ପୁରୁଣା ରୁ ନୂଆଁ
ପୁରୁଣା ରୁ ନୂଆଁ
ନୂଆଁ ବୋଲି କିଛି ନାହିଁ ଏ ସଂସାରେ
ସବୁ ପୁରୁଣାରୁ ତିଆରି,
ତଥାପି ମଣିଷ ନୂଆଁକୁ ଆଦରି
ପୁରୁଣାକୁ ଯାଏ ପାସୋରି ।
ଅଠର ଦିନର ଧରମ ସମର
ସଞ୍ଜୟ ଦେଖିଲେ ଯେମିତି,
ଏବେ ଘରେ ବସି ଦୁନିଆ ଖବର
ଦେଖୁଛୁ ଟିଭିରେ ସେମିତି ।
ତୀର ମାରି ଦିନେ ଆଣିଲେ ଅର୍ଜୁନ
ଭୂମିରୁ ସଲିଳ ଧାରାକୁ,
ନଳକୂପ ଖୋଳି ମାଟି ତଳୁ ଏବେ
ଆଣୁଅଛୁ ଆମେ ଜଳକୁ ।
ପୁଷ୍ପକ ବିମାନେ ଲଙ୍କାପତି ଦିନେ
ଉଡୁଥିଲେ ମହା-ଆନନ୍ଦେ,
ଉଡାଜାହଜରେ ବୁଲୁଅଛୁ ଆମେ
ପରିବାର ମେଳେ ସାନନ୍ଦେ ।
ଦେହ ମଇଳାରୁ ଦେବୀ ଉମା ଦିନେ
ଗଢିଥିଲେ ଲମ୍ବୋଦରଙ୍କୁ,
କ୍ଲୋନିଂ ପଦ୍ଧତିରେ ବିଜ୍ଞାନାଗାରରେ
ବୈଜ୍ଞାନିକ ଗଢେ ଜୀବଙ୍କୁ ।
ମହାଦେବ ଦିନେ ଗଜଶିର ଆଣି
ଯୋଡିଥିଲେ ପୁତ୍ର ଶରୀରେ,
ଅଙ୍ଗ ରୋପଣ ତ ସାଧାରଣ ଆଜି
ଯୋଡଇ ଡାକ୍ତର ଅଚିରେ ।
ପୁରୁଣା ଯୁଗର ଯନ୍ତ୍ର ମନ୍ତ୍ର ଆଜି
ବିଜ୍ଞାନ କରୁଛି ପ୍ରମାଣ,
ତଥାପି ମଣିଷ ଅବିଶ୍ବାସ କରେ
କାହିଁ ଆମ ଧର୍ମ ପୁରାଣ ?
