STORYMIRROR

padmaja pati

Children

4  

padmaja pati

Children

ପ୍ରକୃତି ମୁଁ

ପ୍ରକୃତି ମୁଁ

1 min
7


ଯେଣେ ଚାହେଁ ଦେଖେ ଘେରିଅଛି ମୋର
ପଣତ କାନିଟି ପରା
ମନ ଯାଏ ଭରି ଦେଖି ନଦ,ନଦୀ
ଚଳଚଞ୍ଚଳ ଧରା l
ଏକାତ୍ମ ମୋ ସହ ହେବା ପାଇଁ କେତେ
ବ୍ୟାକୁଳ ଯୋଗୀର ପ୍ରାଣ
ପ୍ରଶାନ୍ତ, ଉଦାର, ମନ ଅବିଚଳ
ଜିଣେ ଷଡ ରିପୁଗଣ l
ମୋ ଦେହରେ ଦେଖେ ପରମ ପ୍ରଭୁଙ୍କୁ
ଯାହା ତାଙ୍କ ଦିବ୍ୟ ଅଂଶ
ହେଉ ଜଡ଼ ଅବା ପ୍ରାଣବନ୍ତ ଏକା
ତାଙ୍କ ଲୀଳା କିୟଦଂଶ l
ଆଧ୍ୟାତ୍ମିକତାର ବାତାବରଣ ବି
ଖେଳୁଅଛି ମୋ ଶରୀରେ
ଅଛି ଅପୂର୍ଣ୍ଣତା, ଅଛି ବି ଶୂନ୍ୟତା
କଳନା କେ କରିପାରେ?
ସଜାଡି ରଖିଛି ଫୁଲ, ଫଳ ସହ
କେତେ ଦରକାରୀ ଚିଜ
ତଥାପି ମଣିଷ! ଲୋଭ କରି ନିତି
ଉଜାଡୁଛ ନାହିଁ ଲାଜ l
ଜଳବାୟୁ  ମୋର ହେଲାଣି ଦୂଷିତ
ବଦଳୁଛି ପାଣିପାଗ
ଡାକି ଆଣେ ପ୍ରାକୃତିକ ବିପର୍ଯ୍ୟୟ
ଏ କଥାଟି ବୁଝ ଆଗ l
ଧାରଣା ନିଜର ଲଦି ମୋ ଉପରେ
ଯାଅ ମୋ ଠାରୁ ଦୂରେଇ
ଗଢିଅଛ ଯାହା ଏତେ ସରାଗରେ
ମୋ ଲୁହ ତ ନେବ ଧୋଇ l
ସବୁ ଇଚ୍ଛା ତୁମ କରିବାଜୁ ପୂର୍ଣ୍ଣ
ସମର୍ଥ ମୁଁ ଯେ ଅନନ୍ତ
କରି ଶୁଭ ଚିନ୍ତା ସମ୍ଭାଳ ସୃଷ୍ଟିକୁ
ହେଉ ସମସ୍ୟାର ଅନ୍ତ l
ଜୀବ ମଧ୍ୟେ ଶିବ କର ଅନୁଭବ
ସୃଷ୍ଟି ମୋ ହେଉ ମଧୁର
ସବୁରି ଜନମ ହେଉ ସାର୍ଥକ
ଆନନ୍ଦର ପାରାବାର l
ଯେଉଁଭଳି ସୂର୍ଯ୍ୟ କିରଣ କରଇ
ଜଳ ବିନ୍ଦୁକୁ ଉଜ୍ଜ୍ୱଳ
ପ୍ରଭୁ କୃପା ବଳେ ହେଉ ସୁରଭିତ
ପ୍ରତି ଜୀବନ କମଳ l
ପରିପୂର୍ଣ୍ଣତା କାୟା ବିସ୍ତାରି
ଦୂର କରୁ ଅପୂର୍ଣ୍ଣତା
ମଧୁର ଭାବନା ଭରି ମନଟିରେ
ଦୂରେଇ ଯାଉ ଶୂନ୍ୟତା l
ମାନସ ଚେତନା ହେଉ ଉର୍ଦ୍ଧ୍ବମୁଖୀ
ବିଭୁ କୃପା ବଳେ ତୁମ
ହେଉ ପୁଲକିତ ମୋର ପ୍ରତି ଅଂଶ
ଚାହେଁ ଦେବତାର ଧାମ l





Rate this content
Log in

Similar oriya poem from Children