ବୈକୁଣ୍ଠ
ବୈକୁଣ୍ଠ
ସୃଷ୍ଟି, ପାଳନ, ସଂହାରର କର୍ତ୍ତା
ଅଟନ୍ତି ତିନି ଠାକୁର
ଭକତି ଭାବରେ ତାଙ୍କରି ପାଦରେ
କରୁଛି ଭକ୍ତି ଜୁହାର ।
ପିତାମହ ବ୍ରହ୍ମା ସୃଷ୍ଟି କର୍ତ୍ତା ଆମ
ବିଷ୍ଣୁ ଯେ ପାଳନ କର୍ତ୍ତା
ଦେବ ଦେବ ମହାଦେବ ସଂହାରକ
ଅଟନ୍ତି ଭାଗ୍ୟ ବିଧାତା ।
ବ୍ରହ୍ମ ଦେବ ବାସ ସ୍ଥାନ ବ୍ରହ୍ମପୁର
କୈଳାସରେ ମହେଶ୍ୱର
ଲକ୍ଷ୍ମୀ ନାରାୟଣ ଯୋଉଠି ଥାଆନ୍ତି
ସିଏ ତ ବୈକୁଣ୍ଠ ପୁର ।
ବୈକୁଣ୍ଠ ଭୁବନ ଅତି ଶୋଭାବନ
ସେନେହ, ଶରଧା ଝରେ
ଶାନ୍ତିମୟ ଅଟେ ସେଇ ସ୍ଥାନ ଗୋଟି
ଥାନ୍ତି ସର୍ବେ ଆନନ୍ଦରେ ।
ସେହି ସ୍ଥାନ ଅଟେ ଏତେ ପବିତ୍ର
ପାପ କରଇ ଖଣ୍ଡନ
ସ୍ନେହ, ଆଶୀର୍ବାଦେ କୋଳେଇ ନିଅନ୍ତି
ଭକ୍ତେ ଲକ୍ଷ୍ମୀ ନାରାୟଣ ।
ସମସ୍ତେ ଚାହାଁନ୍ତି ମର୍ତ୍ତ୍ୟେ ଆମ ଘର
ହେଉ ଯେ ବୈକୁଣ୍ଠ ପୁର
ସ୍ନେହ, ଶ୍ରଦ୍ଧା ଆମ ଝରୁ ଅବିରତ
ନାହିଁ ଯାର ପଟ୍ଟାନ୍ତର ।
ଗୋଟିଏ ସେନେହ ଡୋରେ ବନ୍ଧା ହେଇ
ବିତି ଯାଉ ଆମ ଦିନ
ଦୁଃଖରେ ସୁଖରେ ହେଇ ଆମେ ସାଥି
କଟାଇ ଦେବୁ ଜୀବନ ।
ସ୍ୱର୍ଣ୍ଣପୁରୀ ଲଙ୍କା ବୈକୁଣ୍ଠ କରିବା
ପାଇଁ ବିଶ୍ରବା ନନ୍ଦନ
ଋଷି ବେଶେ ଯାଇ ଜନକ ନନ୍ଦିନୀ
ସୀତାଙ୍କୁ କଲେ ହରଣ ।
ମା' ଲକ୍ଷ୍ମୀ ଆସିଲେ ଆସିବେ ନିଶ୍ଚୟ
ପ୍ରଭୁ ଦେବ ନାରାୟଣ
ଏଇ କଥା ଭାବି ପୁଷ୍ପକ ବିମାନେ
ଚୋରି କରିଲା ରାବଣ ।
ଲଙ୍କା କଟକକୁ ବୈକୁଣ୍ଠ କରିବା
ଥିଲା ରାବଣ ସପନ
ସେଇ ସପନକୁ ପୂରଣ କରିଣ
ହେଇଥିଲା ସେ ନିଧନ ।
ହେଲେ ଆଜିକାଲି କଳି କାଳ ଯୁଗ
ଓଲଟା ବିଚାର ନୀତି
ବୈକୁଣ୍ଠର ପୁର ନ ହେଉ ପଛକେ
ଘରେ ଚାଲୁ ରଜନୀତି ।
ଘର ଲକ୍ଷ୍ମୀ ବୋହୁ ଦେଖିବା ସପନ
ଅଶାନ୍ତି ସୃଷ୍ଟି ସେ କରେ
ସମସ୍ତଙ୍କୁ ହାତ ମୁଠାରେ ନଚାଏ
ଏ ସମାଜ ତାକୁ ଡରେ ।
ଯେଉଁ ଘରେ ନାରୀ ଲକ୍ଷ୍ମୀ ପରି ଅଟେ
ସିଏ ତ ବୈକୁଣ୍ଠ ପୁର
ସେମିତିକା ଘରେ ଲକ୍ଷ୍ମୀ ନାରାୟଣ
ରହିଥାନ୍ତି ନିରନ୍ତର ।
ଅନ୍ନ, ବସ୍ତ୍ର କେବେ ଅଭାବ ରହେନି
ଶାନ୍ତି ଝରେ ନିରନ୍ତର
ସରଗଠୁ ବଳି ଅତି ସୁଖେ ତାର
ରହିଥାନ୍ତି ପରିବାର ।
ଯେଉଁ ଘରେ ନିତି ଝଗଡା ହୁଅଇ
ମା' ଲକ୍ଷ୍ମୀ ହୁଅନ୍ତି ଦୂର
ଅଶାନ୍ତି ଲୁହେ ସେ ପରିବାର ଥାଏ
ହୁଏନା ବୈକୁଣ୍ଠ ପୁର ।
