ଲଣ୍ଡାପାହାଡର ଲୁହ
ଲଣ୍ଡାପାହାଡର ଲୁହ
କାହିଁଗଲା ମୋର ସବୁଜିମା ଶିରୀ
କାହିଁଗଲେ ସବୁ ଗଛ ପତର
ଲଣ୍ଡା ପାହାଡ ମୁଁ ବାହୁନି କାନ୍ଦୁଛି
ଛାତିକୁ ମୋ ଆଜି କରି ପଥର ।
କେତେ ଜାତି ଜାତି ବନ ପଶୁ ପକ୍ଷୀ
ନାଚି ବୁଲୁଥିଲେ ବୁକୁରେ ମୋର
କିଏ ଉଜାଡିଲା ତାଙ୍କରି ସ°ସାର
ତାଙ୍କରି ଘର ?
ଝରି ଯାଉଥିଲା ବନ ଝରଣାଟି
ଆହା କି ମଧୁର ସଙ୍ଗୀତ ଗାଇ
କହରେ କାହିଁକି ମୋ ଶିଳା ସନ୍ଧିରେ
ଆଜି ସେ ଏମିତି ପଡଛି ଶୋଇ !
ମେଘ ଚାଲିଯାଏ ମେଘର ବାଟରେ
ମୋ ଦେହରେ ଆଉ ପିଟୁନି ମଥା
କିଏସେ କରିବ ମେଘକୁ ଶୀତଳ
ନାହିଁ ଗଛଟିଏ ନାହିଁ ତ ଲତା ।
ଗଛ ନାହିଁ ବୋଲି ବଦଳୁଛି ଋତୁ
ହେଉନି ବରଷା ନିୟମ ମାନି
କେତେବେଳେ ବଢି କେବେତ ମରୁଡ଼ି
ଏ କଥା କି କୁହ ପାରୁନ ଜାଣି ?
ଗଛ ନାହିଁ ବୋଲି ତାତି ଯାଉଅଛି
ମାଟିରୁ ଆକାଶ ପାଣି ପବନ
ଅବେଳେ ଆସୁଛି ଝଡ ତୋଫାନ ତ
ଉଜାଡି ଯାଉଛି ଧନ ଜୀବନ ।
ମଣିଷ ଭାଇରେ ବେଳ ଥାଉଥାଉ
ସାବଧାନ ହୁଅ କଥାଟି ମାନ
ଦିଗଚଉଦିଗେ ଗଛ ଭରିଦିଅ
ଉଜୁଡି ଯିବନି ସୁଖ ସପନ ।
