ମଲା ନଈ
ମଲା ନଈ


"ତୁମେ କହୁଛ ଯା' ବହି
ହେଲେ, କେମିତି ବହିବି ?
ମୁଁ ପରା ମଲା ନଈ !
ଡିନାମାଇଟ୍ ବିଷ୍ଫୋରିତ ଗିରି କନ୍ଦରରୁ,
ସବୁଜିମା ବିବର୍ଜିତ ମାଳ କାନ୍ତାରରୁ,
ଧୂଳିଧୂସରିତ ରୁକ୍ଷ ମରୁପ୍ରାନ୍ତରରୁ,
ତୁମେ କହୁଛ ଯା' ବହି,
ହେଲେ, କେମିତି ବହିବି ?
ମୁଁ ପରା ମଲା ନଈ !
ମୋର ବକ୍ଷେ ଲଦିଦେଇ ଆବର୍ଜନା ଭାର,
ଶାଖା ପ୍ରଶାଖାରେ ଭରି ଶିଳ୍ପର ଜହର,
ତୁଣ୍ଡେ ଦେଇ ନିରିମାଲ୍ଯ ବିଷାକ୍ତ କୃଷିର,
ତୁମେ କହୁଛ ଯା' ବହି
ହେଲେ, କେମିତି ବହିବି ?
ମୁଁ ପରା ମଲା ନଈ !
ପ୍ରଗତି ନାମେ ଶୋଷିଛ ମୋ ଜୀବନ ଧାରା,
ଶିଳ୍ପ ନାମେ ଶୋଷିଅଛ ମୋ ଶିରାପ୍ରଶିରା,
କଣ୍ଠରୁଦ୍ଧ କରିଛ ମୋ ଦେଇ କଂକ୍ରିଟ୍ ଘେରା,
ତୁମେ କହୁଛ ଯା' ବହି
ହେଲେ, କେମିତି ବହିବି ?
ମୁଁ ପରା ମଲା ନଈ !
ପାହାଡ଼ି ଝରଣା ଯେତେ ସବୁ ଗଲେ ଶୁଖି,
ମୌସୁମୀ ଆସୁନି ଆଉ ମୋ ଗୁମାନୀ ସଖି,
ମରୁ ପଥେ ଠେଲିଦେଲ କରି ଉର୍ଦ୍ଧ୍ବମୁଖି,
ତୁମେ କହୁଛ ଯା' ବହି
ହେଲେ, କେମିତି ବହିବି ?
ମୁଁ ପରା ମଲା ନଈ !"