ଯନ୍ତ୍ରଣା
ଯନ୍ତ୍ରଣା
ଦିଆସିଲି କାଠି ପରି
ଜଳୁଥାଏ ମୁଁ
ଅନ୍ୟକୁ ଆଲୁଅ ଦିଏ
ନିଜେ ଜଳି ପୋଡ଼ି
ମୋ କଥା
ମୋ ଯନ୍ତ୍ରଣା
ସୁଖ ଦୁଃଖ ପଚାରିବାକୁ
ନାହାଁନ୍ତି କେହି l
କେମିତି କହିବି
ହୃଦୟ ଭିତର
ଅସୁମାରୀ କୋହକୁ
ପ୍ରତିକ୍ଷଣେ କାନ୍ଦୁଛି ଏକାକି;
ଆଶାର ଆଲୋକ
ମୋ ପାଇଁ
ପଞ୍ଜୁରୀ ଭିତରେ ଥିବା
ଶାରୀ ଟିଏ ପରି l
ଦୁନିଆଟା ଲାଗେ
ନିଶ୍ଚଳ ନିରବ
ଦେଖା ଦିଏ
ଆଶା ଶୂନ୍ୟ ଆକାଶ
ଶୂନ୍ୟରୁ କିଛି
ପ୍ରତିଧ୍ବନିତ ହୁଏ
ତ୍ୟାଗ କରିବାକୁ
ସ୍ୱାର୍ଥ ମାୟା ମୋହ l
ମୋହ, ଅହଂ, ଅସ୍ତିତ୍ବ
ସ୍ମୃତିର ଜ୍ଞାତସାରରେ
ବାରମ୍ବାର ଦେଉଥାନ୍ତି
ଅସୁମାରି ଯନ୍ତ୍ରଣା;
କେହି ଜଣେ
କହିପାରିବ କି
ଜୀବନ କଟୁଛି କାହାର
ଯନ୍ତ୍ରଣା ବିନା l
କେବେଠାରୁ ମୁଁ
ପୂର୍ଣ୍ଣାହୁତି କରିଦେଇଛି
ମୋ ମନର
ଇଚ୍ଛା ମାନଙ୍କୁ;
ଆଉ ମୁଁ
ଗହଣା କରି
ପିନ୍ଧି ସାରିଛି
ଦୁଃଖ ସବୁକୁ l
ଜୀବନକୁ ଏଠି
ଜିଇଁବାକୁ ହେବ
ଦୁଃଖ ଯନ୍ତ୍ରଣାକୁ
ଅମୃତ କରି ପିଇ;
କିଏ ବୁଝିବ
ଜୀବନ ଏଠି
ପଞ୍ଜୁରୀ ଆବଦ୍ଧ ପକ୍ଷୀର
ନିରବ ଯନ୍ତ୍ରଣା ପରି l