କେହି କି ସତରେ ଆସୁଛି
କେହି କି ସତରେ ଆସୁଛି


ବୁଢ଼ୀ ଅସୁରୁଣୀ ବସିଛି
ଗୋଡ଼କୁ ପୂରେଇ ଜଳନ୍ତା ଚୁଲୀରେ
ପାଚିଲା କଞ୍ଚା ଖାଉଛି
କାଳର କରାଳ ଦୃଷ୍ଟିରେ
ଆଜି ନିଃଶ୍ବାସ ସବୁ ସଜେଇ
ବହଳ ଅନ୍ଧାରେ ଘନ କୁହୁଡିରେ
ହାହାକାର ସବୁ ଝୁଲେଇ
ଅସମାପ୍ତ ଏଇ ଆୟୂଷକୁ ଧରି
ଶୋଇ ତ ଯାଇଛି କୋକେଇ
ମଶାଣି ଭୂଇଁରେ ରୋଷଣୀ ଜଳେଇ
ନିଜ ପାଦ ନିଜେ ସେକୁଛି,
ବୁଢ଼ୀ ଅସୁରୁଣୀ ଜଳନ୍ତା ନିଆଁରେ
ପିଶାଚର ହସ ହସୁଛି
ଛକା ପଞ୍ଝାର ଖେଳରେ ମାତିଚି
ଆଜି ଏ ଦାରୁଣ ସମୟ,
ପୁଞ୍ଜୀଭୂତ ହୀନମନ୍ୟତା ରଚିଛି
ବିଷାକ୍ତ ଧୂଆଁର ବଳୟ
ନିତେଇ ଧୋବଣୀ ମଣିଷକୁ ମେଣ୍ଢା କରୁଚି
ପିତେଇ ସଉରୁଣୀ ମଶାଣି ଭୂଇଁରେ
ଡାହାଣୀ ଆଲୁଅ ଜାଳୁଚି
ଡ୍ରାଗନ
୍ ଆଖିର ନିଆଁ ହୁଳା ପରି
ମାଡ଼ି କି ଆସୁଛି ପ୍ରଳୟ
ମଣିଷ ନ ଦିଶେ ମୁଖା ପଛ ପଟେ..
ବନ୍ଦ ଦେବୀଙ୍କ ଆଳୟ,
ଗଗନେ ପବନେ ବିସ୍ଫୋରଣ
ଜଳୁଛି ନଗର,ପଲ୍ଲୀ, ବଣ
ଖଣ୍ଡ ବିଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗ
କାହିଁ କେତେ ଦୂରେ ଉଡ଼ି ପଡ଼ିଛି
ବୁଢ଼ୀ ଅସୁରୁଣୀ ରକ୍ତର ହୋଲି ଖେଳୁଛି
ଧରି ଭକ୍ତିର ଖଣ୍ଡା ବାର ହାତି
ଶକ୍ତିର ପ୍ରତୀକ ନିର୍ଭୀକ ମୂର୍ତ୍ତି
ଦେବ ଦୂତ କେହି ଆସିବେ
ଫରୁଆ ଭିତରୁ ଅସୁରୁଣୀ ପ୍ରାଣ ନାଶିବେ
ପାପର କଳସୀ ଭରିଛି
ଧର୍ମର ପୃଥିବୀ ସ୍ଥାପିବା ପାଇଁ କି
ଅନ୍ଧାର ଚିରି
ଜହ୍ନର ରଥେ
କେହି କି ସତରେ ଆସୁଛି
ଚନ୍ଦନ ଅଗୁରୁ ତୁଳସୀ ଦୟଣା
ମହମହ ହୋଇ ବାସୁଛି ।