STORYMIRROR

Prasanna Rana

Comedy

4  

Prasanna Rana

Comedy

ସର୍ବଂସ୍ୱାହା ଭାଟି

ସର୍ବଂସ୍ୱାହା ଭାଟି

1 min
233

      ସରବ ଶୋଷିଣୀ ଭାଟି,

ଧନ, ମନ, ମାନ    ସବୁ ଶୋଷୁ ଅଛୁ

     ଖୋଲିଦେଇ ତୋର ପାଟି।


ତୋର ନାଲି ପାଣି    ପରିମାଣ ଜାଣି

     ଦେହେ ମୋ ଦେଇଛି ବଳ,

ଶକତି ଦେଇଛି     ତୃପତି ଦେଇଛି

     ଭାଟିର ଚାଖଣା ଝୋଲ ।   


ଖଟ ପଲଙ୍କର       କଅଁଳ ବିଛଣା 

     ନ ଦିଏ ଆରାମ ମତେ,

ତୋହର ମହୁଲି   ପିଇ ଦେଲେ ଢାଳି 

     ନିଦ ଆସେ ଗ୍ରାମପଥେ।


ଦେହ ଦୁଃଖ ପାଇଁ   ସାଇତିଛୁ କେତେ

     ମେକ୍‌ ଡୁଏଲ୍‌, ହ୍ୱିସ୍କି, ରମ୍‌,

ମନ ସୁଖ ଲାଗି      ଚାଖଣା ପସରା 

      କେଉଁ ଗୁଣେ ନୁହେଁ କମ୍‌।


ବୁକୁ ମୋ ଫୁଲାଏ   ମନ ମୋ ଭୁଲାଏ

        ମଦୁଆ ବନ୍ଧୁର ଡାକ,

ଘରଣୀ ଡାକିଲେ    ମନ ବଳେ ନାହିଁ 

        ଛାଡ଼ିବାକୁ ତୋର ପାଖ।


ପ୍ରଥମ ପିଆଲା      ପିଇଥିଲେ ଭାଇ

        କୋଇରିର କୁହୁତାନ,

ଦ୍ୱିତୀୟ ପିଆଲା     ପିଇଥିଲେ ଜାଣ

        ଶୁଭେ ସିଂହର ଗର୍ଜନ।


ତୃତୀୟ ପିଆଲା     ପିଇ ସାରିଥିଲେ 

        ଶୁଆ ପରି ଘୁଷୁର୍‌ଘୁଷା,

ଚତୁର୍ଥ ପିଆଲା     ପିଇ ସାରିଦେଲେ

        ଗ୍ରାମ୍ୟ ଶୂକରୀର ଦଶା।


ଯେତେ ହୁଡ଼ା କୁଦା  କରେ ତୋହ ପାଖେ

       ଭକ୍ତ ବୋଲି ଯାଉ ଭୁଲି,

କେତେ ଛଳ କରି     ଆଜି ଦିବସରେ 

       ଆସିଛି ତୋ ପାଖେ ବୁଲି।


ଅଇଁଠା ଗିଲାସେ    ଦେଏ ଟିକେ ମତେ

       ନିଦା ହେଉ ମୋର ଛାତି,

ମଦ ପିଇପିଇ        ଏ ଜଗତ ପାଇଁ 

       ଲାଗିପଡ଼େ ଦିନ ରାତି।


ଦିହ ସିନା ତୋର      ଚାଳ କି ଛପର

        କଅଁଳ ପତର ପ୍ରାଣ,

ସବୁ ମାଡ଼ ଗାଳି      ସହିବାକୁ ମତେ 

     କରି ଦେ ତୋ' ପରି ଟାଣ।


ତୋହର ସ୍ଥିତିରେ    ମୋହର ସ୍ଥିତି ଗୋ

      ମୋର ହସେ ତୋର ହସ,

ତୋହରି ଅନ୍ତର    ଆଦେଶେ ଚଳେଁ ମୁଁ 

     ଘୋଷି ତୋର ମହାଯଶ।


ଚିର ଦୁଃଖର ତୋ      ପାହାନ୍ତି ଅନ୍ଧାର 

       ରାତି ଆସୁଅଛି ପାହି,

ନବୀନ ଶାସନେ      ନବୀନ ସପନେ

      ଜୟଗାନ ତୋର ଗାଇ।


ତୁହି ମଲ୍ଲଭୂମି       ଗଣ୍ଡଗୋଳ ଭୂମି

     ତୋ' ପାଇଁ ଶ୍ରୀହୀନ ଗାଆଁ,

ତୋର ପାଦଧୂଳି    ମୁଣ୍ଡେ ହୋଇ ବୋଳି 

      ବୁଡ଼ାଇଲି ମୋର ନାଆଁ।


       ରାଜସ୍ୱ -ଗରଭା-ଭାଟି,

ଶାସନ ହାତରେ      ଧରେଇ ଦେଇଛୁ

        ରାଜସ୍ୱର ଚାବିକାଠି।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy