ପାରା ପୁରାଣ
ପାରା ପୁରାଣ
ଆମ ଶତୁରା ବଡ ଓଥରା
ଉପରମୁହାଁ ସେହି,
ଛାତି ପଞ୍ଜରା ଫଟେଇଦେଲା
ମୋସାଥେ ଧକ୍କା ହେଇ।
ଦେଖାଯାଉନି କିରେ ଶତୁରା
ଏଡ଼େ ନିଲଠା ତୁହି,
ଅବସ୍ଥା ମୋର କଲୁ ନାକେରା
ପାରା ନିଶାରେ ରହି।
କେଣେ ଗଲା ତୋ ବାପ ମଥୁରା
ତା'ଆଗେ ଆଜି କହି,
ବହେ ମାଡ ମୁଁ ଖୋଇବି ତୋତେ
ଜାଣ୍ ଶତୁରା ତୁହି।
ଶତୁରା କହେ ଚକରା ଦାଦି
ବାପାକୁ କହ ନାହିଁ,
ମୋଠାରୁ ଖଣ୍ଡେ ପାନ ଖାଇକି
ଯା'ରେ ଖୁସି ହୋଇ।
ଚକରା ଦାଦି କହୁଛି ଆରେ
ପାରା ନିଶାରେ ରହି,
ବୟସ ତୋର ଗଡ଼େଇ ଦେଲୁ
ବାହା ବି ହେଲୁ ନାହିଁ।
ଗଞ୍ଜେଇ,ବିଡ଼ି,ପାନ,ଗୁଟୁଖା
ସବୁ ଅଭ୍ୟାସ ତୋର,
ଅକର୍ମା ପଣେ ବେକାର ହେଇ
କଲୁ ପାରା ବେପାର।
ପାରା ରଖାଳି ଯେତେକ ସବୁ
କରିଛ ଗୋଟେ ଗୋଷ୍ଠୀ,
ଯେଉଁଠି ଦେଖ ଛକ ବଜାରେ
ଲାଗିଛି ତୁମ ଖଟି।
ଭାରି ଟାଣୁଆ ମଜବୁତିଆ
ତୁମର ସଙ୍ଗଠନ,
ସ୍ଵତନ୍ତ୍ର ତୁମ ଏ ରାଜନୀତି
ଧନ୍ୟ ଏ ପାରା ପ୍ରେମ।
ନର,ଛବିଲା,ବାଘୁଆ,ମାଧି,
ହରା,ମଛିଆ,ରାଣୀ,
ପରା ମାନଙ୍କ ନାଆଁ ଦେଇଛ
କେତେ ରକମ ପୁଣି।
ମଦ,ଗଞ୍ଜେଇ,ଅଫିମ ଆଉ
ଯେତେକ ନିଶା ଅଛି,
ହେଲେ ଏ ପାରା ନିଶାଟି କିନ୍ତୁ
ସବୁକୁ ବଳିଅଛି।
ବେଳଟି ଥିଲା ପାରାଟି ପରା
ଚିଠିଟି ବୋହୁ ଥିଲା,
ଆଜି ଯୁଗରେ ଚିଠି ଉଠିଲା
ପାରା କାମସରିଲା।
ଆରେ ଶତୁରା ରଖିଲେ ପାରା
ସେଥିରେ କେଉଁ ଲାଭ,
କହିବୁ ଟିକେ ବୁଝାଇ ସତେ
ତୁହି ମୋହରି ଆଗ।
ଶତୁରା କହେ ପାରା ପୁରାଣ
ଚକରାଦାଦି ଶୁଣେ,
ପ୍ରଥମ ଲାଭ ପାରା ରଖିଲେ
ଘର ପୁରିବ ଧନେ।
ପାରାରୁ ପୁଣି ଦ୍ଵିତୀୟ ଲାଭ
ମନରେ ମିଳେ ଖୁସି,
ତୃତୀୟ ଲାଭ ସଂସାର ଚିନ୍ତା
ଭୁଲିବୁ ହସିହସି।
ପାରା ତୋହର ତୁ ପାରାଙ୍କର
ପାରାଠି ମନ ଥିବ,
ଯେଉଁ ପାରାଟି ଅଧିକ ଉଡ଼ି
ବାଦଲ ଛୁଉଁଥିବ।
ସେଇ ପାରାର ପାଞ୍ଚ ହଜାରୁ
ମୂଲ୍ୟ ଅଧିକ ହେବ,
