ଉତ୍ତରଣ
ଉତ୍ତରଣ


ଛାତି ତଳର ଯନ୍ତ୍ରଣା ଚିରି
ରାତି ବୁକୁର ତମସା ତଳୁ
ଫୁଟି ଆସେ ଶୁଭ ମୁହୂର୍ତ୍ତଟିଏ
ନିଜ ଭିତରକୁ ନିଜେ
ଫେରିବାର ଉଚ୍ଛ୍ୱାସ ନେଇ
ଦିବ୍ୟ ଫୁଲ ପାଖୁଡ଼ା ମେଲାଏ!
ଚେତନା ହୁଏ ଅନ୍ତର୍ମୁଖୀ
ସୁନ୍ଦର ଏକ ରହସ୍ୟଠାରେ
ଆଖି ଯାଏ ଲାଖି
ଆକୁଳ ହେଉଥାଏ
ନିଶୀଥ ସମୀର
ମଧୁର ଏ ମହକକୁ ନେବା ପାଇଁ
ନିଜ ସାଥେ ଡାକି
ସ୍ଵର୍ଗର ନନ୍ଦନ ବନେ
ଫୁଟେ ଅମୃତର ସୁଗନ୍ଧରେ ଭରା ପାରିଜାତ
ମର୍ତ୍ତ୍ୟର ବ୍ରହ୍ମକମଳ
ଦିବ୍ୟ ଶିହରଣେ ଭରପୂର
ଫୁଟି ଥାଏ ନେଇ
ପବିତ୍ର ଭାବନାର ସ୍ରୋତ
ରାତିର ଆକାଶରେ ଜହ୍ନ
ଦେଖୁ ଥାଏ ନିରେଖି ନିରେଖି
ଫୁଲ ପାଖୁଡ଼ାରେ ନିଷ୍ପାପ ଶବ୍ଦ କିଛି
କାକର ବିନ୍ଦୁ ଦିଏ ଲେଖି
ବିଭୋର ହେଉ ଥାଏ
ନିଜ ଭିତରକୁ ନିଜେ
ଫେରିବାର ବେଳ
ବ୍ରହ୍ମ କମଳର ଅନନ୍ୟ ସୁନ୍ଦରତା
ରହେ ତାର ସାକ୍ଷୀ ।