ଶବ୍ଦର ହୋଲି
ଶବ୍ଦର ହୋଲି


ଭାବନା ସବୁ ଯେତେବେଳେ ଲୁଚକାଳି ଖେଳନ୍ତି
ଦଳି ଚକଟି ଅଣନିଃଶ୍ବାସୀ ହୋଇ ପଡ଼ନ୍ତି
ତାଙ୍କୁ ସରଳାର୍ଥରେ ଛନ୍ଦି,ଶବ୍ଦର ମୋତିରେ ଗୁନ୍ଥି
ଜୀବନ୍ୟାସ ପାଏ ନୂଆ ଅବୟବଟିଏ
ନୂଆ କିଛି ନ ଥାଏ ସେମିତି ପ୍ରକୃତରେ
ବିସ୍ମୃତ କିଛି ଘଟଣା ଯେତେବେଳେ
ଅବେଳରେ ଚେଇଁ ଉଠନ୍ତି ସୁପ୍ତ ଅବସ୍ଥାରୁ
କବିଟିଏ ହୋଲି ଖେଳେ ସ୍ୟାହିର ଦାଗରେ।
ବିଶ୍ୱାସ କର !
ଅଚିହ୍ନା ଭାବନା ଖୁବ୍ କମ୍ ଥାଆନ୍ତି ସେଠି
ବେଶୀ ଥାଏ ଜର୍ଜରିତ ପ୍ରଳାପ
ଅନ୍ତରଙ୍ଗ କମ୍ ଥିବ,ବେଶୀ ଅକୁହା ଆଳାପ।
ଯଦି ଏତେ ସହଜ ହୁଅନ୍ତା
ଅବିବେକୀ ମଣିଷର ମନ ପଢ଼ିବା
ଲୁପ୍ତ ପ୍ରାୟ ହୋଇଯାଆନ୍ତା ଯେ !
ଭାବନାକୁ ଶବ୍ଦରେ ପ୍ରକାଶ କରିବା।
ଦେଖିନ କି ?
ଭୋକର ଶିକାର ମଣିଷକୁ ହାତ ପାତିବାର
ଅତୃପ୍ତ ମନ ଏଠି ଜଳନ୍ତା ନିଆଁ ଅଙ୍ଗାର
ଇପ୍ସିତ, ପ୍ରାପ୍ତି ନ ହେବା ଯାଏ
ଅହରହ ରଚୁଥିବ ଗୋଲକଧନ୍ଦାର ଖେଳ।