STORYMIRROR

Prasanna Rana

Abstract

4  

Prasanna Rana

Abstract

ବସୁନ୍ଧରାର ସ୍ୱର

ବସୁନ୍ଧରାର ସ୍ୱର

1 min
239

ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?

କୋଇଲିର କୁହୁକୁହୁ ବେସୁରା ବେସୁରା,

ମଧୁପର ଗୁଣୁଗୁଣୁ ବିଧୁରା ବିଧୁରା,

ଝିଙ୍କାରିର ଝିଇଁଝିଇଁ ଅବା କଇଁକଇଁ କାନ୍ଦ,

କୁଳୁକୁଳୁ ଝରଣାର ନୀରବିତ ପାଉଁଜିର ଛନ୍ଦ !


ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?

ଲଣ୍ଡା ପାହାଡ଼ରୁ ଉତୁରି ଆସୁଥିବା ସାଇଁସାଇଁ ବସନ୍ତମଳୟ,

ନିଦାଘ ଝାଞ୍ଜିର ସଁ ସଁ ହାହୁତାଶମୟ,

କପୋତୀର ବାହୁନି ବାହୁନି ରୋରୁଦା ବଖାଣ,

"ଉଠ୍‌ ପୁତା ଉଠ୍‌,ପୂରିଲାଣି ମାଣ।"


ଶୁଣି ପାରୁଛ ତ ବସୁନ୍ଧରାର ସ୍ୱର ?

ଆକାଶର ଉଡ଼ନ୍ତା ଡେଣାରେ ଗୁଳିର କମ୍ପନ,

ଡିନାମାଇଟ୍‌ ଅନ୍ତଃସ୍ଥଳା ପାହାଡ଼ର ହୃଦୟ-ସ୍ପନ୍ଦନ,

ବୃକ୍ଷରୁ ଖସି ପଡ଼ୁଥିବା ବଳିଷ୍ଠ ଶାଖାର ବିଳାପ,

ଶୁଷ୍କକଣ୍ଠା ତୃଷାତୁରା ନଦୀର ଆଳାପ !


ଶୁଣି ପାରୁଛ ତ !

ଟଙ୍କାର ଠନ୍‌ଠନ୍‌ ଶବ୍ଦରେ

ନୀରବି ଯାଉଥିବା ବସୁନ୍ଧରାର ସ୍ୱର !!


ହେ ମଣିଷ !

ଖୋଲିଦେଇ ସ୍ୱାର୍ଥର ଖୋଳପା

ଫିଙ୍ଗିଦେଇ ଭୌତିକ ଆଟୋପ

ଶୁଣ ଥରେ... 

କୋଇଲିର କୁହୁତାନ

ଭଅଁରର ଗୁଞ୍ଜରଣ 

ଝିଙ୍କାରିର ଝିଇଁଝିଇଁ 

ମଳୟର ସାଇଁସାଇଁ 

ଶୁଣି ଦେଖ ବସୁନ୍ଧରାର ସ୍ୱର,

ଏକାନ୍ତ ମଧୁର ଆଉ ଶାଶ୍ୱତ ସୁନ୍ଦର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract