STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ଜୀବନଠୁ ବଡ଼ କବିତା ନୁହେଁ

ଜୀବନଠୁ ବଡ଼ କବିତା ନୁହେଁ

1 min
142

ଜୀବନଠୁ ବଡ଼ କବିତା ନୁହେଁ,  

ଜୀବନ ଭିତରେ କବିତା ଜିଏଁ....!! 


ଦୂର ତାଳବନେ ଗ୍ରାମର ଶ୍ମଶାନେ

ଜୀବନ ଯେଉଁଠି ପାଉଁଶ ହୁଏ,

ପାଉଁଶ ଭିତରୁ ନୂଆ ରୂପ ନେଇ

କବିତାର ପୁଣି ଉନ୍ମେଷ ହୁଏ….

ଜୀବନ ତ ସରେ… କିନ୍ତୁ ତା ଉହାଡ଼େ

କବିତା ବଞ୍ଚି ରହେ....,

ଜୀବନଠୁ ବଡ଼ କବିତା ନୁହେଁ....!


ଜୀବନର ପଥ ଅସମତଳ….

ସୁଖ ଦୁଃଖ ଭରା ଏଇ ସଂସାର,

ଘାତ ପ୍ରତିଘାତ ନିନ୍ଦା ଅପବାଦ

ସବୁକୁ କାଖେଇ ଜୀବନ ଚାଲେ,

ବାସ୍ତବତାର କାନ୍ଥ ଫଟେଇ

ସ୍ଵପ୍ନର ଚେର ମଡ଼େଇ ଚାଲେ….,


ମଳିମୁଣ୍ଡିଆର ଚିରା ଗାମୁଚ୍ଛାରେ

ଦଦରା କାନ୍ଥରେ ଉଜୁଡ଼ା ଚାଳରେ

ବାୟା ଚଢେଇର ବସା ପରି କେବେ     

ସ୍ଵପ୍ନ ଝୁଲଇ ଅଜାଣତରେ,

ଜହ୍ନରାତିର କବିତା ଫୁଟଇ     

ବିନ୍ଦୁରୁ ଯାଇ ବଳୟ ପାରେ !


ଟୋପାଏ ଲୁହରେ ଠୋପେ ବିଷାଦ

ଚେନାଏ ହସରେ ମୁଠେ ଆହ୍ଲାଦ,

ଛାତି ଚିରି କେବେ ଯନ୍ତ୍ରଣା ସବୁ

 ପଡ଼େ ଓହ୍ଳେଇ

ଅନୁଭବ ତାକୁ ସାଉଁଟି ନିଏ ଯେ

         ହାତ ବଢେଇ....

ଜୀବନଠୁ ବଡ଼ ଅନୁଭବ ନୁହେଁ, 

ଅନୁଭୂତି କିନ୍ତୁ ସ୍ମୃତିଟିଏ ହୋଇ

ଜୀବନକୁ ଦିଏ ବାଟ ବତେଇ...!


ପଲକ ଭିତରେ ପୁଲକ ଜିଏଁ,

ପଲକହୀନ ସେ ନିଥର ଆଖିର

ଅଭିବ୍ୟକ୍ତି ହୀନ

  .... ମାର୍ମିକ ସ୍ଵର,

ଜୀବନଠୁ ବଡ଼ କବିତା ନୁହେଁ.... 

କବିତା କିନ୍ତୁ ଜୀବନକୁ ଟପି

ଆକାଶର ଶେଷ ସୀମାକୁ ଛୁଏଁ....!


ଜୀବନଠୁ ବଡ଼ କବିତା ନୁହେଁ, 

ଜୀବନ ଭିତରେ କବିତା ଜିଏଁ....!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract