ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ବସନ୍ତର ଆଗମନ ଦେଖି
ଶୀତ ଯାଇଅଛି ଲୁଚି ।
ନାନା ରଙ୍ଗର ଫୁଲ ଫୁଟି
ଧରା ରଙ୍ଗୀନ୍ ଲାଗୁଛି ।।
ଆମ୍ବ ବଉଳର ବାସ୍ନା ନେଇ
ମଳୟ ପବନ ବହଇ ।
କୋଇଲିର କୁହୁକୁହୁ ସ୍ବର
ସଭିଙ୍କ ମନ ନିଏ ମୋହି ।।
ପଳାଶ ଶିମିଳି ଫୁଲରେ
ଧରା ଦିସେ ଲୋହିତ ।
ମନ ମୋହିଥାଏ ବକୁଳ କାଞ୍ଚନ
ମାଧବ ଫୁଲର ବାସ ।।
ଆଣିଥାଏ ଖୁସି ଦୋଳ ଯାତରା
ଦୋଳ ମଣ୍ଡପେ ବିଜେ ରାଧାକୃଷ୍ଣ ପରା ।
ଭକ୍ତ ଭଗବାନଙ୍କର ହୋଲି ଖେଳରେ
ଏ ଧରା ଦିସଇ ତୋରା ।।
ସାତ ରଙ୍ଗ ନେଇ ସାଥିରେ
ଦେଖ ଆସିଛି ହୋଲି ।
ମିଳିମିଶି ହୋଇ ଖେଳିବା ରଙ୍ଗ
ନିଜ ମଧ୍ୟେ ଶତ୍ରୁତାକୁ ଭୁଲି ।।
ସ୍ନେହ ପ୍ରେମ ରଙ୍ଗରେ
ସଭିଙ୍କୁ ଦେଲେ ରଙ୍ଗେଇ ।
ମଜବୁତ୍ ହେବ ସମ୍ପର୍କର ଡୋର
ସୁଖ ଶାନ୍ତି ରଙ୍ଗ ହୋଇ ।।
ନା ଅଛି ଖରା ନା ଅଛି ଶୀତ
ନା ବରଷା କରଇ ହନ୍ତସନ୍ତ ।
ଋତୁ ମାନଙ୍କ ରାଜା ସେହି
ସଭିଙ୍କ ମିତ ଋତୁରାଜ ବସନ୍ତ ।।
