ସାବିତ୍ରୀ ସଂସ୍କାର ପଥେ
ସାବିତ୍ରୀ ସଂସ୍କାର ପଥେ
(ରମ୍ୟ ରଚନା)
ଯମ ମହାରାଜ ନିର୍ଦ୍ଦେଶ ପାଳନେ
ଚିତ୍ରଗୁପ୍ତ ଭାରି ବ୍ୟସ୍ତ
ଅନୁସନ୍ଧାନର କାର୍ଯ୍ୟ ତ୍ୱରାନ୍ୱିତ
କିଏ ପାଳୁ-ଅଛି ବ୍ରତ
ଗୁଗୁଲ୍ ସର୍ଚ୍ଚ, ଗୁଗୁଲ୍ ଆସିଷ୍ଟାଣ୍ଟ
ସପିଙ୍ଗ୍ ଆଉ ଡେଟିଙ୍ଗ୍
ପ୍ରତ୍ୟେକ ସାଇଟ୍ ଖୋଜା ହେଲା ପରେ
ମେଳ ହେଲାନି ପ୍ରସଙ୍ଗ
ଫେସ୍ ବୁକ୍ ଘଣ୍ଟାଏ ଘାଣ୍ଟିଲା ପରେ
ଲାଇଭ୍ ଶୋ ହେଲା ଦେଖା
ଖୋଜୁ ଖୋଜୁ ସତୀ ସାବିତ୍ରୀ .. ସାବିତ୍ରୀ
ଅନେକ ସାବିତ୍ରୀ ଦେଖା
ସବୁ ସାବିତ୍ରୀ ତ ଅନିନ୍ଦ୍ୟ ସୁନ୍ଦରୀ
ଚିତ୍ର ଗୁପ୍ତ ମତି ଭ୍ରମ
ମେକଅପ୍ ଏଡିଟିଙ୍ଗ୍ ,ସହିତରେ
ସୁନ୍ଦରତା ଅନୁପମ
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଠାଣି ବାଣୀ ମନ ଜିଣା
ରେଟିଙ୍ଗ୍ ଓ ଫଲୋର୍ସ୍ ପ୍ରାୟ ଅଗଣିତ
ଚିତ୍ର ଗୁପ୍ତ ବୁଦ୍ଧି ବଣା
କ୍ରମେ ଯମରାଜ ଜାଣିଲେ ଘଟଣା
ମର୍ତ୍ତ୍ୟେ ସାବିତ୍ରୀ ରାଜୁତି
ଏକ ସୁନ୍ଦରୀ ସାବିତ୍ରୀ ନେଇଯିବା
କଥା ଭାଳିଲେ ସମ୍ପ୍ରତି
ସତ୍ୟବାନ୍ ପ୍ରାୟ ସମ୍ପୂର୍ଣ୍ଣ ସତିଆ
ସାବିତ୍ରୀ କୁ ଛାଡ଼ିଦେବ
ଅନ୍ୟ ଏକ ନୂଆ ସାବିତ୍ରୀ ଖୋଜିବ
ବୋଧେ ଖୁସିରେ ରହିବ
ଯମରାଜାଙ୍କର ଟାର୍ଗେଟ୍ ପୂରଣ
ଅବଶ୍ୟ ହେବ ସାଧନ
ସାବିତ୍ରୀ ନାମରେ ଅଯଥା ଝାମେଲା
ଖୁସି ହେବ ସତ୍ୟବାନ୍
କାର୍ଯକାରୀ ହେଲା ଚିନ୍ତିତ ଯୋଜନା
ସାବିତ୍ରୀ ର ନାହିଁ ପ୍ରାଣ
ସାବିତ୍ରୀ ବିହୁନେ ଦୁଃଖେ ସତ୍ୟବାନ୍
ଉପାୟ କରେ ସନ୍ଧାନ
ସାବିତ୍ରୀ କୁ ଛାଡ଼ି କେମିତି ବଞ୍ଚିବ
ଅସହାୟ ଆନମନା
ସତ୍ୟବାନ୍ ସୁତ୍ର ପାଇ ୟୁ-ଟ୍ୟୁବ୍ ରେ
ଫେରି ପାଇବା ଯୋଜନା
ଆମରଣ ଅନଶନ ଆଧାରରେ
ସାବିତ୍ରୀ ଦିଅ ଫେରାଇ
ଯମ ରାଜ ପ୍ରତି ଜି-ମେଲ୍ ପଠାଇ
ବସିଛି ଉତ୍ତର ପାଇଁ
ଯମ ରାଜାଙ୍କର ଆସନର ସ୍ଥିତି
ହେଲା ଟଳମଳ ଆପେ
