ବସୁନ୍ଧରାର ସ୍ୱର
ବସୁନ୍ଧରାର ସ୍ୱର
ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?
କୋଇଲିର କୁହୁକୁହୁ ବେସୁରା ବେସୁରା,
ମଧୁପର ଗୁଣୁଗୁଣୁ ବିଧୁରା ବିଧୁରା,
ଝିଙ୍କାରିର ଝିଇଁଝିଇଁ ଅବା କଇଁକଇଁ କାନ୍ଦ,
କୁଳୁକୁଳୁ ଝରଣାର ନୀରବିତ ପାଉଁଜିର ଛନ୍ଦ !
ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?
ଲଣ୍ଡା ପାହାଡ଼ରୁ ଉତୁରି ଆସୁଥିବା ସାଇଁସାଇଁ ବସନ୍ତମଳୟ,
ନିଦାଘ ଝାଞ୍ଜିର ସଁ ସଁ ହାହୁତାଶମୟ,
କପୋତୀର ବାହୁନି ବାହୁନି ରୋରୁଦା ବଖାଣ,
"ଉଠ୍ ପୁତା ଉଠ୍,ପୂରିଲାଣି ମାଣ।"
ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?
ଆକାଶର ଉଡ଼ନ୍ତା ଡେଣାରେ ଗୁଳିର କମ୍ପନ,
ଡିନାମାଇଟ୍
ଅନ୍ତଃସ୍ଥଳା ପାହାଡ଼ର ହୃଦୟ-ସ୍ପନ୍ଦନ,
ବୃକ୍ଷରୁ ଖସି ପଡ଼ୁଥିବା ବଳିଷ୍ଠ ଶାଖାର ବିଳାପ,
ଶୁଷ୍କକଣ୍ଠା ତୃଷାତୁରା ନଦୀର ଆଳାପ !
ଶୁଣି ପାରୁଛ ତ !
ଟଙ୍କାର ଠନ୍ଠନ୍ ଶବ୍ଦରେ
ନୀରବି ଯାଉଥିବା ବସୁନ୍ଧରାର ସ୍ୱର !!
ହେ ମଣିଷ !
ଖୋଲିଦେଇ ସ୍ୱାର୍ଥର ଖୋଳପା
ଫିଙ୍ଗିଦେଇ ଭୌତିକ ଆଟୋପ
ଶୁଣ ଥରେ...
କୋଇଲିର କୁହୁତାନ
ଭଅଁରର ଗୁଞ୍ଜରଣ
ଝିଙ୍କାରିର ଝିଇଁଝିଇଁ
ମଳୟର ସାଇଁସାଇଁ
ଶୁଣି ଦେଖ ବସୁନ୍ଧରାର ସ୍ୱର,
ଏକାନ୍ତ ମଧୁର ଆଉ ଶାଶ୍ୱତ ସୁନ୍ଦର।