ମୋ ଅଗଣାର ଖୁସି
ମୋ ଅଗଣାର ଖୁସି
ଈଶ୍ୱରଙ୍କ ର ତୁ' ଅଟୁ ବରଦାନ
ମୋ ଅଗଣାର ଖୁସି
ଜୀବନର ସବୁ ଦୁଃଖ ଭୁଲିଯାଏ
ତୁ'ଯେବେ ଦେଉ ହସି ।
ତୁ' ଚୁଲୁବୁଲି ମୁଁ ଡାକେ ତତେ ଗେହ୍ଲି
ତୋ'କଥାରୁ ପିୟୁଷ ଝରେ
ଝୁଣ୍ଟି ମୁଁ ପଡିଲେ ତୋ' ଆବା ଟିକକ
ସବୁ କ୍ଳେଶ ମୋର ହରେ ।
ଗେହ୍ଲି ଟି ତୁ' ମୋର ସବୁଠୁ ସୁନ୍ଦର
ନାମ ତୋ'ଦେଇଛି 'କୃଷ୍ଣା'
ତୁ'ବଡ ହୋଇ ନାଆଁ ମୋ ରଖିଲେ
ମେଣ୍ଟିଯିବ ମୋର ତୃଷ୍ଣା ।
ବଡ ମାନଙ୍କର କଥା ତୁ' ମାନିବୁ
ଅଝଟିଆ ହେବୁନାହିଁ
ମନଦେଇ ସଦା ପାଠ ତୁ ପଢିବୁ
ନିତି ଆଦର୍ଶ କୁ ନେଇ ।
ତୋତେ ନେଇ ଯେଉଁ ସପନ ଦେଖିଛି
ରଖିବୁ ତାହାର ମାନ
ଛୋଟଙ୍କୁ ଆଦର ବଡଙ୍କୁ ସମ୍ମାନ
କରୁଥିବୁ ନିତିଦିନ ।
ଇର୍ଷା, ଘୃଣା ସବୁ ମନରୁ ତେଜିବୁ
କୋଟିଏରେ ହେବୁ ଗୋଟିଏ
ପର ଉପକାରେ ଜୀବନ ଲାଗିଲେ
ଆତ୍ମା ପରା ଶାନ୍ତି ପାଏ ।
ଫୁଲେଇ ତୁ'ମୋର ପରକୁ ନିଜର
କରିବାର ଗୁଣ ଶିଖିବୁ
ଶାନ୍ତି, ମୈତ୍ରୀ ବାଣ୍ଟି ଦୁଃଖକୁ ସାଉଁଟି
ଏ ଧରାରେ ଯଶ ରଖିବୁ ।