ଉପାୟ ନ ପାଇ ଉଭାହେଲେ ଆସି
ସତ୍ୟବାନ୍ ର ସମୀପେ
ଯମ ରାଜାଙ୍କର ଉଭା ହେବା ଦେଖି
ସନ୍ଦେହ ହେଲା ମନରେ
ସତ ଯମ ଅବା ଯାତ୍ରା କଳାକାର
ଠିଆ ଅଛି ସମ୍ମୁଖରେ
ଅନଶନ ବନ୍ଦ ହେବ ନାହିଁ କହି
ଆରମ୍ଭ କଲା ଭାଷଣ
ପର ମୁହୂର୍ତ୍ତରେ ମଇଁଷି କୁ ଦେଖି
ସନ୍ଦେହ ହେଲା ମୋଚନ
ପ୍ରଭୁ,ମୋ ସାବିତ୍ରୀ ମୋ ପ୍ରାଣର ସାଥୀ
ସାବିତ୍ରୀ କୁ ଛାଡି ଦିଅ
ମୋ କଥା କେବଳ ସିଏ ହିଁ ଜାଣିଛି
ନେବେ ଯଦି ମୋତେ ନିଅ
ସବୁ ଜାଣି ବି ମୋ ପାଖରେ ରହୁଛି
ଝଗଡ଼ା ମାତ୍ର ଦିନରେ
ରାତି ହେଲେ ମିଳାମିଶା ଦିଆନିଆ
ଭାବ ରହିଛି ହୃଦରେ
ଆରେ ମୂର୍ଖ କହି ଗର୍ଜି କହେ ଯମ
ସାବିତ୍ରୀ ବିନା ନବୀନ
ସାବିତ୍ରୀ ଥାଇ ବି ମୋଦି ଏକୁଟିଆ
ତୁହି କାହିଁକି ଉଚ୍ଛନ୍ନ
ଅଲଗା ସାବିତ୍ରୀ ଅବଶ୍ୟ ମିଳିବ
ସାବିତ୍ରୀ କଣ ଅଭାବ?
ସାବିତ୍ରୀ ଗୁହାରି ଶୁଣିବିନି ବୋଲି
ଉପାୟ ଏ ଅଭିନବ
ଆପଣଙ୍କ ଭକ୍ତ ପ୍ରାୟ ସବୁଦିନ
ମଥାରେ ଦିଏ ସିନ୍ଦୂର
ଭୁଲ୍ ଅବା ତା'ର କେଉଁଠି ରହିଲା
ସବୁ କାମ ତା' ସୁନ୍ଦର
ସତ୍ୟବାନ୍ ର ରକ୍ଷା ଆଉ ସୁରକ୍ଷା
ଖିଆ ପିଆ,ଭଲ ମନ୍ଦ
ନିଜେ ସବୁ ପରା ସାବିତ୍ରୀ ବୁଝଇ
ତା' ଖୁସିରେ ମୋ ଆନନ୍ଦ
ଅଭାବ ରେ ଥାଇ ହସିଛି ସାବିତ୍ରୀ
ସାବିତ୍ରୀ ମୋର ଜୀବନ
ସାବିତ୍ରୀ ବିନା ଜୀବନ ନିରର୍ଥକ
ଦୟା କରନ୍ତୁ ରାଜନ
ଯମ କହୁଛନ୍ତି ଶୁଣ ତୁ ସତିଆ
ସାବିତ୍ରୀ ମାତି-ଅଛନ୍ତି
ପ୍ରାୟ ସବୁ ସୋସିଆଲ ମିଡିଆରେ
ଦେହ ବି ଦେଖାଉଛନ୍ତି
ନବେ ପରଶେଣ୍ଟ୍ ଦେହ ଖୋଲା ରହେ
ଦେଖି ହୁଏ ମତି ଭ୍ରମ
ଇଣ୍ଡିଆ ସାବିତ୍ରୀ ବିଦେଶ ଠୁ ବଳି
ସୁନ୍ଦରୀ ବି ଅନୁପମ
ବିଦେଶୀ ସାବିତ୍ରୀ ଶାଢ଼ୀ ପିନ୍ଧା ଶିଖି
ସଂସ୍କାରି ହେଉଛି ନିଜେ
ଇଣ୍ଡିଆ ସାବିତ୍ରୀ ସାନ ଡ୍ରେସ୍ ଖୋଜେ
ସହ୍ୟ ହେଉନି ସହଜେ
ସବୁ ସତିଆ ଘରେ ନ ଥିଲା ବେଳେ