ପାରା ଅଣ୍ଡାରେ ପାରାଲିସିସ୍
&nb
sp; ରୋଗ ବି ଦୂର ହେବ।
ପାରା ରଖିଲେ ଅନେକ ଲାଭ
ଅଛି ତ ଏଇଭଳି,
ଏଇ କଥାକୁ ତାଙ୍କ ପଛରେ
ଲୁଚି ମୁଁ ଶୁଣୁଥିଲି।
ବଢିଲା ଲୋଭ ପାରାଠି ଭାବ
ଶତୁରା କଥା ଶୁଣି,
ମନ ମୋ ହେଲା ପାରା ଯୋଡିଏ
ତାଠାରୁ ନେବି କିଣି।
ଶତୁରା କହେ ଅପର୍ତ୍ତି ଭାଇ
ପାରା ରଖିବୁ ଯେବେ,
ଆମ ଗୋଷ୍ଠୀରେ ନାଆଁ ଲେଖାଇ
ମେମ୍ବର ହେବୁ ତେବେ।
ନାଁ ଲେଖିଲି ଟଙ୍କା ମୁଁ ଦେଲି
ପାରା ଯୋଡ଼ିକ ନେଲି,
ତା'ର ଜାଲିରେ କାଠପଟାରେ
ଭାଡିଟି ବନେଇଲି।
ଆସ ଆସରେ ପାରା ଯୋଡ଼ିକ
ମୋର ପିଣ୍ଡାରେ ବସ,
ଖାଇବାକୁ ମୁଁ ଦେବି ତୁମକୁ
ନିଶ୍ଚେ ନଡ଼ିଆ ରସ।
ପିଇବାକୁ ମୁଁ ଦେବି ତୁମକୁ
ମହାନଦୀର ପାଣି,
ଶୋଇବା ପାଇଁ ମଖମଲିର
ବିଛଣା ଦେବି ବୁଣି।
ଧାନ, ଚାଉଳ,ବିରି ,ଷୋରିଷ
ପାରା ମାନଙ୍କୁ ଦେଇ,
ଅଣ୍ଡା ବସେଇ ଛୁଆ ଫୁଟେଇ
ବଂଶ ଦେଲି ବଢେଇ।
ଘରର କାମ ଧନ୍ଦା ଭୁଲିଲି
ପାରାଠି ମନ ଦେଲି,
ଘରଣୀ ଗାଳି ଚନ୍ଦନ ଭଳି
ଦେହରେ ବୋଳି ହେଲି।
ଗଲା ସର୍ବସ୍ବ ଜମି ଦି'ଗୁଣ୍ଠ
ତାକୁ ବି ଦେଲି ବିକି,
ପାରା ନିଶାରେ ଟେରା ମୁଁ ହେଲି
ଉପରେ ଦେଖି ଦେଖି।
ଭୁଲ୍ରେ ଯଦି ବିଲେଇଟାଏ
ପାରା ମୋ ଗୋଟେ ନିଏ,
ଆଠ ଦିନ ମୁଁ ନଖାଇ ପିଇ
ତା'ପଛରେ ଧାଏଁ।
ଆର ଗାଁର ନନ୍ଦ ମୋ ଏକ
ପାରାଟି ରଖିଦେଲା,
ନିଶାପ ହେଇ ଗାଁ କେଏସ
ଥାନା ପର୍ଯ୍ୟନ୍ତ ଗଲା।
ପାରା ନିଶାପ ଭାରି ଜଟିଳ
ସେ ଜମା ମେଣ୍ଟେ ନାହିଁ,
ଅନେକ ଥର ମାଡ଼ ଗୋଳରେ
କଥାଟି ଉଠେ ଯାଇ।
ନୂଆ ପାରାଟି ଉଡୁଛି ଦେଖେ
ଆମ ଗାଆଁ ଉପରେ,
ଧରିବି ବୋଲି ପାରା ଲଗେଇ
ଦେଲି ମୁଁ ତାପଛରେ।
ଉପର ଚାହିଁ ପାରା ଅନେଇ
ଯାଉଥିଲି ମୁଁ ଧାଇଁ,
ଗୋବର ଖାତ ଭିତରେ ଯାଇ
ପଡି ଯେ ଗଲି ମୁହିଁ।
ଗୋଡ଼ ଭାଙ୍ଗିଲି ଛୋଟା ମୁଁ ହେଲି
ମନରୁ ଭୁଲୁ ନାହିଁ,
ପାରା ପୁରାଣ କହିଲେ ଭାଇ
ଜମା ସରିବ ନାହିଁ।