STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

କେହି କି ସତରେ ଆସୁଛି

କେହି କି ସତରେ ଆସୁଛି

1 min
248

ବୁଢ଼ୀ ଅସୁରୁଣୀ ବସିଛି

ଗୋଡ଼କୁ ପୂରେଇ ଜଳନ୍ତା ଚୁଲୀରେ

ପାଚିଲା କଞ୍ଚା ଖାଉଛି

କାଳର କରାଳ ଦୃଷ୍ଟିରେ

ଆଜି ନିଃଶ୍ବାସ ସବୁ ସଜେଇ

ବହଳ ଅନ୍ଧାରେ ଘନ କୁହୁଡିରେ

ହାହାକାର ସବୁ ଝୁଲେଇ

ଅସମାପ୍ତ ଏଇ ଆୟୂଷକୁ ଧରି

ଶୋଇ ତ ଯାଇଛି କୋକେଇ

ମଶାଣି ଭୂଇଁରେ ରୋଷଣୀ ଜଳେଇ

ନିଜ ପାଦ ନିଜେ ସେକୁଛି,

ବୁଢ଼ୀ ଅସୁରୁଣୀ ଜଳନ୍ତା ନିଆଁରେ

ପିଶାଚର ହସ ହସୁଛି

ଛକା ପଞ୍ଝାର ଖେଳରେ ମାତିଚି

ଆଜି ଏ ଦାରୁଣ ସମୟ,

ପୁଞ୍ଜୀଭୂତ ହୀନମନ୍ୟତା ରଚିଛି

ବିଷାକ୍ତ ଧୂଆଁର ବଳୟ

ନିତେଇ ଧୋବଣୀ ମଣିଷକୁ ମେଣ୍ଢା କରୁଚି

ପିତେଇ ସଉରୁଣୀ ମଶାଣି ଭୂଇଁରେ

ଡାହାଣୀ ଆଲୁଅ ଜାଳୁଚି

ଡ୍ରାଗନ୍ ଆଖିର ନିଆଁ ହୁଳା ପରି

ମାଡ଼ି କି ଆସୁଛି ପ୍ରଳୟ

ମଣିଷ ନ ଦିଶେ ମୁଖା ପଛ ପଟେ..

ବନ୍ଦ ଦେବୀଙ୍କ ଆଳୟ,

ଗଗନେ ପବନେ ବିସ୍ଫୋରଣ

ଜଳୁଛି ନଗର,ପଲ୍ଲୀ, ବଣ

ଖଣ୍ଡ ବିଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗ

କାହିଁ କେତେ ଦୂରେ ଉଡ଼ି ପଡ଼ିଛି

ବୁଢ଼ୀ ଅସୁରୁଣୀ ରକ୍ତର ହୋଲି ଖେଳୁଛି

ଧରି ଭକ୍ତିର ଖଣ୍ଡା ବାର ହାତି

ଶକ୍ତିର ପ୍ରତୀକ ନିର୍ଭୀକ ମୂର୍ତ୍ତି

ଦେବ ଦୂତ କେହି ଆସିବେ

ଫରୁଆ ଭିତରୁ ଅସୁରୁଣୀ ପ୍ରାଣ ନାଶିବେ

ପାପର କଳସୀ ଭରିଛି

ଧର୍ମର ପୃଥିବୀ ସ୍ଥାପିବା ପାଇଁ କି

ଅନ୍ଧାର ଚିରି

ଜହ୍ନର ରଥେ

କେହି କି ସତରେ ଆସୁଛି

ଚନ୍ଦନ ଅଗୁରୁ ତୁଳସୀ ଦୟଣା

ମହମହ ହୋଇ ବାସୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract