ରାତ୍ରୀର ଆଲୋକ
ରାତ୍ରୀର ଆଲୋକ
ରାତ୍ରୀ ଆଜି ତା'ର ନିଜ ଅନ୍ଧାରରେ
ନିଜର ସନ୍ଧାନେ ଏକାକୀ ପଥରେ ହଜିଛି
ଆଉ ଅନ୍ଧାର ତାକୁ ଲାଗୁନାହିଁ ଭଲ
ଅନ୍ତରେ ହେଉଛି ନିତି କଲବଲ
ଆଜି ସେ ନିଜପାଇଁ ଆଲୋକ ଖୋଜୁଛି l
ରାତ୍ରୀ ଆଜି ନିଜ ଶରୀର ଦେଖିଛି
କେଉଁ ଆଇନାଟା ନିଜେ ହିଁ ଜାଣିଛି
ନିଜ ରୂପରେ ତା'ର ବିଷାଦିତ ମନ
ଶୁଭ୍ର ସ୍ୱଚ୍ଛର ସେ ଦେଖୁଛି ସପନ
ଆଜି ସେ ତା'ର ସକାଳ ଖୋଜୁଛି l
ମାନ, ଅଭିମାନ ଯେତେ ଅଛି ତା'ର
ଅନ୍ଧାରେ ଲୁଚୁଛି ଲୁହ ଓ କୋହ ସାଗର
କାନ୍ଦିଲେ ବି ଲୁହ ତା'ର କଳାରେ ମିଶୁଛି
ଆଘାତ କ୍ଷତର ଲହୁ ବି ଆସୁନି ନଜର
ଆଜି ସେ ତା'ର ଦୁଃଖରେ ଅଜସ୍ର କାନ୍ଦୁଛି l
ଟିକେ ଗହଳକୁ ଯିବ ସେ ଭାବିଛି
ଏକାକୀ ବଞ୍ଚିବଞ୍ଚି ଜହ୍ନତାରାରେ ବିରକ୍ତ
ନିସଙ୍ଗେ ସେ ପାଲଟିଛି ନିଶାଗ୍ରସ୍ଥ
ଟିକେ ନିର୍ମଳ ଆକାଶ ଖୋଜୁଛି
ନିଦପଛେ ନ ଅଣ୍ଟୁ ରାତ୍ରୀ ଆଜି ସୂର୍ଯ୍ୟ ଖୋଜୁଛି।