STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ନାଁ ଅଜଣା ଦୁଃଖର ଇସ୍ତାହାର

ନାଁ ଅଜଣା ଦୁଃଖର ଇସ୍ତାହାର

1 min
194

ସାରା ଜୀବନ ଧରି ଲୋକଟା ଧାଇଁଛି

ପ୍ରାଚୁର୍ଯ୍ୟ ଓ ପ୍ରାପ୍ତି ପଛେ ପଛେ

ଖୋଜୁଛି ସୁଖର ସଂଜ୍ଞା


ସମ୍ଭାବନାର ବର – ଓହଳରେ

ପ୍ରତିଶୃତିର ଗହନ ବନରେ

ସମୃଦ୍ଧିର ବିସ୍ତୃତ ବଳଯ ଭିତରେ


ପଡ଼ି ଉଠି ଧାଇଁଛି ସେ

କେଉଁ ସୁବର୍ଣ ମୃଗ ପଛରେ

କଣ୍ଟାଝଟା କିଛି ବି ନ ମାନି

ବୋଝ - ଜଞ୍ଜାଳକୁ ଗଣ୍ଠି କରି

କି ଅଜଣା ପଥେ ସେ

ଆଗେଇ ଚାଲିଛି !


ଜୀବନକୁ ଭଲ ପାଉଥିବା ଲୋକଟା

ଜୀବନ କିନ୍ତୁ ଅକୁହା ଦୁଃଖଟିଏ ହେଇ

ରହିଗଲା ତା’ ଛାତିର ଗୁମ୍ଫାରେ

ଦରଦର ଅଫୁରନ୍ତ ଉତ୍ସଟିଏ

ବନିବାକୁ ଚାହୁଁଥିଲା ସିଏ

ଉଷୁମ ଲୁହର ବିନ୍ଦୁଟିଏ ହୋଇ

ନିଜ ପଲକରେ ନିଜେ ଖଞ୍ଜି ହୋଇଗଲା !


ଚାହିଁଥିଲେ ଭଲ ପାଇ ପାରିଥାନ୍ତା ସେ

ପାହାଡ଼ ମାଳାର ବ୍ୟାପ୍ତିକୁ

ସାଉଁଟି ନେଇ ପାରିଥା’ନ୍ତା

ଗୋଧୂଳିର ଧୂସର ଆଶ୍ଳେଷକୁ

ଆପଣେଇ ପାରିଥା’ନ୍ତା

ଅବାଧ୍ୟ ପବନର ବାସ୍ନାୟିତ ନିଃଶ୍ବାସକୁ I


ସମୁଦ୍ରର ନୀଳ ନିବିଡ଼ତା ଭିତରେ

ହଜେଇ ଥା’ନ୍ତା ନିଜ କବିତା ମନସ୍କ ମନ

ଅବା ନିଃଶବ୍ଦ ରାତିର ତାରା ଭରା ପିଆଲାରୁ

ଶୋଷିନେଇ ପାରିଥା’ନ୍ତା ଜ୍ୟୋସ୍ତ୍ନା ମଦିରା

ଶେଷ ବୁନ୍ଦା ପର୍ଯ୍ୟନ୍ତ I

ସାରା ଜୀବନ ଧରି କେବଳ ଧାଇଁଲା ସେ

ସ୍ଵପ୍ନ ବଣିକର ସତ୍ତା

ଗଲା କାହିଁ ହଜି

ଆବୋରି ରଖିଲା ଯାହା

ସୁଖର ତୁଚ୍ଛତା ଆଉ ସମୃଦ୍ଧିର ଅସାରତା

ମରୁଭୂମିର ନିର୍ଜନ ଘୁମନ୍ତ ପ୍ରହରେ

ସୁନାମ ପାଇବାର ଇଚ୍ଛା

ମରୀଚିକା,

ସଫଳତାର ଶୀର୍ଷକୁ ଛୁଇଁବାର ଇଚ୍ଛାରେ

ହନ୍ତସନ୍ତ ହେଉଥାଏ

କ୍ଷତବିକ୍ଷତ ହୋଇ ବି ଯୁଦ୍ଧ କରେ

ନିଜ ସହ ଥରକୁ ଥର I


ପାଣିର କାନ୍ଥ ଆଉ

କାକରର ଛାତ ତଳେ

ନିରାଶାରେ ଡବଡବ ଆଖି

ଚାହିଁ ଥାଏ କୁହୁଡ଼ିର କବାଟ ଫାଙ୍କରେ

ଛକି ଶୂନ ଖେଳୁଥାଏ

ଭାଙ୍ଗୁଥାଏ, ଗଢୁଥାଏ

ଜିତୁ ଜିତୁ ହାରୁଥାଏ

ଶୂନ୍ୟପଣର ତାଲାପକା ଫାଟକରେ

ମୁଣ୍ଡ ପିଟୁଥାଏ ।


ଉଦ୍ ଭ୍ରାନ୍ତ ମନ ତା’ର ବାରମ୍ବାର 

ନିଜକୁ ହିଁ ପ୍ରଶ୍ନ କରୁଥାଏ,

କୋଉଠି ଥାଏ ଏତେ ନିଃସ୍ଵପଣ

ପ୍ରାଚୁର୍ଯ୍ୟର ବହଳତା ତଳେ

‘ଅପ୍ରାପ୍ତି‘ ଟା କ’ଣ ତା‘ର ରହିଗଲା

ସମ୍ପଦର, ସମୃଦ୍ଧିର ବିସ୍ତୃତି ଭିତରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract