ପ୍ରେମର ଦୁଇଟି ରଙ୍ଗ
ପ୍ରେମର ଦୁଇଟି ରଙ୍ଗ
ପ୍ରେମର ଆକାଶରେ
ସବୁବେଳେ ଇନ୍ଦ୍ରଧନୁ ଉଠେନି,
କେବେ ମେଘ ଘନେଇ ଆସେ
କେବେ ଅଦିନିଆ ବର୍ଷାରେ
ଭିଜିଯାଏ ମନର ଅଗଣା।
ପ୍ରେମର ବି ଦୁଇଟି ରଙ୍ଗ,
ଗୋଟିଏରେ ଫୁଲ ଫୁଟେ
ଆଖିରେ ସ୍ୱପ୍ନ ଭରେ,
ଆଉ ଗୋଟିଏରେ
ସ୍ମୃତିମାନେ କଣ୍ଟା ହୋଇ
ହୃଦୟର ରାସ୍ତା ଓଗାଳନ୍ତି।
ପ୍ରେମ ଯେତେବେଳେ ପାଖରେ ଥାଏ
ସମୟ ଅଟକି ଯାଏ ଲାଗେ,
ଆଉ ଯେତେବେଳେ ଦୂରେଇ ଯାଏ
ଘଣ୍ଟାର କଣ୍ଟା ବି
ଯେମିତି ଧୀରେ ଧୀରେ ଚାଲେ।
କେତେ କଥା ଅଧା ରହିଯାଏ,
କେତେ ଚିଠି ଠିକଣା ଖୋଜେ,
କେତେ ଅଭିମାନ
ଓଠ ଯାଏ ଆସି
ପୁଣି ନୀରବତାରେ ଫେରିଯାଏ।
ତଥାପି ପ୍ରେମ ମରେନି,
କେବଳ ତା'ର ରୂପ ବଦଳେ
କେବେ ହାତରେ ହାତ ହୋଇ
କେବେ ଆଖିରେ ଲୁହ ହୋଇ
କେବେ ଦୂର ଆକାଶର
ନିର୍ଜନ ତାରାଟିଏ ହୋଇ ଜଳେ।
କୃଷ୍ଣଙ୍କ ପ୍ରେମରେ ବି
ରାଧାଙ୍କ ଅପେକ୍ଷା ଥିଲା,
ବୃନ୍ଦାବନର ପ୍ରତିଟି କୁଞ୍ଜରେ
ବିରହର ଏକ ଅଦୃଶ୍ୟ ଛାଇ ଥିଲା,
ତଥାପି ସେ ପ୍ରେମର ଗଭୀରତା
ମିଳନର ହିସାବ ରଖିନଥିଲା।
ବୋଧହୁଏ ପ୍ରେମର ଅର୍ଥ
ସବୁବେଳେ ପାଖରେ ରହିବା ନୁହେଁ,
କାହାର ଅସ୍ତିତ୍ୱକୁ
ନିଜ ଭିତରେ ଅନୁଭବ କରିବା,
ନିଜଠାରୁ ଅଧିକ
କାହାର ଖୁସିକୁ ଭଲପାଇବା ।
ତେଣୁ ତ ପ୍ରେମର ଦୁଇଟି ରଙ୍ଗ,
ଗୋଟିଏ ମିଳନର ମଧୁର ଆଲୋକ,
ଆଉ ଗୋଟିଏ ବିରହର ନୀରବ ଅନ୍ଧାର,
ହେଲେ ଉଭୟର ଭିତରେ
ଗୋଟିଏ ରଙ୍ଗ ସବୁବେଳେ ଜୀବନ୍ତ
ସେଇ ରଙ୍ଗର ନାଁ ହେଉଛି
ନିଃସ୍ୱାର୍ଥ ଭଲପାଇବା...!

