରତି ଥାପିଲେ
ବଢାଇଲେ ଦେଶ ମାନ ॥୧୧॥
ଅହଲ୍ୟା ଦ୍ରୌପଦୀ ତାରା ମନ୍ଦୋଦରୀ
କୁନ୍ତୀ ଅରୁନ୍ଧତୀ ସୀତା ।
ପ୍ରାତଃ ସ୍ମରଣୀୟା ମାତା ଜନମିଲେ
ଧନ୍ୟା ଏ ଧରିତ୍ରୀ ସୁତା ॥୧୨॥
କେତେ ଶୂର ବୀର ଜନମି ଏ ଦେଶେ
ପ୍ରାଣବଳି ଦେଶ ହିତେ ।
ଦେଇଗଲେ ରଖି ଅକ୍ଷୟ କୀରତି
ନାମ ରହିଛି ମରତେ ॥୧୩॥
ଶାନ୍ତି ମୈତ୍ରୀ ପ୍ରୀତିର ପ୍ରତୀକ
ପୁଣ୍ଯ ଭୁମି ମୋ ଭାରତ ।
ଧର୍ମ କାମ ଅର୍ଥ ମୋକ୍ଷ ସାଧନେ
ସଭିଏଁ ଏଥି ସମର୍ଥ ॥୧୪॥