ସାବିତ୍ରୀ ଲାଇଭ୍- ଶୋ ରେ
ଭାଉଜ ବେଶରେ ମଜା ନେଉଛନ୍ତି
ଭାଳେଣି ବି ସ୍ଵର୍ଗ ପୁରେ
ସ୍ୱର୍ଗପୁର ବାସି ପ୍ରାୟ ଚାହୁଁଛନ୍ତି
ଭାରତ ଦେଶ ସାବିତ୍ରୀ
ଯମ ନିଜ କଥା କେମିତି କହିବ
ସାବିତ୍ରୀ ଭାଳୁଛି ନିତି
ସତିଆ ସାବିତ୍ରୀ କେସ୍ ବୁଝି ବୁଝି
ନିଦରେ ସାବିତ୍ରୀ ଡାକ
ମୂଳରୁ ମାରିବା ପାଇଁ ଏ ଯୋଜନା
ସାବିତ୍ରୀ ନାମେ କଳଙ୍କ
ଭୁଲ୍ ହେବ ନାହିଁ କହି ସତ୍ୟବାନ
ସମାଧାନ କେଉଁ ମତେ
ଯମ ରାଜା ପାଶେ ନିବେଦନ କଲା
ସାବିତ୍ରୀ ଉଦ୍ଧାର ଅର୍ଥେ
ଦୟା କରି, ପ୍ରଭୁ ଉପାୟ କହନ୍ତୁ
ସାବିତ୍ରୀ ସଂସ୍କାର ଜ୍ଞାନ
ସାବିତ୍ରୀ ନ ହେଲେ ସୃଷ୍ଟି ହେବ ନାଶ
ସବୁ ହେବ ଅଘଟଣ
ମାନବ ସଭ୍ୟତା ଆଗକୁ ଯିବନି
ପୂଜିବେ ନାହିଁ କେ' ଯମ
ସୃଷ୍ଟି ରକ୍ଷା ହେଉ ସାବିତ୍ରୀ ବି ରହୁ
ଘେନ ମୋହର ପ୍ରଣାମ
ଠିକ୍ ଅଛି, ତୋର ସାବିତ୍ରୀ ଫେରିବ
କିନ୍ତୁ ଥିବୁ ସାବଧାନ
ଭୟ ଭକ୍ତି ସହ ନଜର ରଖିବୁ
ସାବିତ୍ରୀ ର ଆଚରଣ
ଜାୟା, ଜନନୀ ଓ ଭଗିନୀ ରୂପରେ
ସାବିତ୍ରୀ ହେଉ ଗ୍ରହଣ
ସଂସ୍କାର ସହିତ ଘରେ ଓ ବାହାରେ
ହେଉ ଜୀବନ ଯାପନ
କିନ୍ତୁ ନ ଆସନ୍ତୁ ଲାଇଭ ଶୋ ରେ
ଲଜ୍ଜ୍ୟା ପୁଣି ଘୋର ଲଜ୍ଜ୍ୟା
ଫେରି ଯିବି କହି ଯମ ରାଜ ଗଲେ
ସତିଆ ଖୋଜେ ଭାରିଯା
ଆଖି ଖୋଲି ଯେବେ ଦେଖିଲା ସାବିତ୍ରୀ
ସତିଆ କାନ୍ଦୁରା ମୁହଁ
ଘର ଅସଜଡା ସାବିତ୍ରୀ ବ୍ରତରେ
ମନରେ ଉଠିଲା କୋହ
ଏତେ ବେଳ ହେଲା ଶୋଇଲା କେମିତି
ସତିଆ ସତ କହିଲା
ଯମଙ୍କ ପାଖରୁ ଫେରିଛି ସାବିତ୍ରୀ
ଶୁଣି ମୁଣ୍ଡିଆ ମାରିଲା
ଏ ଟାଣ ଖରାରେ ଯମ କଥା ଶୁଣି
ବହେ ଗାଳି ସାବିତ୍ରୀ ର
ଅନ୍ୟ ଦିନେ ହେଉ,ସାବିତ୍ରୀ ରେ ନାହିଁ
ବାପା ଘରୁ ପରା ଭାର!!
ଯମ କଥା ରଖି ଲାଇଭ୍ ଶୋ ନାହିଁ
ସାବିତ୍ରୀ ସଂସ୍କାର ପଥେ
ସାବିତ୍ରୀ ରୂପରେ ନମସ୍ୟ ସେ ନାରୀ
ଯେ' ଅଛି ସମାଜ ହିତେ ।।
